ବଢ଼ୁଛି ବଙ୍ଗଳା ବିବାଦ : ସରକାରୀ କ୍ୱାର୍ଟରକୁ ନେଇ ବୈଜୟନ୍ତଙ୍କୁ ଅନୁଭବ ପଚାରିଲେ;୨୪ ଘଣ୍ଟା ପରେ ଚୁପ୍‌ କାହିଁକି ଟୁଇଟ୍‌ ମାଷ୍ଟର ?

ଭୁବନେଶ୍ୱର : ଥମୁନି ବଙ୍ଗଳା ବିବାଦ । ୨୪ ଘଣ୍ଟା ପରେ ପୁଣି ବୈଜୟନ୍ତଙ୍କୁ ଟୁଇଟ୍‌ରରେ ଟାର୍ଗେଟ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଗତକାଲି ଦିଲ୍ଲୀ ମହାଦେବ ରୋଡସ୍ଥିତ ସରକାରୀ କ୍ୱାର୍ଟରକୁ ବୈଜୟନ୍ତ ମାଡ଼ି ବସିଥିବା କହି ଟୁଇଟ୍‌ରେ ଟାର୍ଗେଟ କରିଥିଲେ ଅନୁଭବ । ହେଲେ ଏହାର ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ଟୁଇଟ୍‌ ମାଷ୍ଟର ବୈଜୟନ୍ତ ବଙ୍ଗଳା ବିବାଦକୁ ନେଇ କାହିଁକି ଚୁପ୍‌ ବସିଛନ୍ତି?ବୋଲି ଟୁଇଟ୍‌ କରି ପ୍ରଶ୍ନ କରିଛନ୍ତି ଅନୁଭବ ।

ଅନ୍ୟପଟେ ଗତକାଲି ଅନୁଭବଙ୍କ ଟୁଇଟ୍‌ ପରେ ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ ସଫେଇ ଦିଆଯାଇଛି ଯେ, ବର୍ତ୍ତମାନ ବୈଜୟନ୍ତ ଏହି ଘର ପାଇଁ ସରକାରଙ୍କୁ ଭଡ଼ା ଦେଉଛନ୍ତି । ଘରେ ବହୁ ସଂଖ୍ୟାରେ ବଡ଼ ବଡ଼ ସାମଗ୍ରୀ ଥିବାରୁ ସେଗୁଡ଼ିକ ଖାଲି କରିବା ପାଇଁ ସମୟ ଦରକାର । ଏପରିକି ଅନୁଭବ ବିନା କୌଣସି ସୂଚନାରେ ଏହି କ୍ୱାର୍ଟରକୁ ଦେଖିବାକୁ ଚାହୁଁଥିଲେ । କିନ୍ତୁ କୌଣସି ପୂର୍ବନିର୍ଦ୍ଧାରିତ ସୂଚନା ନଦେଇଥିବାରୁ ସିକ୍ୟୁରିଟି ଗାର୍ଡ ତାଙ୍କୁ ଗେଟ୍‌ ପାଖରେ ଅଟକାଇଥିଲେ । ଏହାପରେ ଅନୁଭବ ବୈଜୟନ୍ତଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ର୍ଦୁବ୍ୟହାର କରିଥିବା ପାଲଟା ଅଭିଯୋଗ କରିଛନ୍ତି ବୈଜୟନ୍ତ ।

୨ମାସ ପୂର୍ବରୁ କେନ୍ଦ୍ରାପଡା ଲୋକସଭା ପାଇଁ ଏହି ୨ନେତାଙ୍କ ଭିତରେ ବାକ ଯୁଦ୍ଧ ଚାଲିଥିଲା । ଆଉ ଏବେ ପୁଣି ୨ନେତାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ଆଉ ଏହାର କାରଣ ହେଉଛି ଦିଲ୍ଲୀର ମହାଦେବ ରୋଡସ୍ଥ୍‌ିତ ଏହି ସରକାରୀ କ୍ୱାଟର । ଗୁରୁୁବାର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏହି ଘର ଭିତରକୁ ଯାଇ ଦେଖିବାକୁ ଚାହିଁଥିଲେ ମଧ୍ୟ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ । ଏହା ପରେ ଟୁଇଟ କରି ଅନୁଭବ କହିଥିଲେ ହାଉସ ଆବଂଟନ କରୁଥିବା ଲୋକସଭାର ହାଉସ କମିଟି ତାଙ୍କୁ ଘର ଦେଖିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ ସୁରକ୍ଷା କର୍ମୀ ଅନୁଭବଙ୍କୁ ଅଟକାଇଥିଲେ । ଆଉ ଘର ଆଗରେ ନିଜର ଏକ ଫଟୋ ଉଠାଇ ଟୁଇଟ କରିଥିଲେ ।

ଅନ୍ୟପଟେ ୧୩ମାସ ପୂର୍ବରୁ ଲୋକସଭାରୁ ଇସ୍ତଫା ଦେବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏହି ସରକାରୀ ଘର ଛାଡ଼ି ଦେବା କଥା । କିନ୍ତୁ ଗତ ୨୦ବର୍ଷ ଧରି ଏହି ଘରେ ରହି ଆସୁଥିଲେ ବୈଜୟନ୍ତ ପଣ୍ଡା । ତେଣୁ ଘର ପ୍ରତି ମୋହ ଛାଡିବା ବୈଜୟନ୍ତଙ୍କ ପାଇଁ କଷ୍ଟକର ହୋଇପାରେ । ଏପଟେ ଅଭିନେତାରୁ ନୂଆ ନୂଆ ନେତା ବନିଥିବା ଅନୁଭବ ମଧ୍ୟ ଏହି ଘର ପାଇଁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ଦିଲ୍ଲୀ ମହାଦେବ ରୋଡସ୍ଥିତ ଏହି ଘର ପାଇଁ ଲୋକସଭା ହାଉସ କମିଟିରେ ଆବେଦନ କରିଛନ୍ତି ଅନୁଭବ । ଘର ଦେଖିବା ପାଇଁ ହାଉସ କମିଟି ଅନୁମତି ଦେଇଛି । କିନ୍ତୁ ଅନୁଭବଙ୍କୁ ଘରେ ପୁରାଇ ନଦେବା ପରେ ବିବାଦ ଆରମ୍ଭ ହୋଇଛି । ଏହି ବିବାଦରେ ପୂର୍ଣ୍ଣଛେଦ କେବେ ପଡ଼ିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର