ବୀରମହାରାଜପୁର/ସମ୍ବଲପୁର: ୯ ଦିନ ବିତିନି। ସୁବର୍ଣ୍ଣପୁର ଜିଲ୍ଲାରେ ଆଉ ଜଣଙ୍କର ପୁଲିସ ହେପାଜତରେ ମୃତ୍ୟୁ ଘଟିଛି। ଗତ ୧୯ ତାରିଖରେ ସୋନପୁର ସବ୍ ଜେଲ୍ ହାଜତରେ ଜଣେ ବିଚାରାଧୀନ ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଆଜି ଜିଲ୍ଲାର ବୀରମହାରାଜପୁର ଥାନାରେ ଘଟିଛି ଅଘଟଣ। ଗଣ୍ଡଗୋଳ ଘଟଣାରେ ପୁଲିସ ଧରି ଆଣିଥିବା ଜଣେ ଅଭିଯୁକ୍ତର ମଧ୍ୟ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି। ମୃତକ ହେଲେ ଉଫୁଲା ଗ୍ରାମପଞ୍ଚାୟତ ଟିଠିପାଲି ଗ୍ରାମର ସିଦ୍ଧେଶ୍ୱର ଅମାତଙ୍କ ପୁଅ ଲିଙ୍ଗରାଜ ଅମାତ(୩୬)। ଲିଙ୍ଗରାଜ ଥାନାର ଦୁଇ ମହଲା ଛାତ ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଥିବା ପୁଲିସ କହିଛି। ତେବେ, ଲିଙ୍ଗରାଜଙ୍କ ମୃତ୍ୟୁ ଛାତରୁ ପଡ଼ି ନୁହେଁ ବରଂ ଥାନା ଭିତରେ ତାଙ୍କୁ ପୁଲିସ୍ ପିଟି ପିଟି ମାରି ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ମିଶ୍ର ଙ୍କ କହିବା ଅନୁସାରେ ଆଜି ସକାଳେ ଲିଙ୍ଗରାଜ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ପଶି ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଗାଳିଗୁଲଜ କରିଥିଲେ। ଏ ନେଇ ଅତିରିକ୍ତ ତହସିଲଦାର ଥାନା ଆଇଆଇସି ପ୍ରଭା ଧନ ଙ୍କୁ ଫୋନ କରିଥିଲେ। ପିସିଆର ଭ୍ୟାନ୍ ଦାୟିତ୍ୱରେ ଥିବା ଏଏସଆଇ ଏ. ଆଚାର୍ଯ୍ୟ ତାଙ୍କୁ ଗିରଫ କରି ଥାନାକୁ ଆଣିଥିଲେ। ଥାନାରେ ପୁଣି ଉକ୍ତ ବ୍ୟକ୍ତି ପାଟିତୁଣ୍ଡ କରିବା ସହ ଦିନ ୨ଟା ବେଳେ ସେଣ୍ଟ୍ରି ଡିଉଟି ରେ ଥିବା କନେଷ୍ଟବଲ ଧନପତି ମୁଣ୍ଡା ଙ୍କୁ ଠେଲି ଦେଇ ଛାତ ଉପରକୁ ଉଠିଯାଇ ୨ ମହଲା କୋଠା ଉପରୁ ତଳକୁ ଡେଇଁ ପଡିଥିଲେ। ଥାନା ଏସ୍ଆଇ ଶ୍ରୀ ଦେହୁରୀ ଓ ଅନ୍ୟ କର୍ମଚାରୀ ଗୁରୁତର ଅବସ୍ଥାରେ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଲିଙ୍ଗରାଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବୁର୍ଲା ବଡ ମେଡିକାଲକୁ ପଠାଇ ଦେଇଥିଲେ। ଅପରାହ୍ଣ ୪ଟା ୨୫ ମିନିଟରେ ତାଙ୍କର ବୁର୍ଲା ମେଡିକାଲରେ ମୃତ୍ୟୁ ହୋଇଥିବା ନେଇ ଭିମ୍ସାର ଡାକ୍ତର ଏସ୍.ସି. ଗୁରୁ ରିପୋର୍ଟ ଦେଇଛନ୍ତି।
ମୃତ ଲିଙ୍ଗରାଜଙ୍କ ଦାଦା ହରିଶଙ୍କର ଅମାତଙ୍କ କହିବା ମୁତାବକ, ପ୍ରାୟ ଗୋଟାଏ ବେଳେ ପୁଲିସ୍ ସେମାନଙ୍କ ଘରକୁ ଫୋନ୍ କରି ଲିଙ୍ଗରାଜ ତହସିଲ କାର୍ଯ୍ୟାଳୟରେ ଗଣ୍ଡଗୋଳ କରୁଥିବାରୁ ତାକୁ ଥାନାକୁ ଅଣାଯାଇଛି, ଆସି ନେଇ ଯାଅ ବୋଲି କହିଥିଲା। ପୁନଶ୍ଚ ୨ଟାରେ ପୁଲିସ୍ ଫୋନ୍ କରି ପରିବାର ଲୋକଙ୍କୁ ବୀରମହାରାଜପୁର ମେଡିକାଲକୁ ଡକାଇଥିଲା। ଏମାନେ ବୀରମହାରାଜପୁର ମେଡିକାଲରେ ପହଞ୍ଚିବା ବେଳକୁ ଲିଙ୍ଗରାଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିବା ନେଇ ପୁଲିସ୍ ସୂଚନା ଦେଇଥିଲା। ଏହାପରେ ପରିବାର ଲୋେକ ବୁର୍ଲା ଯାଇଥିଲେ। ସେଠାରେ ଲିଙ୍ଗରାଜଙ୍କ ମୃତ୍ୟୁ ହୋଇସାରିଥିବା ସେମାନେ ଦେଖିବାକୁ ପାଇଥିଲେ ବୋଲି ହରିଶଙ୍କର କହିଛନ୍ତି। ସେପଟେ, ଲିଙ୍ଗରାଜଙ୍କ ସାନ ଭାଇ ସ୍ବପ୍ନେଶ୍ବର ଅମାତ ମଧ୍ୟ ଅନୁରୂପ ଅଭିଯୋଗ ଆଣିଛନ୍ତି। ପୁଲିସ୍ ତାଙ୍କ ଭାଇକୁ ପିଟି ପିଟି ମାରିଦେଇଛି ବୋଲି ସେ କହିଛନ୍ତି।