ପୁଣି ଉପରମୁହାଁ ହେଲା ପିଆଜ, ଦର ୧୩୦ ଡେଇଁଲା

ଭୁବନେଶ୍ବର: ମାତ୍ର ଦୁଇ ଦିନର ଆଶ୍ବସ୍ତି ପରେ ପୁଣି ପିଆଜ ଦର ଉପରମୁହାଁ ହୋଇଛି। ଦୁଇ ଦିନ ପୂର୍ବେ ୮୫ ଟଙ୍କାକୁ ଖସି ଆସିଥିବା ପିଆଜ ଏବେ ପୁଣି ପୁରୁଣା ଭାଉ ୧୩୦ରେ ପହଞ୍ଚି ଯାଇଛି। ଆନ୍ଧ୍ରପ୍ରଦେଶରେ ଅମଳ ହ୍ରାସ ପାଇ ଆସୁଥିବା କାରଣରୁ ପିଆଜ ଦର ପୁଣି ବୃଦ୍ଧି ପାଇଥିବା କୁହାଯାଉଛି। ଆନ୍ଧ୍ରପ୍ରଦେଶର ଅମଳ ହ୍ରାସର ପରିମାଣକୁ ଇଜିପ୍ଟରୁ ଆମଦାନି ହୋଇଥିବା ପିଆଜ ଭରଣା କରିବାରେ ସମର୍ଥ ହେଉନଥିବାରୁ ପୁଣି ପିଆଜ ଦର ବଢ଼ିବାରେ ଲାଗିଛି ବୋଲି ବ୍ୟବସାୟୀ ମହଲରୁ ଜଣାପଡ଼ିଛି। ଏଣୁ ଏବେ ଆନ୍ଧ୍ରପ୍ରଦେଶର ପିଆଜ ଅମଳ ସ୍ଥିତି ଭାରତ ବଜାରରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିବ, ତାହା ସ୍ବତଃ ଆହୁରି ଦର ବୃଦ୍ଧିକୁ ବାଟ କଢ଼ାଇବ ବୋଲି ଆଶଙ୍କ‌ା କରାଯାଉଛି।

ଆଜି ରାଜଧାନୀର କୁବେରପୁରୀରେ ଛୋଟ ଓ ବଡ଼ ଆକାରକୁ ନେଇ ପିଆଜର ପାଇକାରୀ ଦର ଯଥାକ୍ରମେ ୯୦ ଟଙ୍କାରୁ ୧୧୦ ଟଙ୍କା ହୋଇଥିଲା। ତେଣୁ ସ୍ବାଭାବିକଭାବେ ହାଟମାନଙ୍କରେ ଖୁଚୁରା ହିସାବରେ ପିଆଜ କିଲୋ ୧୧୦ ଟଙ୍କାରୁ ୧୩୦ ଟଙ୍କା ଦରରେ ବିକ୍ରି ହୋଇଛି। ଗତ ୧୨ ଓ ୧୩ ତାରିଖରେ ପିଆଜ ଦର ବେଶ୍ ହ୍ରାସ ପାଇଥିଲା। କିଲୋ ପିଛା ପ୍ରାୟ ୫୦ ଟଙ୍କା ଖସିଥିଲା। ପାଇକାରୀ ଦର ୬୫/୭୦ ଟଙ୍କାକୁ ଖସି ଯାଇଥିବାବେଳେ ଖୁଚୁରା ବଜାରରେ କିଲୋକୁ ୮୦/୮୫ ଟଙ୍କା ପଡ଼ୁଥିଲା। ମାତ୍ର ନାସିକ୍‌ର ବଡ଼ ଆକାର ପିଆଜ ୧୦୦ ଟଙ୍କା ତଳକୁ ଖସିନଥିଲା। ତେବେ ୮୦/୮୫ ଟଙ୍କା ଦର ପାଇଁ ଖାଉଟିଙ୍କ ମନରେ ବେଶ୍ ଆଶ୍ବସ୍ତି ଆସିଥିଲା। ଏଣିକି ପିଆଜ ଦର କମିବା ଆରମ୍ଭ ହେଲା ବୋଲି ଲୋକେ ଭାବି ନେଇଥିଲେ। ଇଜିପ୍ଟ ପିଆଜର ବଜାର ପ୍ରବେଶ ଉକ୍ତ ଦର ହ୍ରାସର କାରଣ ବୋଲି ଚର୍ଚ୍ଚା ହୋଇଥିଲା। ଏମିତିକି ବ୍ୟବସାୟୀମାନେ ମଧ୍ୟ ଏଭଳି ସୂଚନା ଦେଇଥିଲେ। ମାତ୍ର ଗତକାଲିଠାରୁ ପୁଣି ବଜାର ଚିତ୍ର ବଦଳି ଯାଇଛି। ପୁରୁଣା ବର୍ଧିତ ଦର ସ୍ଥିତିକୁ ଫେରି ଆସିଲା ପିଆଜ ଦର।

Image Source: Deccan Chronicle

ତେଣେ ଆନ୍ଧ୍ରପ୍ରଦେଶରେ ଅମଳ ହ୍ରାସ ପାଉଥିବା ଜଣାପଡ଼ିବା ପରେ ପୁଣି ଦର ଆକାଶଛୁଆଁ ହୋଇଛି। ଦର ବୃଦ୍ଧି ପାଇଁ ବହୁ ଚାଷୀ ଅମଳର ଉପଯୁକ୍ତ ସମୟ ପୂର୍ବରୁ ପିଆଜ ଖୋଳି ପକାଇଥିଲେ ଓ ସେସବୁକୁ ସେମାନେ ବିକି ସାରିଛନ୍ତି। ଏବେ ‌ଅନ୍ୟ ଚାଷୀମାନେ ଅମଳ କରୁଥିଲେ ବି ତାହାକୁ ସାଇତିବାକୁ ପସନ୍ଦ କରୁଛନ୍ତି। ଉପଯୁକ୍ତ ସମୟର ଅମଳ ପିଆଜ ଶୁଖିଲା ଥିବାରୁ ତାହା ଅଧିକ ଦିନ ରହିପାରିବ ଓ ପରେ ବିକିଲେ ଅଧିକ ଫାଇଦା ହେବା ଲକ୍ଷ୍ୟରେ ଚାଷୀମାନେ ଏବେ ବଜାରକୁ ନ ଛାଡ଼ି ସାଇତିବାରେ ଲାଗିଥିବା ଜଣାପଡ଼ିଛି। ତେଣୁ ଗତକାଲିଠାରୁ କର୍ଣ୍ଣୁଲ୍‌ ଓ ଗୁଡ଼ୁମ୍‌ ଭଳି ସରକାରୀ ମଣ୍ଡିରେ ପିଆଜ ମହଜୁଦ୍ ହେବା କମିଛି। ଫଳରେ ସେଠାରେ ମଧ୍ୟ ପାଇକାରୀ ଦର ୮୦ ଟଙ୍କା ଡେଇଁଥିବା ଜଣାପଡ଼ିଛି। ତେଣୁ ଏବେ ଓଡ଼ିଶାକୁ ମହାରାଷ୍ଟ୍ର ନାସିକ୍ ଭରସା। ଏବ‌େ ମହାରାଷ୍ଟ୍ର ନାସିକ୍‌ରୁ ଯେତିକି ପିଆଜ ଆସୁଛି, ତାହାକୁ ନେଇ ଓଡ଼ିଶା ବଜାର ତିଷ୍ଠିବ। ଆଜି କୁବେରପୁରୀକୁ କେବଳ ମହାରାଷ୍ଟ୍ର ନାସିକ୍‌ ପିଆଜ ହିଁ ଆମଦାନି ହୋଇଛି। ଆନ୍ଧ୍ରପ୍ରଦେଶରୁ ପିଆଜ ଗାଡ଼ି ଆସିନାହିଁ। ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୨୫୦ ଟନ୍‌ ପିଆଜ ଆସିଛି। ବଡ଼ କଥା ହେଉଛି ପିଆଜ ଦର ପୁଣି ବଢ଼ିବା କାରଣରୁ ବ୍ୟବସାୟୀମାନେ ଆମଦାନି କରିବାକୁ ଡରୁଛନ୍ତି। ତେଣୁ ଆସନ୍ତାକାଲିକୁ କି ପରିସ୍ଥିତି ଉପୁଜିବ କହିବା ମୁସ୍କିଲ୍ ବୋଲି ସେମାନେ କହିଛନ୍ତି। ନୂଆବର୍ଷ ପର୍ଯ୍ୟନ୍ତ ଏମିତି କମ୍‌ବେଶୀ ହୋଇ ଚାଲିବ ଓ ଜାନୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା ସ୍ଥିତି ସ୍ବାଭାବିକ ହୋଇପାରେ ବୋଲି ଆଶା କରାଯାଉଛି। ତେବେ ସେତେବେଳକୁ କିଲୋ ୪୦ ଟଙ୍କା ତଳକୁ ଖସିବା ଆଶା କରିବା ବୃଥା ବୋଲି ବହୁ ବ୍ୟବସାୟୀ କହିଛନ୍ତି।

ସମ୍ବନ୍ଧିତ ଖବର