କେନ୍ଦୁଝରରେ ପୁଣି ୧୦୫ କରୋନା ସଂକ୍ରମିତ ଚିହ୍ନଟ

କେନ୍ଦୁଝର : ଦିନକୁଦିନ ଦ୍ରୁତଗତିରେ କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବାବେଳେ ପୁଣି ୧୦୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ୧୦୫ଙ୍କୁ ମିଶାଇ କେନ୍ଦୁଝର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୫୫୪ରେ ପହଞ୍ଚିଛି ବୋଲି ଜିଲ୍ଲାପାଳ ଆଶିଷ ଠାକରେ ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ, ଜିଲ୍ଲାରେ ମୋଟ ୩୬୮ଟି ଆକ୍ଟିଭ କେସ ରହିଛି। ସେମାନଙ୍କ ମଧ୍ୟରୁ ୩୫୨ ଜଣ ଘରୋଇ ସଙ୍ଗରୋଧରେ ଅଛନ୍ତି । ଆଉ ୧୪ ଜଣ କୋଭିଡ କେୟାର ସେଣ୍ଟରେ ଅଛନ୍ତି । ରାଙ୍କିରେ ଥିବା କୋଭିଡ ହସ୍ପିଟାଲରେ ୧୮୦ ବେଡର ବ୍ୟବସ୍ଥା ହୋଇଛି । ଆଉ ଅଧିକ ବେଡର ବ୍ୟବସ୍ଥା କରାଯାଉଛି। ଏଥିରେ ୨୮ଟି ଆଇସିୟୁ ବେଡ ରହିଥିବା ବେଳେ ୨୪ଟି ସେମି ଆଇସିୟୁ ବେଡ଼୍ ରହିଛି। ୧୨ଟି ଭେଣ୍ଟିଲେଟର ବେଡ ରହିଛି । ୪୦ଟି ଅକ୍ସିଜେନ ବେଡ ରହିଛି । ଅବଶି‌ଷ୍ଟ ବେଡକୁ ଅକ୍ସିଜେନ ବେଡରେ ପରିଣତ କରିବାର ବ୍ୟବସ୍ଥା କରାଯାଉଛି। କୋଭିଡ ହସ୍ପିଟାଲରେ ଅକ୍ସିଜେନ ବହୁ ପରିମାଣର ଗଚ୍ଛିତ ରଖାଯାଇଛି। ଟାଟା କୋଭିଡ ହସ୍ପିଟାଲ ମଧ୍ୟ ପ୍ରଶାସନର ନିୟନ୍ତ୍ରଣରେ ଅଛି । ସେଠାରେ ଥିବା ୫୦ ବେଡ ମଧ୍ୟରୁ ୧୦ଟି ଆଇସିୟୁ ବେଡ ଓ ୬ଟି ଭେଣ୍ଟିଲେଟର ବେଡ ରହିଛି ବୋଲି ଜିଲ୍ଲାପାଳ ଶ୍ରୀ ଠାକରେ ପ୍ରକାଶ କରିଛନ୍ତି ।

ସେହିପରି ଶନିବାରଠାରୁ ଜିଲ୍ଲାର ସମସ୍ତ ସହରାଞ୍ଚଳ କେନ୍ଦୁଝର, ବଡବିଲ, ଯୋଡା, ଚମ୍ପୁଆ ଏବଂ ଆନନ୍ଦପୁର ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଲାଗୁ ହେବ। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଜରୁରୀକାଳୀନ ସେବା କରୁଥିବା ବ୍ୟକ୍ତିବିଶେଷ ତାଙ୍କର ଆଇଡେଣ୍ଟି ପ୍ରୁଫ୍ ଦେଖାଇ କାମ କରିପାରିବେ । ଆସନ୍ତା ୧୯ ତାରିଖରୁ ସମସ୍ତ ସ୍କୁଲ କଲେଜ, କୋଚିଂ ସେଣ୍ଟର ବନ୍ଦ ରହିବ। ପାଠପଢା କେବଳ ଅନଲାଇନରେ ହୋଇପାରିବ। ହଷ୍ଟେଲରେ ମଧ୍ୟ ଛାତ୍ରଛାତ୍ରୀ ରହିପାରିବେ ନାହିଁ । ସିନେମାହଲ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ । ବାହାଘରରେ ୫୦ ଓ ଶୁଦ୍ଧିକ୍ରିୟାରେ ୨୦ ଜଣ ଲୋକରୁ ଅଧିକ ‌ଯୋଗଦାନ ଦେଇପାରିବେ ନାହିଁ । ଶୋଭାଯାତ୍ରା, ପ୍ରୋସେସନକୁ ଅନୁମତି ଦିଆଯିବ ନାହିଁ । ବସରେ କେବଳ ସିଟ୍‌ ଅନୁଯାୟୀ ଯାତ୍ରୀ ଯାତ୍ରା କରିପାରିବେ । କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେ ନାହିଁ । ରେଷ୍ଟୁରାଣ୍ଟ ରାତି ୯ଟା ପର୍ଯ୍ୟନ୍ତ ଖୋଳିବ । କରୋନା କଟକଣାକୁ କଡ଼ାକଡି ଭାବେ ପାଳନ କରାଯିବ ବୋଲି ଶ୍ରୀ ଠାକରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର