ପୁଣି ମହାନଦୀ ରାଜନୀତି

ଭୁବନେଶ୍ୱର : କିଛି ଦିନର ନିରବତା ପରେ ରାଜ୍ୟ ରାଜନୀତିରେ ପୁଣି ‘ମହାନଦୀ’ ଏକ ବଡ଼ ପ୍ରସଙ୍ଗ ପାଲଟିଛି। ଖୋଦ୍‌ କେନ୍ଦ୍ର ସରକାର ଏ ନେଇ ଖୋରାକ ଯୋଗାଇଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମହାନଦୀ ଟ୍ରିବ୍ୟୁନାଲ୍‌ ଗଠନ ନ କରି କେନ୍ଦ୍ର ସରକାର ଏହି ପ୍ରସଙ୍ଗଟିକୁ ଅଧିକ ଜଟିଳ କରିଦେଇଛନ୍ତି। ଆଜି ବିଜେଡି କେନ୍ଦ୍ର ସରକାରଙ୍କୁ ବିଶ୍ୱାସଘାତକ ଆଖ୍ୟା ଦେଇ ଆନ୍ଦୋଳନ ତୀବ୍ର କରିବ ବୋଲି ଚେତାବନୀ ଦେଇଛି। ବିଜେପି ଏହି ପ୍ରସଙ୍ଗରେ ରକ୍ଷଣାତ୍ମକ ମୁଦ୍ରାରେ ରହିଛି। ଦଳୀୟ ନେତାମାନେ ଏହି ପ୍ରସଙ୍ଗରେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନଭେମ୍ବର ୧୯ ତାରିଖ ପୂର୍ବରୁ ମହାନଦୀ ଟ୍ରିବ୍ୟୁନାଲ୍‌ ଗଠନ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଅବଗତ କରାଇଥିଲେ ବି ତାହାକୁ କାର୍ଯ୍ୟକାରୀ କଲେ ନାହିଁ। ଏ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିଲେ ବି କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟର ମନ୍ତ୍ରୀ କିମ୍ବା ଅଧିକାରୀ ପାଟି ଫିଟାଉ ନାହାନ୍ତି। ଫଳରେ କେନ୍ଦ୍ରର ଯୋଜନା ନେଇ ସମସ୍ତେ ଅନ୍ଧାରରେ ରହୁଛନ୍ତି।

ବିଜେଡି ଏହି ସୁଯୋଗକୁ ହାତଛଡ଼ା କରିବାକୁ ଆଦୌ ଚାହୁଁ ନାହିଁ। ଦଳର ଉପସଭାପତି ତଥା ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଦେଇଥିବା ପ୍ରତିଶ୍ରୁତିର ଉଲ୍ଲଂଘନ କରିଛନ୍ତି। ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରଘାତ କରିଛନ୍ତି। କେନ୍ଦ୍ର ସରକାର ଦାୟିତ୍ୱସମ୍ପନ୍ନ ଭୂମିକା ଗ୍ରହଣ ନ କରି ସମ୍ପୂର୍ଣ୍ଣ ଭାବେ ଦଳୀୟ ଦୃଷ୍ଟିକୋଣ ଓ ରାଜନୈତିକ ସ୍ୱାର୍ଥକୁ ଆଖିରେ ରଖି ଆଚରଣ ପ୍ରଦର୍ଶନ କରୁଛନ୍ତି। ଛତିଶଗଡ଼ର ମନମୁଖୀ ଓ ବେଆଇନ୍‌ କାର୍ଯ୍ୟକୁ ପ୍ରତିହତ କରିବା ବଦଳରେ ଦଳୀୟ ଦୃଷ୍ଟିକୋଣରୁ ବିଚାର କରି ଛତିଶଗଡ଼ ସରକାରଙ୍କ ଓଡ଼ିଶା ରାଜ୍ୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟକୁ ବାରମ୍ବାର ସମର୍ଥନ ଜଣାଉଛନ୍ତି। ସଂଘୀୟ ବ୍ୟବସ୍ଥାର କେନ୍ଦ୍ର ସରକାର ରକ୍ଷକ ହେବା ପରିବର୍ତ୍ତେ ଭକ୍ଷକ ସାଜିଛନ୍ତି। ଏହା ଦ୍ୱାରା କେବଳ ଓଡ଼ିଶାର ନୁହେଁ, ସମଗ୍ର ରାଷ୍ଟ୍ରର ସେ କ୍ଷତି କରୁଛନ୍ତି। ଓଡ଼ିଶାର ଲୋକଙ୍କ ଜୀବନ ଜୀବିକାର ସମସ୍ୟା, ଭାଗ୍ୟ, ଭବିଷ୍ୟତ ଏଥିରେ ଯୋଡ଼ି ହୋଇଥିବାରୁ ମହାନଦୀକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ। ଏଥି ପାଇଁ ବିଜେଡିର ସଂଗ୍ରାମ ଚାଲିଛି ଓ ଆଗକୁ ଏହା ଆହୁରି ଜୋର୍‌ଦାର୍‌ ହେବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଅପର ପକ୍ଷରେ ବିଜେପି ଏହି ଘଟଣାରେ ମାପିଚୁପି ମନ୍ତବ୍ୟ ଦେବାକୁ ଉଚିତ ମଣୁଛି। ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ଓଡ଼ିଶାର ଦାବି ନେଇ କେନ୍ଦ୍ର ସରକାର ସଚେତନ ଅଛନ୍ତି। ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ପ୍ରକ୍ରିୟା ଜାରି ରହିଛି। କେନ୍ଦ୍ର ସରକାର ସବୁବେଳେ ଆପୋସ ବୁଝାମଣା କଥା କହୁଛନ୍ତି। ଗଣତନ୍ତ୍ରରେ ଏହା ହେବା କଥା। କିନ୍ତୁ ରାଜ୍ୟ ସରକାର ତାହା ଗ୍ରହଣ କରୁ ନାହାନ୍ତି। ଗତକାଲି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ଓଡ଼ିଶା ଆସିଥିଲା ବେଳେ ମଧ୍ୟ ସମାନ କଥା କହିଥିଲେ। ଟ୍ରିବ୍ୟୁନାଲ୍‌ ଗଠନ ବିଜ୍ଞପ୍ତି ପ୍ରକ୍ରିୟାରେ କେନ୍ଦ୍ର ଆଇନ୍‌ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛନ୍ତି। ରାଜ୍ୟ ସରକାର ଚାହିଁଥିଲେ ଗତକାଲି ଏଠାରେ ଆଇନ୍‌ ମନ୍ତ୍ରୀଙ୍କ ସହ ଆଲୋଚନା କରିପାରିଥା’ନ୍ତେ। କିନ୍ତୁ ତାହା କଲେ ନାହିଁ। ଏ ସରକାର କେବଳ ଦୋଷ ଦେବାକୁ ଭଲ ପା’ନ୍ତି। ଠିକ୍‌ ସମୟରେ କେବେ ପଦକ୍ଷେପ ନିଅନ୍ତି ନାହିଁ।

ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗଣ ସତ୍ୟାଗ୍ରହ

ମହାନଦୀ ଟ୍ରିବ୍ୟୁନାଲ ଗଠନ ଦାବି

ଭୁବନେଶ୍ୱର : ମହାନଦୀ ଟ୍ରିବ୍ୟୁନାଲ୍‌ ଗଠନ ନ ହେବା ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଠାରୁ ଲୋୟର ପିଏମ୍‌ଜିରେ ଗଣ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଏଥିରେ ବିଭିନ୍ନ ଦଳର ନେତୃବୃନ୍ଦ ଯୋଗ ଦେଇ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ଦାବି କରିଛନ୍ତି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ କହିଲେ, କେନ୍ଦ୍ରରେ ଶାସନ କରୁଥିବା ସରକାର କୌଣସି ଦଳର ନ ହୋଇ ନିରପେକ୍ଷ ଭାବେ ସବୁ ରାଜ୍ୟର ଦାବିକୁ ସମ୍ମାନ ଦେବା ଉଚିତ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ, ଆଜିର ଏହି ସମସ୍ୟା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ। ଓଡ଼ିଶା ଜନସାଧାରଣ ସଂକଳ୍ପବଦ୍ଧ ହୋଇ ସଂଗଠନ ପକ୍ଷରୁ ଦିଆଯାଇଥିବା ଡାକରାକୁ ନିରପେକ୍ଷ ଭାବେ ଗ୍ରହଣ କରି ଜବାବ ଦିଅନ୍ତୁ। ପୂର୍ବତନ ବିଧାୟକ ରଧାକାନ୍ତ ସେଠୀ କହିଲେ, ପୁଞ୍ଜିପତିଙ୍କୁ ପାଣି ବିକ୍ରି କରିବାର ଚକ୍ରାନ୍ତରୁ ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାର ବିରତ ରହିବା ଦରକାର। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସିପିଆଇ ରାଜ୍ୟ ସଂପାଦକ ଦିବାକର ନାୟକ, ସିପିଆଇ(ଏମ୍‌) ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ସତ୍ୟାଗ୍ରହରେ ବାସୁଦେବ ଭଟ୍ଟ, ଲଳିତ ମୋହନ ପଟ୍ଟନାୟକ, ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ, ପରେଶ ଜାଲି, ମନୋଜ ଜେନା, ଅଶୋକ ପାଇକରାୟ, ଅକ୍ଷୟ ଜେନା, ଅଜୟ ସେଠୀ, ଶଙ୍କର ପରିଡ଼ା, ବିଜୟ ନାୟକ, ପ୍ରଦୀପ ମହାପାତ୍ର, ସତ୍ୟ ନାୟକ, ଆଶିଷ ମିଶ୍ର, ଆଦ୍ୟପ୍ରାଣ ସୁବୁଦ୍ଧି ଓ କିଶୋର ଦ୍ୱିବେଦୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର