ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ପୁଣି ଜଣେ ଗିରଫ, ମାଟି ତଳେ ପୋତି ଦେଉଛନ୍ତି ବଜ୍ରକାପ୍ତା କାତି

ସର୍ବସାଧାରଣ ସ୍ଥାନରେ ଲାଗିବ ଫେରାର ୩୦ ସନ୍ଦିଗ୍ଧଙ୍କ ଫଟୋ

କଟକ: ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ପୁଣି ଜଣଙ୍କୁ ଗିରଫ କରିଛି ଆଠଗଡ ବନବିଭାଗ। ଆଠଗଡ ଏନ୍‌ଏସି ବଢେଇଟୋକା ସାହିର ବିଜୟ ନାଏକ(୩୭)ଙ୍କୁ ଉଠାଇ ନେଇଛି ବନବିଭାଗ। ଫଳରେ ଗିରଫ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ବଜ୍ରକାପ୍ତା ଚାଲାଣ ପାଇଁ ଏକ ରାକେଟ କାମ କରୁଛି। ଏହି ରାକେଟ୍‌ରେ ଆଠଗଡ଼, ଢେଙ୍କାନାଳ, ଚୌଦ୍ବାର, ନୟାଗଡ ତଥା ଅନ୍ୟ କେତେକ ଅଞ୍ଚଳର ଲୋକେ ସଂପୃକ୍ତ ରହିଛନ୍ତି। ବର୍ଷ ବର୍ଷ ହେଲା ସେମାନେ ଏହି ବେପାର ଚଳାଇଥିବା ବେଳେ କିଛି ଦିନ ହେଲା ନୂଆ ଉପାୟରେ ବେପାର ଆରମ୍ଭ କରିଥିଲେ। କିନ୍ତୁ ଅନ୍‌ଲାଇନ୍‌ ବେପାର ହିଁ ସେମାନଙ୍କୁ ଶେଷରେ ଧୋକାଦେଇ ଧରାଇଦେଲା। ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବଛା ବଛା ୧୫ରୁ ୨୦ଟି ବଜ୍ରକାପ୍ତା ଚାଲାଣ ହୋଇସାରିଛି। ଯେ ପର୍ଯ୍ୟନ୍ତ ସବୁ ଅଭିଯୁକ୍ତ ଧରାପଡ଼ିନାହାନ୍ତି ସେ ପର୍ଯ୍ୟନ୍ତ ବନ ବିଭାଗର ‘ଅପରେସନ୍‌ ପାଙ୍ଗୋଲିନ୍‌’ ଜାରି ରହିବ। ତେବେ, ବିଦେଶୀ ମାଫିଆଙ୍କ ଫୋନ୍‌ ନମ୍ବର ସବୁ ବନବିଭାଗ ଓ ଡବ୍ଲୁସିସିବି ଟିମ୍‌ ହାତରେ ଲାଗିଥିବା ବେଳେ ଗିରଫ ଅଭିଯୁକ୍ତମାନେ କିନ୍ତୁ କେବଳ ମୋବାଇଲରେ ହିଁ କାରବାର ଚଳାଇଥିଲେ। କିନ୍ତୁ ମାଫିଆଙ୍କ ମୁହଁ ଦେଖିନଥିଲେ। କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ଏହି କାରବାର ପଛରେ ରହିଥିବାବେଳେ ସେମାନେ ବନବିଭାଗ ପଞ୍ଝାରେ ପଡୁ ନାହାନ୍ତି। କିନ୍ତୁ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବଡ ମୁଣ୍ଡଙ୍କୁ ଧରିବା ପାଇଁ ଚାଲିଛି ଯୋଜନା। ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଅଧିକାରୀମାନେ ମଧ୍ୟ ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ, ରିମାଣ୍ଡରେ ଅଣାଯାଇଥିବା ଅଭିଯୁକ୍ତଙ୍କ ତଥ୍ୟ ଆଧାରରେ ବନବିଭାଗ ୩୦ଜଣ ସନ୍ଦିଗ୍ଧଙ୍କ ତାଲିକା ପ୍ରସ୍ତୁତି କରିବା ସହ ସେମାନଙ୍କ ଫଟୋ ଓ ଅପରାଧ ବିବରଣୀ ସର୍ବସାଧାରଣ ସ୍ଥାନରେ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦିନେ ଦୁଇଦିନ ଭିତରେ ଏହି ସବୁ ପୋଷ୍ଟର ଲଗାଯିବ ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି। ବଜ୍ରକାପ୍ତା ଓ ଏହାର ଚାଲାଣ ସଂପର୍କରେ ସୂଚନାକାରୀଙ୍କୁ ପୁରସ୍କାର ରାଶି ଘୋଷଣା କରାଯାଇ ପୋଷ୍ଟର ଲଗାଯିବା ପରେ ଏବେ ବିଭାଗକୁ ଘନ ଘନ ଫୋନ୍‌ କଲ୍‌ ଆସୁଛି। କେବଳ ସେତିକି ନୁହେଁ ଗୋପନରେ ଅନେକ ଜନପ୍ରତିନିଧି ଆସି କେମିତି ତଥ୍ୟ ଦେବେ, ତଥ୍ୟ ଗୋପନୀୟ ରହିବ କି ନାହିଁ, ସେ ସଂପର୍କରେ ବୁଝିବାକୁ ବନଖଣ୍ଡ ଓ ରେଞ୍ଜ୍‌ ଅଫିସ୍‌କୁ ଆସୁଛନ୍ତି। ଅନ୍ୟପଟେ ଆଠଗଡ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ, ରେଞ୍ଜ ଅଫିସ୍‌ ଉପରେ କଡ଼ା ନଜର ରଖିଛନ୍ତି କିଛି ସନ୍ଦିଗ୍ଧ ବ୍ୟକ୍ତି। କିଏ ଆସୁଛି, ଯାଉଛି, କାହା ସହିତ କଥା ହେଉଛନ୍ତି, ତା’ ଉପରେ ନଜର ରଖୁଛନ୍ତି ସନ୍ଦିଗ୍ଧ। ଏପରିକି କିଛି ଲୋକଙ୍କୁ ଧମକ ମଧ୍ୟ ମିଳୁଥିବା କୁହାଯାଉଛି। ଅନ୍ୟପଟେ ବିକ୍ରି ପାଇଁ ଡେମୋରେ ରଖିଥିବା ବଜ୍ରକାପ୍ତା କାତି ସବୁକୁ ବେପାରୀ ଏବେ ମାଟିତଳେ ପୋତି ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର