ପୁଣି ଆଦିବାସୀ ଅଞ୍ଚଳରେ ଜନନୀ ଯନ୍ତ୍ରଣା : ଡାକ୍ତର ଦେଖିଲେନି, ଆଖି ବୁଜିଲେ ପ୍ରସୂତି ଓ ନବଜାତ

ପାରଳାଖେମୁଣ୍ତି/ରାୟଗଡ଼ : ଆଦିବାସୀ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଅନ୍ତ ନାହିଁ। ପୁଣି ଜଣେ ପ୍ରସୂତି ଦୀର୍ଘ ଘଣ୍ଟା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଲେ। ଡାକ୍ତର ଦେଖିଲେନି। ଶେଷରେ ପ୍ରସୂତି ଆଖି ବୁଜିଦେଲେ। ଦୁନିଆ ଦେଖିବା ପୂର୍ବରୁ ନବଜାତ ଶିଶୁଟି ପ୍ରାଣ ହରାଇଛି। ଏଭଳି ଦୁଃଖଦ ଘଟଣା ଗଜପତି ଜିଲ୍ଲା ରାୟଗଡ଼ କଇଁପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଦୁଃଖଦ ଘଟଣା ପାଇଁ ମୃତ ପ୍ରସୂତିଙ୍କ ଭାଇ ରାଜ୍ୟ ସରକାରଙ୍କ ମମତା ଯୋଜନାକୁ ଦାୟୀ କରିଛନ୍ତି। ମମତା ଯୋଜନା ଉପରେ ଭରସା କରିବା ଭୁଲ୍ ଥିଲା, ସଠିକ୍ ସମୟରେ ଡାକ୍ତର ପରାମର୍ଶ ଓ ଚିକିତ୍ସା ମିଳିଥିଲେ ତାଙ୍କ ଭଉଣୀର କିଛି ହୋଇ ନଥାନ୍ତା ବୋଲି କୋହଭରା କଣ୍ଠରେ ସେ ପ୍ରକାଶ କରିଛନ୍ତି।
ସୂଚନା ପ୍ରକାରେ କଇଁପୁର ପଞ୍ଚାୟତ ତୁମ୍ବ ଗ୍ରାମର ହୃଷିକେଶ ଗମାଙ୍ଗଙ୍କ ଭଉଣୀ ଗାୟତ୍ରୀ ଶବର ଗର୍ଭବତୀ ଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ହୃଷିକେଶ ଭଉଣୀଙ୍କୁ ଧରି ରାୟଗଡ଼ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରସବ କରାଇବା ପାଇଁ ମନା କରିବା ସହ ଆମ୍ବୁଲାନ୍ସ୍ ଡାକି ଗାୟତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଇଥିଲେ। ହେଲେ ମୁଖ୍ୟ ଚିକିତ୍ସାଳୟରେ ଗାୟତ୍ରୀ ରାତି ତମାମ୍‌ ପ୍ରବଳ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ ଜଣେ ହେଲେ ବି ଡାକ୍ତର ଦେଖିବାକୁ ଆସି ନଥିଲେ। ଅନେକ ବିଳମ୍ବରେ ରାତି ଡ୍ୟୁଟିରେ ଥିବା ଡାକ୍ତର ଥରେ ଆସି ସାମାନ୍ୟ ଦେଖି ସକାଳୁ ଦେଖିବା କହି ଚାଲି ଯାଇଥିଲେ। ଅନ୍ୟପକ୍ଷରେ ଗାୟତ୍ରୀଙ୍କ ପ୍ରସବ ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା। ଏହା ସହ ତାଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଥିଲା। ଶେଷରେ ହୃଷିକେଶ ଭଉଣୀକୁ ଧରି ଆଜି ସକାଳୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଆଣିଥିଲେ। ହେଲେ ସେଠାରେ ସେ ମୃତ୍ୟୁ ବରଣ କରିଥିଲେ।
ଗାୟତ୍ରୀଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିବା‌ ବେଳେ ସରକାରଙ୍କ ମମତା ଯୋଜନା ତଥା ମାଗଣା ଚିକିତ୍ସାକୁ ଭରସା ନକରି ସେ ଯଦି କୌଣସି ବେସରକାରୀ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତେ ତେବେ ଏମିତି ଅବସ୍ଥା ହୋଇ ନଥାନ୍ତା। ଏହା ସହ ଏଭଳି ଦୁଃଖଦ ଘଟଣା କାହା ସହ ନଘଟୁ ଏବଂ ସରକାର ଗରିବ ଲୋକଙ୍କ ଜୀବନ ସହ ଏମିତି ନଖେଳନ୍ତୁ ବୋଲି ହୃଷିକେଶ ପ୍ରକାଶ କରିଛନ୍ତି। ଏହା ସହ ସିଡିଏମଓ ଏହି ଅବହେଳାର ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖି ଜଣାଇବେ ବୋଲି କହିଛନ୍ତି।
ସମ୍ବନ୍ଧିତ ଖବର