ଭୁବନେଶ୍ୱର,(କେଶବ ପାଣି): ‘‘୬ ମାସ ହେଲା କାମଧନ୍ଧା ନାହିଁ। ସୁରତ ଯାଇ ଯାହା ଦୁଇ ପଇସା ସଞ୍ଚୟ କରିଥିଲି ତାହା ତାହା ଶେଷ ହୋଇଗଲାଣି। ଆଉ ଓଡ଼ିଶାରେ ରହି କିଛି ଲାଭ ନାହିଁ। କାମଧନ୍ଦା ମିଳୁନି। ଯଦି ବି ଗାଁରେ କିଛି କାମ ମିଳୁଛି ତାହା କରିବା କଷ୍ଟକର। ଦିନକୁ ଅତି ବେଶିରେ ୩୦୦ ଟଙ୍କା ରୋଜଗାର ହେଉଛି। ଏତିକି ଟଙ୍କା ୬ ପ୍ରାଣୀ କୁଟୁମ୍ବ ପାଇଁ ସମୁଦ୍ରକୁ ଶଙ୍ଖେ। ପିଲା ଛୁଆ କେମିତି ପଢ଼ିବେ? ବାପା, ମା’ଙ୍କ ଲାଗି ଔଷଧ କେଉଁଠୁ ଆଣିବି। ଏଭଳି ସ୍ଥିତିରେ ଆଉ ଓଡ଼ିଶାରେ ରହିହେବ ନାହିଁ କି କରୋନାକୁ ଡରି ଘରେ ବସି ହେବନି। କରୋନା ଭୟ କଟି ନ ଥିଲେ ବି ଏବେ କର୍ମକ୍ଷେତ୍ରକୁ ଫେରିବାର ସମୟ ଆସିଛି। ତେଣିକି ଭଗବାନଙ୍କ ଭରସା।’’ ଟ୍ରେନ୍ରେ ଅହମ୍ମଦାବାଦ ଯିବା ପାଇଁ ଖୋର୍ଧାରୋଡ ରେଳ ଷ୍ଟେସନରେ ଅପେକ୍ଷା କରି ରହିଥିବା କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ସୁକାନ୍ତ ନାୟକଙ୍କ ମୁହଁରୁ ଏଭଳି କିଛି କୋହଭରା କଥା ଶୁଣିବାକୁ ମିଳିଥିଲା।
କେବଳ ସୁକାନ୍ତ ନୁହଁନ୍ତି। ତାଙ୍କ ଭଳି ହଜାର ହଜାର ପ୍ରବାସୀ ଓଡ଼ିଆଙ୍କ ଭୋକର ଜ୍ବାଳା କୋଭିଡ୍ ଭୟକୁ ବଳି ଯାଇଛି। ଯେଉଁଥିପାଇଁ ଏବେ କର୍ମ କ୍ଷେତ୍ରକୁ ଫେରିବା ପାଇଁ ବାହାରିଛନ୍ତି ସେମାନେ। କିଏ ପରିବାର ସହ ଯାଉଛନ୍ତି ତ ଆଉ କିଏ ସାଙ୍ଗମାନଙ୍କ ସହ। ଆଜିଠାରୁ ଗୁଜୁରାଟକୁ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ ହେବା କ୍ଷଣି ଖୋର୍ଧା ସମେତ କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ଯାଜପୁର, ଢେଙ୍କାନାଳ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ପ୍ରଭୃତି ଜିଲ୍ଲାର ପ୍ରବାସୀ ଓଡ଼ିଆ ହଜାର ହଜାର ସଂଖ୍ୟାରେ ସୁରତ ଫେରିବା ଲାଗି ଷ୍ଟେସନରେ ଭିଡ଼ ଜମାଇଛନ୍ତି।
ଆଜିଠାରୁ ଖୋର୍ଦ୍ଧା ରୋଡରୁ ଆହମ୍ମଦାବାଦକୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଟ୍ରେନ୍ ସନ୍ଧ୍ୟା ୬ଟା ୪୦ରେ ଛାଡ଼ିଛି। ପୂର୍ବରୁ ସମସ୍ତ ସିଟ୍ ପାଇଁ ଟିକଟ ବୁକିଂ ହୋଇ ସାରିଛି। ଆହୁରି ୩୦୦ ଲୋକ ୱେଟିଂ ଲିଷ୍ଟରେ ରହିଛନ୍ତି। ଏଥିରେ ଯିବା ପାଇଁ ଖୋର୍ଧା ରୋଡ ବ୍ୟତୀତ ବ୍ରହ୍ମପୁର, ରାୟଗଡ଼ା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝି, ଖରିଆର ରୋଡରେ ଶତାଧିକ ଯାତ୍ରୀ ଅପେକ୍ଷା କରି ରହିଛନ୍ତି। ସେପ୍ଟେମ୍ବର ୧୫, ୧୭, ୧୮, ୧୯ ଓ ୨୨ ତାରିଖ ପାଇଁ ମଧ୍ୟ ଏହି ଟ୍ରେନ୍ର ସମସ୍ତ ସିଟ୍ ପୂରଣ ହୋଇଛି। ୨୨ ତାରିଖ ଭିତରେ ଆହୁରି ଦୁଇ ହଜାର ଯାତ୍ରୀ ୱେଟିଂ ଲିଷ୍ଟରେ ରହିଛନ୍ତି।
ଗୁଜୁରାଟ ଯିବାକୁ ଥିବା ଟ୍ରେନ୍ଗୁଡ଼ିକର ବୁକିଂ ଗତ ୧୦ ତାରିଖରେ ଆରମ୍ଭ ହୋଇଥିଲା। ଆଉ ଏହାର ୨୪ ଘଣ୍ଟା ନ ବିତୁଣୁ ସମସ୍ତ ଟ୍ରେନ୍ ଟିକେଟ୍ ବିକ୍ରି ହୋଇଯାଇଥିଲା। ସ୍ଥିତି ଏମିତି ହୋଇଛି ଯେ ଟ୍ରେନ୍ରେ ଯେତିକି ଯାତ୍ରୀ ଯିବେ ଆହୁରି ସେତିକି ଯାତ୍ରୀ ୱେଟିଂ ଲିଷ୍ଟରେ ରହିଛନ୍ତି। ଖୋର୍ଧା-ଓଖା ସ୍ବତନ୍ତ୍ର ଟ୍ରେନ୍(୦୮୪୦୧) ସେପ୍ଟେମ୍ବର ୧୩ ଓ ୨୦ ତାରିଖରେ ଛାଡ଼ିବାକୁ ଥିବା ବେଳେ ଏହା ସମସ୍ତ ସିଟ୍ ପୂରଣ ହୋଇଛି। ୪୦୦ ଯାତ୍ରୀ ୱେଟିଂ ଲିଷ୍ଟରେ ରହିଛନ୍ତି। ୧୬ ଓ ୨୩ ତାରିଖରେ ଛାଡ଼ିବାକୁ ଥିବା ଭୁବନେଶ୍ବର-ଅହମ୍ମଦାବାଦ ସ୍ବତନ୍ତ୍ର ଟ୍ରେନ୍(୦୮୪୦୫)ର ସମସ୍ତ ବଗି ପୂରଣ ହୋଇ ଆହୁରି ୧୫୦ ଜଣ ଯାତ୍ରୀ ଅପେକ୍ଷାରେ ରହିଛନ୍ତି। ୧୯ ଓ ୨୬ ତାରିଖରେ ଯିବାକୁ ଥିବା ଖୋର୍ଧା-ଗାନ୍ଧୀଧାମ ସ୍ବତନ୍ତ୍ର ଟ୍ରେନ୍(୦୨୯୭୪)ର ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି। ଏହାପରେ ବି ଆହୁରି ୩୦୦ ଯାତ୍ରୀ ଆଜି ସନ୍ଧ୍ୟା ସୁଦ୍ଧା ଅପେକ୍ଷାରେ ରହିଛନ୍ତି।
ଯଦି ଉପରୋକ୍ତ ହିସାବକୁ ଦେଖାଯାଏ ତେବେ ଓଡ଼ିଶାରୁ ଗୁଜୁରାଟକୁ ଯିବାକୁ ଥିବା ୪ଟି ସ୍ବତନ୍ତ୍ର ଟ୍ରେନ୍ରେ ପ୍ରାୟ ୯ ହଜାର ପ୍ରବାସୀ ଟିକେଟ୍ କରିଛନ୍ତି। ଆହୁରି ୪ ହଜାର ୱେଟିଂ ଲିଷ୍ଟରେ ଅଛନ୍ତି। ସେପଟେ ଯାତ୍ରୀଙ୍କୁ ନେବା ସମୟରେ କୋଭିଡ୍-୧୯ କଟକଣା ପାଳନ କରିବା ଦିଗରେ ପୂର୍ବତଟ ରେଳପଥ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଟ୍ରେନ୍ରେ ଚଢ଼ିବା ପୂର୍ବରୁ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବେ। ସାମାଜିକ ଦୂରତା ରକ୍ଷା କରିବେ। ସିଟ୍ରେ ବସିବା ସମୟରେ ଯେତେଦୂର ସମ୍ଭବ ପରସ୍ପରଠାରୁ ଦୂରେଇ ରହିବେ। ସାଙ୍ଗରେ ସାନିଟାଇଜର ଆଣିବା ସହ ବାରମ୍ବାର ହାତ ଧୋଇବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।