ଏଥର ପୁଣି ଜମିଲା ଧନତେରସ ବଜାର: ତିନିଦିନରେ ୨୫ କୋଟିର ବେପାର, ୫୦ କେଜି ସୁନା ବିକ୍ରି

ସମ୍ବଲପୁର : ଗତ ଦୁଇ ବର୍ଷ ସୁନା ବିକ୍ରି କିଛିଟା ମାନ୍ଦା ରହିଥିଲାବେଳେ ଚଳିତ ବର୍ଷ ଧନତେରସ ଓ ଦୀପାବଳି ଅବସରରେ ସମ୍ବଲପୁର ମହାନଗର ଅଞ୍ଚଳରେ ଏଥିରେ ସାମାନ୍ୟ ବୃଦ୍ଧି ହୋଇଛି। କରୋନା କଟକଣାକୁ ପଛରେ ପକାଇ ପୁଣିଥରେ ଗହଣା ଦୋକାନ ଗୁଡ଼ିକ ବହୁ ସଂଖ୍ୟାରେ ଗ୍ରାହକଙ୍କୁ ଆକର୍ଷିତ କରିବାରେ ସମର୍ଥ ହୋଇଛନ୍ତି। ସୋମବାରଠାରୁ ଗହଣା ଦୋକାନରେ ଭିଡ଼ ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ଓ ବୁଧବାର ଏଥିରେ ବେଶ ବୃଦ୍ଧି ହୋଇଛି। ଏହି ତିନି ଦିନରେ ସମ୍ବଲପୁର ମହାନଗରର ପ୍ରାୟ ୫୦ଟି ଗହଣା ଦୋକାନରେ ପ୍ରାୟ ୫୦ କେଜି ସୁନା ଅଳଙ୍କାର ବିକ୍ରି ହୋଇଛି। ତିନି ଦିନରେ ସବୁ ଦୋକାନ ମିଶି ପ୍ରାୟ ୨୫ କୋଟି ଟଙ୍କାର ବେପାର କରିଛନ୍ତି।

