ରାଜଧାନୀରେ ପୁଣି ହତ୍ୟା: ବିଚ୍‌ ରାସ୍ତାରେ ଗୋଡ଼େଇ ଗୋଡ଼େଇ ଆକ୍ରମଣ

‌ପ୍ରେସ୍‌ ଛକରେ ଆତଙ୍କ, ଜଣେ ଅଟକ; ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତା ଅବରୋଧ

ଭୁବନେଶ୍ୱର : କମେଣ୍ଟମରା ଭଳି ସାଧାରଣ କଥାକୁ କେନ୍ଦ୍ର କରି ଶନିବାର ରାଜଧାନୀରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ବଲିଉଡ୍‌ ଚଳଚ୍ଚିତ୍ରର କୌଣସି ଆପରାଧିକ ଦୃଶ୍ୟ ଭଳି ଦୁର୍ବୃତ୍ତମାନେ ବିଚ୍‌ ରାସ୍ତା‌ରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋ‌ଡ଼ାଇ ଛୁରି ଭୁସି ହତ୍ୟା କରିଛନ୍ତି। ମୃତକ ହେଲେ, ଗାଡ଼କଣର ନିରଂଜନ ପରିଡ଼ା ଓରଫ ଚିଣ୍ଟୁ (୧୯)। ସେହିପରି ଏହି ଘଟଣାରେ ଚିଣ୍ଟୁଙ୍କ ଅନ୍ୟ ୩ ସାଙ୍ଗ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସହିଦନଗର ଥାନା ପୁଲିସ ଚିଣ୍ଟୁଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଏକ ମାମଲା କରି ତଦନ୍ତ ଆରମ୍ଭ କରିଛି। ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ଗଜପତି ନଗରସ୍ଥିତ ପ୍ରେସ୍‌ ଛକ ନିକଟରେ ଘଟିଥିବା ଏହି ହତ୍ୟାକାଣ୍ଡ ରାଜଧାନୀ‌ରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ସାଧାରଣ ଲୋକଙ୍କ ପାଇଁ ରାଜଧାନୀ ଯେ ସୁରକ୍ଷିତ ନୁହେଁ, ତାହା ପୁଣିଥରେ ଅପରାଧୀମାନେ ପ୍ରମାଣିତ କରି ଦେଇଛନ୍ତି। ଅପରପକ୍ଷେ, ନୂଆବର୍ଷର ପ୍ରଥମ ମାସ‌ରେ ରାଜଧାନୀ ଆଉ ଏକ ହତ୍ୟାକାଣ୍ଡର ଅପବାଦ ମୁଣ୍ଡାଇଛି। ୧୫ଦିନ ଭିତରେ ରାଜଧାନୀରେ ଏହା ଦ୍ବିତୀୟ ହତ୍ୟାକାଣ୍ଡ।

ନିରଂଜନ ପରିଡ଼ା (ଫାଇଲ୍‌ ‌ଫଟୋ)

ଶନିବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ୩ସାଙ୍ଗ ଗାଡ଼କଣ ବିଶାଲ ପାତ୍ର, ବିବେକ ପାତ୍ର ଓ ଶ୍ରୀତନୁ ମିଶ୍ରଙ୍କ ସହ ଚିଣ୍ଟୁ ମୋମୋ ଖାଇବା ପାଇଁ ପ୍ରେସ୍ ଛକ ନିକଟକୁ ଯାଇଥିଲେ। ମୋମୋ ଖାଇବା ସମୟରେ ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ନୂଆପଲ୍ଲୀର କିଛି ଯୁବକ, ଯୁବତୀଙ୍କୁ ସେମାନେ କମେଣ୍ଟ କରିଥିଲେ। ଏହାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେବାରୁ ସେମାନେ ହାତାହାତି ହୋଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ନୂଆପଲ୍ଲୀ ଗୋଷ୍ଠୀର ଯୁବକମାନେ ନିକଟରେ ରଖିଥିବା ଗାଡ଼ିରୁ ଛୁରି ଓ ଅନ୍ୟାନ୍ୟ ମାରଣାସ୍ତ୍ର ବାହାର କରି ଚିଣ୍ଟୁ ଓ ତାଙ୍କ ସାଙ୍ଗମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପୂରା ସିନେମା ଷ୍ଟାଇଲରେ ସେମାନେ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ଚିଣ୍ଟୁ ଓ ତାଙ୍କ ସାଙ୍ଗମାନଙ୍କୁ ଛୁରି ଭୁସି ଚାଲିଥିଲେ। ଆକ୍ରମଣକାରୀଙ୍କ ଏମିତି ରକ୍ତମୁଖା ରୂପ ଦେଖି ପାଖରେ ଥିବା ଦୋକାନୀମାନେ ସେମାନଙ୍କୁ ଅଟକାଇବା ପରିବର୍ତ୍ତେ ପ୍ରାଣବିକଳରେ ଦୋକାନ ଛାଡ଼ି ଦୌଡ଼ି ପଳାଇଥିଲେ। ଚିଣ୍ଟୁ ଓ ତାଙ୍କ ସାଙ୍ଗମାନେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଦୁର୍ବୃତ୍ତମାନେ ବାଇକ୍‌ରେ ସେଠାରୁ ଫେରାର୍‌ ହୋଇଯାଇଥିଲେ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ରେଲ​ୱେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ଚିଣ୍ଟୁଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅନ୍ୟ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ପରିବାରଲୋକ ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଇଥିଲେ। ତେବ‌େ ଏହି ଆପରାଧିକ ଘଟଣା ଘଟିଥିବା ଅଞ୍ଚଳ ସହିଦନଗର ଥାନା ଅଧୀନରେ ଆସୁଥିବାରୁ ସହିଦନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ଜଣେ ସନ୍ଦିଗ୍ଧକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଏହାସହ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତର କାର୍‌ ଜବତ କରିଛି।
ଅପରପକ୍ଷେ ଏହି ହତ୍ୟାକାଣ୍ଡକୁ କେନ୍ଦ୍ର କରି ଆଜି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ ଦାବିର ଚିଣ୍ଟୁର ଗାଁ ଲୋକେ ସନ୍ଧ୍ୟା ସାଢ଼େ ୭ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରେସ୍ ଛକରେ ରାସ୍ତା ଅବରୋଧ କରିଥିଲେ। ସବୁ ହତ୍ୟାକାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି ଅଡ଼ି ବସିଥିଲେ। ପରିସ୍ଥିତି ଅଣାୟତ୍ତ ହେଉଥିବା ଖବର ପାଇ ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଓ ବିକ୍ଷୋଭକାରୀମାନେ ରାସ୍ତାରୁ ହଟିଥିଲେ।

ସମ୍ବନ୍ଧିତ ଖବର