ଝାରସୁଗୁଡ଼ା,: ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ଦୁର୍ଲଗାଠାରେ ବନ୍ଦ ପଡିଥିବା ଜେଏସ୍ପିଏଲ କାରଖାନା ପରିସରରୁ ବୁଧବାର ଏକ ଗଳିତ ଶବ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ପଶ୍ଚିମବଙ୍ଗର ମୂଳବାସିନ୍ଦା ମହମ୍ମଦ ଅଶ୍ରଫ ଶେଖ(୩୦)। ପୁଲିସ କୋଇଲା ଗୁଣ୍ଡ ଭିତରୁ ଏହି ଶବ ଉଦ୍ଧାର କରିଥିଲା। ଶବ ପଚି ସଢ଼ି ଯାଇଥିଲା ଓ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ନିର୍ମମ ଭାବେ କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଟାଉନ ଥାନା କେସ ନମ୍ବର ୬୦୫/୨୨, ଦଫା ୩୦୨/୨୦୧ ଆଇପିସିରେ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।
ଝାରସୁଗୁଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ରଙ୍କ ସୂଚନା ଅନୁସାରେ, ବନ୍ଦ ପଡ଼ିଥିବା ଜେଏସ୍ପିଏଲ ପ୍ଲାଣ୍ଟ ପରିସରରେ ବୁଧବାର ଗୋଟିଏ ସ୍ଥାନରେ ଜମା ହୋଇ ରହିଥିବା କୋଇଲା ଭିତରୁ ପଚା ସଢ଼ା ଶବ ଉଦ୍ଧାର କରାଯାଇଛି। ଖବର ମିଳିବା ପରେ ନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଶବ ଉଦ୍ଧାର କରାଯାଇଥିଲେ ହେଁ ତାହା ପଚି ସଢ଼ି ଯାଇଥିବାରୁ ଚିହ୍ନିବା କଷ୍ଟକର ହେଉଥିଲା। ଅନ୍ୟପକ୍ଷରେ ସଦର ଥାନା ଅନ୍ତର୍ଗତ ତେଲିଭଟା ଗ୍ରାମରେ ଭଡ଼ାରେ ରହୁଥିବା ବୁଲା ବେପାରୀ ଅଶ୍ରଫ ଶେଖ୍ ଗତ ୭ତାରିଖରୁ ନିଖୋଜ ଥିବା ବେଳେ ତାଙ୍କ କାକା ଲାଲୁ ଶେଖ ଗତ ୧୧ ତାରିଖ ଥାନାରେ ନିଖୋଜ ମାମଲା ରୁଜୁ କରିଥିବାରୁ ଶବ ଚିହ୍ନଟ କରିବାକୁ ତାଙ୍କୁ ଡକାଯାଇଥିଲା। ଲାଲୁ ଶେଖ ଘଟଣାସ୍ଥଳରେ ପହଞ୍ଚି ପୋଷାକପତ୍ରରୁ ମୃତକ ଅଶ୍ରଫ ଶେଖ ବୋଲି ଚିହ୍ନଟ କରିଥିଲେ। ଏ ନେଇ ଟାଉନ ଥାନାରେ ହତ୍ୟା ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି। ତେବେ ଏହିି ହତ୍ୟା ମାମଲାରେ କାହାର ସମ୍ପୃକ୍ତି ଅଛି ଜଣାପଡ଼ିନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଉଦ୍ଧାର କରାଯାଇଥିବା ଶବ ପଚି ସଢ଼ି ଯାଇଥିବାରୁ ବ୍ୟବଚ୍ଛେଦ ସକାଶେ ବୁର୍ଲା ପ୍ରେରଣ କରାଯାଇଛି। ଅଶ୍ରଫ ଝାରସୁଗୁଡାରେ ରହି ବିଭିନ୍ନ ଗାଁରେ ବୁଲି ବୁଲି ଚୁଡ଼ି ବିକ୍ରି କରୁଥିଲା। ତାହାର ପରିବାର ପଶ୍ଚିମବଙ୍ଗରେ ଥିବା ଜଣାଯାଇଛି।