ସମ୍ବଲପୁର ମହାନଗରରେ ବର୍ଷ ସାରା ଦୈନିକ ହାରାରାରି ୨ କେଜି ଟଙ୍କାର ସୁନା ବିକ୍ରି ହୁଏ ଓ ୧ କୋଟି ଟଙ୍କାର କାରବାର ହୁଏ। ଧନତେରସ୍‌ ତିନି ଦିନରେ କିନ୍ତୁ ଏଥିରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥାଏ। ଏଥର ଧନତେରସ୍‌ରେ ହୋଇଥିବା ବେପାରରେ ସହରର ବଡ଼ବଡ଼ ପ୍ରାୟ ୧୦ଟି ଗହଣା ସୋ’ରୁମ୍‌ର ପ୍ରାୟ ୬୫% ଅଂଶ ରହିଥିବାବେଳେ ଅନ୍ୟ ମଧ୍ୟମ ଓ ଛୋଟ ଦୋକାନ ଗୁଡ଼ିକ ଅବଶିଷ୍ଟ ୩୫% ବ୍ୟବସାୟ କରିଛନ୍ତି। ବଡ଼ ଦୋକାନ ଗୁଡ଼ିକର ବିକ୍ରି ବଢ଼ିଥିବାବେଳେ ଛୋଟ ଦୋକାନ ଗୁଡ଼ିକର ହ୍ରାସ ପାଇଛି। ଅରୁନ୍ଧତୀ, ଜ୍ବେଲେରି ୱାର୍ଲଡ୍‌, ଅଳଙ୍କାର, ଶ୍ରୀ ଅଳଙ୍କାର, ନ୍ୟୁ ଅଳଙ୍କାର, ରିଲାଏନ୍‌ସ, ଦ୍ବାରକା, ବାଙ୍କା, ତନିସ୍କ, ମୁନ୍ଦ୍ରା, କାମଟିବାଲା, ଆଦି ବଡ଼ ଦୋକାନ ଗୁଡ଼ିକ ବେପାରର ସିଂହଭାଗ‌ ନେଇଛନ୍ତି। ସେହିପରି ପ୍ରସାଦ ‌େଜ୍ବଲର୍ସ, ବିଜୁ ଜ୍ବେଲର୍ସ, ନ୍ୟୁ ସୋନିକା, ନବରଂଗ ଜ୍ବେଲର୍ସ ଆଦି ଦୋକାନ ଗୁଡ଼ିକରେ ବି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ଧନତେରସ୍‌ରେ ସୁନା, ରୂପା ଓ ଧାତବ ସାମଗ୍ରୀ କିଣିଲେ ଲକ୍ଷ୍ମୀ ଘରକୁ ଆସନ୍ତି। ଏହି ବିଶ୍ବାସ ଲୋକମାନଙ୍କୁ ଟାଣି ଆଣିଥିଲା ଗହଣା ଦୋକାନକୁ। କେବଳ ସେତିକି ନୁହେଁ କ˚ସା, ପିତ୍ତଳ ଆଦି ବାସନ ଦୋକାନୀମାନେ ବି ଧନତେରସରେ ବେଶ କିଛିଟା ବେପାର କରିଥିଲେ। ଧନ୍‌ତେରସ୍‌ରେ ଦୋକାନୀମାନେ ବି ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଅଫର‌୍‌ ଦେଇଥିଲେ। କିଏ ସୁନାର ଗଢ଼ା ମୂଲ୍ୟରେ ରିହାତି ଦେଇଥିଲା ତ କିଏ ନିଶ୍ଚିତ ଉପହାର ଦେଉଥିଲା। ହୀରା, ରୂପା ଆଦି ଗହଣାରେ ବି ଆକର୍ଷଣୀୟ ରିହାତି ଥିଲା। କିଛି ବଡ଼ ଗହଣା ଦୋକାନୀ ଗ୍ରାହକଙ୍କ ପାଇଁ ଲକି କୁପନ୍‌ର ବ୍ୟବସ୍ଥା କରିଥିଲେ। ସବୁ ଅଫର‌୍‌ ବ୍ୟତୀତ ନିର୍ଦିଷ୍ଟ କିଛି ଦୋକାନୀ ଗହଣା କିଣୁଥିବା ଗ୍ରାହକଙ୍କୁ ମିଠା, ଡ୍ରାଏ ଫ୍ରୁଟ୍‌ ପ୍ୟାକେଟ୍‌, ଚକୋଲେଟ୍‌ ପ୍ୟାକେଟ୍‌, ଗିଫ୍‌ଟ ଭାଉଚର‌୍‌, ଲଟେରି କୁପନ୍‌ ଆଦି ଉପହାର ପ୍ରଦାନ କରିଥିଲେ।

ସେହିପରି କ˚ସାରିପଡ଼ା, ଗୋଲବଜାର ଆଦି ଅଞ୍ଚଳରେ ଥିବା ବାସନ ଦୋକନ ଗୁଡ଼ିକରେ ମଧ୍ୟ ବହୁ ପରିମାଣରେ ଧାତବ ସାମଗ୍ରୀ ବିକ୍ରି ହୋଇଛି। ଧନ୍‌ତେରସ୍‌ର କିଣାକିଣି କେବଳ ଗହଣା ଦୋକାନରେ ସୀମିତ ହୋଇ ରହି ନାହଁ। ଏହି ଦିନ ଅନେକ ଲୋକ ବିଭିନ୍ନ ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀ ଯଥା ଫ୍ରିଜ୍‌, ଟିଭି, ଵାସି˚ ମେସିନ୍‌, ଏସି, ଲାପ୍‌ଟପ୍‌, ମୋବାଇଲ୍‌ ଆଦି କିଣୁଥିବା ଦେଖିବାକୁ ମିଳିଛି। ଅନେକ ଲୋକ ନିଜ ଦୁଇ ଚକିଆ ବା ଚାରି ଚକିଆ ଯାନ ପୂର୍ବରୁ ବୁକି˚ କରି ଏହି ଦିନ ଡେଲିଭେରି ନେଇଛନ୍ତି।

ସମ୍ବନ୍ଧିତ ଖବର