ଶୀତ ଅଧିବେଶନ ପାଇଁ ପ୍ରସ୍ତୁତି; ଅଫିସର ଓ ଗଣମାଧ୍ୟମ ପ୍ରତିନିଧିଙ୍କର ବି ନମୁନା ପରୀକ୍ଷା ହେବ
ନଭେମ୍ବର ୧୭, ୧୮, ୧୯ରେ ପରୀକ୍ଷା ପାଇଁ ନିଷ୍ପତ୍ତି, ପ୍ରତିଷେଧକ କିଟ୍ ଦିଆଯିବ
ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା ସଚିବାଳୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ ଅଧିକାରୀମାନଙ୍କ କୋଭିଡ୍ ପରୀକ୍ଷା କରାଯିବ। ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ଏ ସଂକ୍ରାନ୍ତ ବୈଠକରେ ନିଷ୍ପତ୍ତି ହୋଇଛି। ମୌସୁମୀ ଅଧିବେଶନରେ ଯେପରି ସାମାଜିକ ଦୂରତା ରକ୍ଷା କରାଯାଇ ଅଧିବେଶନ ଅନୁଷ୍ଠିତ ହୋଇଥିଲା ସେହିପରି ସମାନ ନିୟମ ଅନୁପାଳନ ପୂର୍ବକ ଏହି ଅଧିବେଶନ ଅନୁଷ୍ଠିତ ହେବ। ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଅଧିବେଶନ ପାଇଁ ବିଧାନସଭା ହଲ୍କୁ ସାନିଟାଇଜ୍ କରାଯିବା ସହ ବିଧାୟକମାନଙ୍କ ସାମାଜିକ ଦୂରତା ରକ୍ଷା ପାଇଁ ସ୍ବତନ୍ତ୍ର ଭାବେ ଆସନ ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି।
ବୈଠକ ପରେ ଏ ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି, ଆସନ୍ତା ୧୭, ୧୮ ଓ ୧୯ ତାରିଖ ୩ ଦିନ ଧରି ବିଧାନସଭା ପରିସରରେ ସ୍ବତନ୍ତ୍ର କ୍ୟାମ୍ପ୍ କରାଯାଇ ଆର୍.ଟି.ପି.ସି.ଆର୍ ଟେଷ୍ଟ ହେବ। ନମୁନା ସଂଗ୍ରହକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ବିଧାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଅଲଗା ଅଲଗା କ୍ୟାବିନ୍ ବ୍ୟବସ୍ଥା କରାଯିବ। ବିଧାନସଭା ହଲ୍ ଓ ତତ୍ସଂଲଗ୍ନ ପରିସରକୁ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରତ୍ୟହ ସାନିଟାଇଜ୍ କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ଯାଇ ବିଧାନସଭା ପରିସରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ବିଧାନସଭା ଅଧିବେଶନ କାଳରେ ଯଦି କୌଣସି ବିଧାୟକ କିମ୍ବା କର୍ମଚାରୀଙ୍କ କରୋନା ଲକ୍ଷଣ ପ୍ରକାଶ ପାଏ, ତେବେ ତାଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଏହାସହିତ ଅଧିବେଶନ କାଳରେ ଯେଉଁ ସରକାରୀ ପଦାଧିକାରୀ ବିଧାନସଭାରେ ପ୍ରବେଶ କରିବେ, ସେମାନଙ୍କର ମଧ୍ୟ ଆର୍.ଟି.ପି.ସି.ଆର୍ ଟେଷ୍ଟ କରାଯିବ। ସମସ୍ତ ବିଧାୟକ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କରୋନା ପ୍ରତିଷେଧକ କିଟ୍ ପ୍ରଦାନ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍ ଗାଇଡଲାଇନ୍ ଶତ ପ୍ରତିଶତ ପାଳନ କରିବାକୁ ବୈଠକରେ ସ୍ଥିର କରାଯାଇଛି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଭୁବନେଶ୍ବର ମୁନିସିପାଲଟି କର୍ପୋରେସନ୍ କମିସନର ପ୍ରେମଚନ୍ଦ୍ର ଚୌଧୁରୀ, ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ଶାସନ ସଚିବ ଶିବାନନ୍ଦ ମହାପାତ୍ର, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।