ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ବର ସମେତ ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ଜିଲ୍ଲାରେ କ୍ରମେ ନିୟନ୍ତ୍ରଣ ବାହାରକୁ ଯିବାକୁ ଆରମ୍ଭ କରୁଥିବା କରୋନା ସଂକ୍ରମଣକୁ କାବୁକୁ ଆଣିବା ପାଇଁ ଏହିସବୁ ଜିଲ୍ଲାରେ ଆଜି ରାତି ୯ଟାରୁ ଆଉ ଥରେ ଲକ୍ଡାଉନ୍ ଆରମ୍ଭ ହୋଇଛି। କରୋନା ସଂକ୍ରମଣର ଧାରାକୁ ଭାଙ୍ଗିବା ସହ ଏହି ସବୁ ଜିଲ୍ଲାରେ ସର୍ଭେଲାନ୍ସ, ଟ୍ରାକିଂ, ଟ୍ରେସିଂ ଓ ଟଷ୍ଟିଂକୁ ପ୍ରଶାସନ ପକ୍ଷରୁ ବ୍ୟାପକ କରାଯିବ। ରାଉରକେଲା ମହାନଗର ନିଗମ ଅଞ୍ଚଳ ପାଇଁ ମଧ୍ୟ ଏହି ଲକ୍ଡାଉନ୍ ନିଷ୍ପତ୍ତି ଲାଗୁ ହେବ। ଲକଡାଉନ କାଳରେ ଅତ୍ୟାବଶ୍ୟକ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ। ଏହି ଲକ୍ଡାଉନ ବା ତାଲାବନ୍ଦ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ସବୁଠାରୁ ବଡ଼ କଥା ହେଲା, ଏହି ଲକଡାଉନ କାଳରେ ଭୁବନେଶ୍ବର ଓ କଟକ ସହରକୁ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି। ତେବେ, ଏହି ଲକ୍ଡାଉନ୍ ସମୟରେ ଲୋକଙ୍କ ଯିବାଆସିବା ଉପରେ କଟକଣା କଡ଼ାକଡ଼ି କରାଯିବ। ଖାଦ୍ୟ, ତେଜରାତି, ପନିପରିବା, ଅଣ୍ଡା, ମାଛ, ମାଂସ ଇତ୍ୟାଦି ଅତ୍ୟାବଶ୍ୟକ ସାମଗ୍ରୀ ହୋମ ଡେଲିଭରି କରୁଥିବା ସଂସ୍ଥା ଯେପରି ଜୋମାଟୋ, ସ୍ବିଗି, ଓପୋଲଫେଡ୍, ଓମ୍ଫେଡ୍, ଚିଲିକା ଫ୍ରେସ୍ ଦୋକାନ ନିର୍ଦ୍ଧାରିତ ସମୟ ଅବଧି ଭିତରେ ଖୋଲା ରହିବ। ସେହିପରି ଖାଦ୍ୟ ପ୍ରସ୍ତୁତ କରି ପାର୍ସଲ ଦେବା ପାଇଁ ଏହି ସମୟ ଭିତରେ ରେସ୍ତୋରାଁ ମଧ୍ୟ ଖୋଲା ରହିବ।
ଅନ୍ୟପଟେ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଅଫିସ୍ ଓ ଅନ୍ୟ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ଏସବୁ ସ୍ଥାନକୁ ଲୋକଙ୍କୁ ଯିବାଆସିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। କିନ୍ତୁ, ପ୍ରତିରକ୍ଷା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ, ଟ୍ରେଜେରି, ଦରମା ଓ ଆକାଉଣ୍ଟ୍ ଅଫିସ୍, ଆର୍ଥିକ ପ୍ରତିଷ୍ଠାନ ଓ ସିଏଜିର କ୍ଷେତ୍ରୀୟ ସ୍ତରୀୟ ଅଫିସ୍ଗୁଡ଼ିକ ଅତି କମ୍ କର୍ମଚାରୀମାନଙ୍କୁ ନେଇ କାର୍ଯ୍ୟ କରିବେ। ସେହିପରି କେନ୍ଦ୍ର ସରକାରଙ୍କ ଅତି ଜରୁରୀ ସେବା, ପୋଷ୍ଟ ଅଫିସ୍, ଟେଲିକମ୍ ସେବା, ଏନ୍ଆଇସି, ଆଇଏମ୍ଡିର ଇଡବ୍ଲ୍ୟୁଏ, ବନ୍ଦର, ବିମାନବନ୍ଦର, ସୀମାରେ ଥିବା ଉତ୍ପାଦ ଶୁଳ୍କ ଓ ଜିଏସ୍ଟିଏନ୍, ଏମ୍ସିଏ ଅଫିସ୍ ସର୍ବନିମ୍ନ କର୍ମଚାରୀରେ ଖୋଲାରହିବ। ରିଜର୍ଭ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ବାରା ପରିଚାଳିତ ଆର୍ଥିକ ବଜାର, ଏନ୍ପିସିଆଇ, ସିସିଆଏଲ୍, ଏଟିଏମ୍, କ୍ଲିୟରିଂ ହାଉସ୍, ଟଙ୍କା ପଇଠ ଏଜେନ୍ସି ଓ ନିର୍ଦ୍ଦିଷ୍ଟ ସାମଗ୍ରୀର ଏକୁଟିଆ ଡିଲର୍ ଥିବା ଦୋକାନସବୁ ଖୋଲା ରଖିବାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ତେବେ ଲକଡାଉନ ବେଳେ ଖୋଲା ରହିବ ବ୍ୟାଙ୍କ | କିନ୍ତୁ ବ୍ୟାଙ୍କଗୁଡ଼ିକ ୨୫ ପ୍ରତିଶତ କର୍ମଚାରୀ ନେଇ କାର୍ଯ୍ୟ କରିବେ |
ଏହି ୧୪ ଦିନିଆ ଲକ୍ଡାଉନ୍ରେ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ, ରାଜ୍ୟ ଜରୁରୀ ସେବା ଅଫିସ୍, ଜିଲ୍ଲା ପୌରାଞ୍ଚଳ, ପୁଲିସ୍, ଅଗ୍ନିଶମ ଓ ଜରୁରୀ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ କାର୍ଯ୍ୟ କରିବେ। ସେହିପରି ସରକାର ଓ ଘରୋଇ ସମସ୍ତ ଔଷଧ ଦୋକାନ, ସରକାରୀ ଡାକ୍ତରଖାନା, ଘରୋଇ ହସ୍ପିଟାଲ୍, କ୍ଲିନିକ୍ସ୍, ନର୍ସିଂ ହୋମ୍, ମେଡିସିନ୍ ଷ୍ଟୋର୍, ଆମ୍ବୁଲାନ୍ସ୍ ସେବାଗୁଡ଼ିକ ଚାଲୁ ରହିବ। ଡାକ୍ତରଙ୍କ ସମେତ ସମସ୍ତ ମେଡିକାଲ୍ କର୍ମଚାରୀ, ପାରାମେଡିକାଲ୍ କର୍ମଚାରୀ ବି ପୂର୍ବପରି ସ୍ବାସ୍ଥ୍ୟ ସେବାରେ ନିୟୋଜିତ ରହିବେ। ଜଳ ଯୋଗାଣ, ସାନିଟେସନ୍ ଓ ସ୍ବରେଜ୍ ସେବା ଜାରି ରହିବ। ଶକ୍ତି ଉତ୍ପାଦନ, ପରିବହନ ଓ ବଣ୍ଟନ କାର୍ଯ୍ୟ ଅବ୍ୟାହତ ରହିବ। ଲକ୍ଡାଉନ୍ ସମୟରେ ବିମାନ ସେବା, ଜାହାଜ ଓ ରେଳ ଚଳାଚଳ, ବିମାନସେବା ପ୍ରଦାନକାରୀ କମ୍ପାନି, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍ଗୁଡ଼ିକ ଚାଲୁ ରହିବ। ସଡ଼କ ପଥରେ ଜିନିଷ ପତ୍ର ଓ ଜାତୀୟ ରାଜପଥରେ ସାମଗ୍ରୀ ପରିବହନ ପୂର୍ବପରି ଜାରି ରହିବା ସାଧାରଣ ପରିବହନ ସେବା କ୍ଷେତ୍ରରେ ସରକାର ଓ ଘରୋଇ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ କେବଳ ବିମାନବନ୍ଦର, ରେଳ ଷ୍ଟେସନ୍ ଓ ବସ୍ ଟର୍ମିନାଲ୍, ଷ୍ଟାଣ୍ଡସ୍, ବସ୍ ରହିଣି ସ୍ଥଳରୁ କେବଳ ଯାତ୍ରୀମାନଙ୍କୁ ନବା ଆଣିବା କରିପାରିବେ। ଓଲା୍ ଓ ଉବେର ଗାଡ଼ିଗୁଡ଼ିକ ଚଳାଚଳ କରିପାରିବେ। ଯଦିଓ ଭୁବନେଶ୍ବର-କଟକରେ ମୋ ବସ ସେବା ବନ୍ଦ ରହିବ କିନ୍ତୁ ବିମାନ ବନ୍ଦର, ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ସିଟିବସ ସେବା ଜାରି ରହିବ।
/sambad/media/post_attachments/wp-content/uploads/2020/06/coronavirsu-lockdown-in-west-bengal-1.jpg)
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ପୁଲିସ୍ କମିସନର ଓ ଜିଲ୍ଲା ପୁଲିସ୍ ଚିହ୍ନଟ କରିଥିବା ମୁଦ୍ରିତ, ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ସେମାନଙ୍କ ସେବା ପ୍ରଦାନ କରିପାରିବେ। ବାହାଘର, ଅନ୍ତେଷ୍ଟିକ୍ରିୟା ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡ଼ିବ। ତାଲାବନ୍ଦ କଟକଣା କେବଳ ଲୋକଙ୍କ ଗମନାଗମନ ଉପରେ ଲାଗୁ ହେବ। କୌଣସି ବି ପରିସ୍ଥିତିରେ ଏହା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଉପରେ ଲାଗୁ ହେବ ନାହିଁ ବୋଲି ସରକାର ଜାରି କରିଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଦେଇଛନ୍ତି।
କରୋନା ସଂକ୍ରମଣ ରୋକିବାକୁ ତାଲାବନ୍ଦ ନିୟମକୁ କଡ଼ାକଡ଼ି ପାଳନ କରାଯିବ। ଏଥିପାଇଁ ପୁଲିସ୍ କମିସନର, ଜିଲ୍ଲାପାଳ, ଏଡିଏମ୍, ଡିସିପି, ଉପଜିଲ୍ଲାପାଳ, ତହସିଲଦାର, ବିଡିଓ, ମୁନିସିପାଲ୍ କମିସନର ଓ କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରାଞ୍ଚଳ ଅଧିକାରୀମାନେ ସାମାଜିକ ଦୂରତା ଓ କରୋନା ସଂକ୍ରାନ୍ତ ସତର୍କତା ଅନୁପାଳନ ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରିବେ। ନିୟମ ଅନୁପାଳନରେ ବ୍ୟତିକ୍ରମ ହେଲେ କିମ୍ବା କୌଣସି ବ୍ୟକ୍ତି ଏହାର ଉଲଂଘନ କଲେ ମହାମାରୀ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଆଜି ଅପରାହ୍ନରେ ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ସ୍ପଷ୍ଟ କରି ଦେଇଛନ୍ତି।