ସମ୍ବଲପୁର : ସମ୍ବଲପୁରରେ ପୁଣି ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ବରେଇପାଲି ଅଂଚଳରେ ଜଣେ ଯୁବକ ରୋହନ ପ୍ରଧାନ(୨୫)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଅଇଁଠାପାଲି ଥାନା ବରେଇପାଲି ମାଖନାପଡ଼ାର ରୋହନ ପ୍ରଧାନ ଓରଫ୍ ପପୁନ(୨୫) ଗତକାଲିଠାରୁ ନିଖୋଜ ଥିଲେ। ରୋହନ ସନ୍ଧ୍ୟାରୁ କୁଆଡ଼େ ବାହାରି ଥିଲେ। ମାଛ ବ୍ୟବସାୟ କରୁଥିବା ତାଙ୍କ ମା’ଙ୍କୁ ସେ ରାତିରେ ଆସିବେ ବୋଲି କହିଥିଲେ। ମାତ୍ର ସକାଳ ସୁଦ୍ଧା ନଫେରିବାରୁ ସେ ଦିନସାରା ଖୋଜାଖୋଜା କରିଥିଲେ। ସୋମବାର ସନ୍ଧ୍ୟାରେ ଅଇଁଠାପାଲି ଥାନାକୁ ଯାଇ ତାଙ୍କ ପୁଅ ନିଖୋଜ ହେବା ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଏହାର କିଛି ସମପୟ ପରେ ବରେଇପାଲି ଛକ ନିକଟ ଏକ କିରାନା ଦୋକାନ ପଛ ପାଖ ଘରରେ ଏକ ବସ୍ତାରେ ଜଣେ ବ୍ୟକ୍ତିଙ୍କ ଶବ ଭର୍ତ୍ତି ହୋଇପଡ଼ିଥିବା ଥାନାକୁ ଖବର ଆସିଥିଲେ। ଅଇଁଠାପାଲି ପୁଲିସ ତାଙ୍କ ମା’ଙ୍କୁ ନେଇ ସେଠାରେ ପହଂଚି ଥିଲା। ଯାଂଚ ପରେ ମୃତଦେହ ରୋହନଙ୍କର ହୋଇଥିବା ଜଣାପଡ଼ିଥିଲା। ଶରୀରର ବିଭିନ୍ନ ସ୍ଥାନରେ ଦାଗ ରହିଥିବା ବେଳେ ବସ୍ତାଟି ରକ୍ତ ଲାଗିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉକ୍ତ ଘରକୁ ସିଲ୍ କରିଥିଲା। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ନମୁନା ସଂଗ୍ରହ କରିଥିଲା।
ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ କିଛି ସ୍ଥାନୀୟ ବାସିନ୍ଦା ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା କହିଥିଲେ। ଆଉ କିଛି ଜମି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି କହିଛନ୍ତି। ତେବେ ଏହି ହତ୍ୟାକାଣ୍ଡ କେତେବେଳେ ଓ କାହିଁକି ହେଲା ତାର କୌଣସି ସଠିକ୍ ତଥ୍ୟ ମିଳିପାରି ନାହିଁ। ତେବେ ସୋମବାର ପୂର୍ବାହ୍ଣରେ ଏହି ହତ୍ୟା ହୋଇଥିବା ପୁଲିସ ଅନୁମାନ କରୁଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟା କେମିତି ଓ କେତେବେଳେ ହୋଇଥିଲା ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସ ରାତିରେ କିରାନା ଦୋକାନୀକୁ ଥାନା ଡାକି ନେଇ ଘଟଣା ସଂକ୍ରାନ୍ତରେ ପଚରାଉଚରା କରୁଛି। ଦୋକାନ ପଛପଟେ ଏଭଳି ହତ୍ୟାକାଣ୍ଡ ହୋଇଥିବା ବେଳେ ସେ କେମିତି ଜାଣିପାରିଲେ ନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବୀଭତ୍ସ ହତ୍ୟାକାଣ୍ଡ
କଫ୍ ସିରଫ ଓ ମଦ ନିଶାରେ ଯୁବପିଢି଼ ବୁଡ଼ି ରହିଥିବା ବେଳେ ସହରରେ ବାରମ୍ବାର ଛୁରା ମାଡ଼ଠୁ ହତ୍ୟା ପର୍ଯ୍ୟନ୍ତ ଘଟଣା ବାରମ୍ଭାର ଘଟୁଛି। ବରେଇପାଲି ଭଳି ଏକ ବ୍ୟସ୍ତ ବହୁଳ ସ୍ଥାନରେ ରୋହନଙ୍କୁ ହତ୍ୟା କରାଯାଇ ବସ୍ତାରେ ଭର୍ତ୍ତି କରି ଫିଙ୍ଗି ଦିଆଗଲା। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ଶରୀରକୁ କଟା ଯାଇଥିବା ବେଳେ ଶରୀରକୁ ବସ୍ତା ଭିତରେ ପୂରା ଯାଇଥିଲା। ଏକାଧିକ ଲୋକ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ପଡ଼ାବାସୀ ସନ୍ଦେହ କରୁଛନ୍ତି। ଶବ ଉଦ୍ଧାର ହୋଇଥିବା ସ୍ଥାନ ନିକଟରେ ହଳେ ଚପଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା। ସମ୍ବଲପୁର ସହରରେ ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ଦିନ ବି ସାମାନ୍ୟ ଇଅର୍ଫୋନ୍ ଖରାପ କରିବାକୁ କେନ୍ଦ୍ର କରି ଟାଉନ୍ ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିଲା।