ରାଜ୍ୟରେ ମାଓବାଦୀ ପୁଣି ସକ୍ରିୟ, ଟାର୍ଗେଟ୍‌ରେ କେକେବିଏନ୍‌

ମେଳି ବାନ୍ଧୁଛନ୍ତି ୪୩୦, ବଡ଼ ଅପରେସନ୍ ପାଇଁ ସଜବାଜ

ଭୁବନେଶ୍ବର: ୨୦୧୭ ମସିହାରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ସବୁ ସହଯୋଗୀଙ୍କୁ ଖସାଇବାରେ ସମର୍ଥ ହୋଇଥିଲେ ବି ଦୁର୍ଦାନ୍ତ ମାଓନେତ୍ରୀ ବନିଲା ପୁଲିସ ଗୁଳିରୁ ବର୍ତିପାରିନଥିଲା। ଏହି ଘଟଣାରେ ସୂଚନା ପ୍ରଦାନକାରୀ ବୋଲି ସନ୍ଦେହ କରି ରଂଜନ ଦିଗାଲକୁ ମାଓବାଦୀ େଖାଜୁଥିଲେ। ରଂଜନ ଘର ଛାଡି ପାଖାପାଖି ବର୍ଷେ ହେଲା କନ୍ଧମାଳର ନୂଆଗାଁ ଅଞ୍ଚଳରେ ରହୁଥିଲା। ହେଲେ ବର୍ତିପାରିଲା ନାହିଁ। ଜାନୁଆରି ୨ତାରିଖ ଦିନ ରଂଜନକୁ ମାଓବାଦୀ ଗୁଳି କରି ହତ୍ୟା କଲେ। ଦୁଇ ଦିନ ତଳେ ୧୦ରୁ ଅଧିକ ମାଓ କ୍ୟାଡର ରାତିରେ ବୌଦ୍ଧ ଚାରିଛକ ନିକଟରେ ରାସ୍ତା ଅତିକ୍ରମ କଲେ। ଦିନତମାମ ନିକଟସ୍ଥ ଅଞ୍ଚଳରେ ନିଜର ସଂଗଠନ ବିସ୍ତାର ପାଇଁ ଆଲୋଚନା କରିବା ପରେ ରାତିରେ ସେମାନେ ସେ ସ୍ଥାନ ଛାଡି ଆଗକୁ ଯାଇଥିଲେ। ଏହି ଦୁଇଟି ଖବର ନେଇ ଖୋଳତା଼ଡ ପରେ ଚାଞ୍ଚଲ୍ୟକର ସୂଚନା ମିଳୁଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏଇ କିଛି ଦିନ ହେଲା କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ (କେକେବିଏନ୍) ଡିଭିଜନ ଓ ବଂଶଧାରା-ଘୁମୁସର-ନାଗାବଳି (ବିଜିଏନ୍) ଡିଭିଜନ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ବାଲିଗୁଡା, କୋଟଗଡ, ଗୋଚ୍ଛାପଡା, ଫିରିଙ୍ଗିଆ, ବେଲଘର, ନୂଆଗାଁ ଥାନା ଅଞ୍ଚଳରେ ଗତାଗତ ଆରମ୍ଭ କରିଦେଇଛନ୍ତି। ନୟାଗଡ, ଦଶପଲ୍ଲା ଯାଉଛନ୍ତି, ବୌଦ୍ଧ ବି। ଦୁର୍ଦାନ୍ତ ମାଓକ୍ୟାଡର ବଣ୍ଟି ଏବେ କେକେବିଏନ୍ ସଂଗଠନର ନେତୃତ୍ବ ନେଉଛି। ଗାଁ ଗାଁ ବୁଲି ପୁଲିସ ବିରୋଧରେ ଅପରେସନ୍ ପାଇଁ ଉସୁକାଉଛି। ଅନୁରୂପ ଢଙ୍ଗରେ ନିଖିଲ ମଧ୍ୟ ବିଜିଏନ୍ ଡିଭିଜନ ଦାୟିତ୍ବ ନେଇ ସଂଗଠନ ବଢାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ କରିଛି। ତେବେ କିଛି ଦିନର ନିରବତା ପରେ ହଠାତ୍ କାହିଁକି ମାଓ ଗତିବିଧି ବଢ଼ିଲା ସେ ନେଇ ଠୋସ୍ ତଥ୍ୟ ଏଯାଏ ସାମ୍ନାକୁ ଆସିନାହିଁ। ହେଲେ ଏକ ବଡ଼ ଅପରେସନ୍ ପାଇଁ ସେମାନେ ସଜବାଜ ଚଳାଇଥିବା ସୂଚନା ମିଳୁଛି। କନ୍ଧମାଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଥିବା ଦୃଷ୍ଟିକୋଣରୁ ସେମାନେ ଏହାକୁ ଏକ ସୁଯୋଗ ବୋଲି ବିଚାର କରୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଦୁଇଟି ଯାକ ସଂଗଠନ କିନ୍ତୁ ନିଜ ନିଜର ରଣନୀତି ବଦଳାଇ ଦେଇଛନ୍ତି। ଏବେ ପୂର୍ବଭଳି ସେମାନେ କ୍ୟାମ୍ପ କରୁନାହାନ୍ତି। ବରଂ ଗୋଟିଏ ଗୋଟିଏ ସ୍ଥାନରେ ତିନି ଚାରି ଘଣ୍ଟାରୁ ଅଧିକ ରହୁନାହାନ୍ତି।

ସବ୍ୟସାଚୀଙ୍କ ଭଳି ହେବାକୁ ଚାହୁଁଛି ବଣ୍ଟି, ରଣନୀତି ବଦଳିଛି, କ୍ୟାମ୍ପ କରୁନାହାନ୍ତି

ବଣ୍ଟି ଓଡ଼ିଆ କ୍ୟାଡର ହୋଇଥିବା କାରଣରୁ ଅଧିକ ସଂଖ୍ୟକ ସ୍ଥାନୀୟ ବାସିନ୍ଦାଙ୍କୁ ନିଜ ସହିତ ଯୋଡିବା ଲାଗି ଉଦ୍ୟମ ଚଳାଇଛି। ହେଲେ ଯେଉଁ ଅନୁସାରେ, ସେମାନଙ୍କୁ ସଫଳତା ମିଳିବା କଥା ତାହା ମିଳୁନାହିଁ। ସ୍ଥାନୀୟ ଲୋକ ସଂଗଠନରେ ଯୋଗଦେବା ଲାଗି ଆଗ୍ରହ ଦେଖାଉନାହାନ୍ତି। ଏଣୁ ସେମାନେ ଆକ୍ରମଣାତ୍ମକ ଢଙ୍ଗରେ େଲାକଙ୍କୁ ଭୟଭୀତ କରିବା ଲାଗି ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଛି। ଉଭୟ ସଂଗଠନର ପାଖାପାଖି ୫୦ରୁ ଅଧିକ ମାଓବାଦୀ ଏ କାମରେ ଲାଗିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ନିଜ ନାମ ଗୋପନ ସର୍ତରେ ସୂଚନା ଦେଇଛନ୍ତି। ତେବେ ବାକି କ୍ୟାଡର କେଉଁ କାମରେ ଅଛନ୍ତି, ସେମାନେ କୌଣସି ଅପରେସନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି କି? ଏମିତି ସନ୍ଦେହ ବଢିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳରୁ ମିଳୁଥିବା ଖବରକୁ ବିଶ୍ବାସ କରାଗଲେ, ବଣ୍ଟି ନିଜକୁ ସବ୍ୟସାଚୀ ପଣ୍ଡାଙ୍କ ଭଳି ଅତ୍ୟନ୍ତ ପ୍ରଭାବୀ ସାବ୍ୟସ୍ତ କରିବା ଲାଗି କସରତ ଚଳାଇଛି। ହେଲେ କୌଣସି କାରଣରୁ ସବ୍ୟସାଚୀଙ୍କ ଭଳି ସେ ସ୍ଥାନୀୟ ଲୋକଙ୍କ ଆସ୍ଥାଭାଜନ ହୋଇପାରୁନାହିଁ। ବରଂ ତାର ଗତିବିଧି ସଂପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଉଥିବା କାରଣରୁ ସେ ଏବେ ଚାପରେ ରହିଛି। ଏଣୁ ଗତ କିଛି ଦିନ ଧରି ସେ ଅଧିକ ହିଂସ୍ର ହୋଇଉଠିଥିବା କୁହାଯାଉଛି। ଖବର ଅନୁୁସାରେ, ମାଓବାଦୀମାନେ ଏବେ ଦଶପଲ୍ଲା ଜଙ୍ଗଲରୁ ଗାଲେରି, ଗସ୍‌ମା ଦେଇ କଳିଙ୍ଗାଘାଟି, ଦୁର୍ଗାପ୍ରସାଦ, ଭଂଜନଗର, ଦଦରଲଣ୍ଡା, ଇନ୍ଦ୍ରଗଡ, ବାଇବେଲି, ରଣଭା, କରଡା, ଦାରିଙ୍ଗିବାଡି, କୋଟଗଡ ଦେଇ ବେଶି ଚଲାବୁଲା କରୁଛନ୍ତି। ସଂଗଠନରେ ପ୍ରାୟ ୧୦ ପ୍ରତିଶତ ଓଡ଼ିଆ କ୍ୟାଡର ଅଛନ୍ତି। ୭୫ ପ୍ରତିଶତ ଛତିଶଗଡି ଓ ବାକି ୧୫ ପ୍ରତିଶତ ଆନ୍ଧ୍ର କ୍ୟାଡର ଥିବା ସୂଚନା ମିଳୁଛି।

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଗତ କିଛି ଦିନ ଧରି ମାଓବାଦୀଙ୍କ ପ୍ରଭାବ କମିଥିଲା। ଏବେ କିନ୍ତୁ ପୁଣି ଥରେ ସେମାନେ ମୁଣ୍ତ ଟେକିଲେଣି। ଓଡ଼ିଶାରେ ଏବେ ମହାରାଷ୍ଟ୍ର ମାଓ କ୍ୟାଡର ବି ଡେରା ପକାଇଛନ୍ତି। ଆଜି ଦିନରେ ମହାରାଷ୍ଟ୍ର କ୍ୟାଡର ସ˚ଖ୍ୟା ପାଖାପାଖି ୨୦ରେ ପହଞ୍ଚିଥିବା ସୂଚନା ମିଳିଛି। ଏମାନଙ୍କ ନିକଟରେ କିଛି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଥିବା ଜଣାଯାଇଛି। ଦକ୍ଷିଣ-ପଶ୍ଚିମ ରେଞ୍ଜ ଅଞ୍ଚଳରେ ଏମାନେ କାୟା ବିସ୍ତାର କରୁଛନ୍ତି ଓ ଛତିଶଗଡ଼ ମାଓବାଦୀଙ୍କ ସହିତ ମିଶି ଅପରେସନ୍‌ ପାଇଁ ସଜବାଜ ହେଉଛନ୍ତି। ମହାରାଷ୍ଟ୍ର କ୍ୟାଡରଙ୍କୁ ମିଶାଇ ଏବେ ରାଜ୍ୟରେ ୪୩୦ ମାଓବାଦୀ ସେମାନଙ୍କ ଅପରେସନ୍‌ ଜାରି ରଖିଛନ୍ତି। ଏମାନଙ୍କ ମଧ୍ୟରେ ସର୍ବାଧିକ ମାଓବାଦୀ ଛତିଶଗ଼ଡ଼ର। ସ˚ଖ୍ୟା ୨୩୦ ପାଖାପାଖି ରହିଛି। ୬୦ଜଣ ମାଓବାଦୀ ଓଡ଼ିଶାର ବୋଲି ଜଣାପଡିଛି। ବାକି ହେଉଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନାର। ଏମାନଙ୍କ ମଧ୍ୟରୁ ପାଖାପାଖି ୧୨୦ଜଣ ଛତିଶଗ଼ଡି-ଓଡ଼ିଶା ମାଓବାଦୀ କେକେବିଏନ୍‌ ନାମରେ ଅପରେସନ୍‌ ଆରମ୍ଭ କରିଛନ୍ତି। ଟାର୍ଗେଟ ହେଉଛି କଳାହାଣ୍ତି-କନ୍ଧମାଳ-ବୌଦ୍ଧ-ନୟାଗଡ଼। ଅନୁଗୁଳ ବି ଏମାନଙ୍କ ଜାଲରେ ରହିଛି।

ସମ୍ବନ୍ଧିତ ଖବର