ପୁଣି ଖୋଲିଲା ଜିଲ୍ଲାପାଳଙ୍କ ‘ବହି ବଗିଚା’

ସୁନ୍ଦରଗଡ଼: କରୋନା ପାଇଁ ସାମୟିକ ଭାବେ ବନ୍ଦ ଥିବା  ଜିଲ୍ଲାପାଳଙ୍କ ବାସ ଭବନ ପରିସରସ୍ଥିତ ‘ବହି ବଗିଚା’ ରବିବାର ଠାରୁ ପୁଣି ଥରେ ସର୍ବସାଧାରଣଙ୍କ ପାଇଁ ଖୋଲିଛି। ସୁନ୍ଦରଗଡ଼ର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ଅଭିଭାବକମାନେ ଆସି ଏହି ‘ବହି ବଗିଚା’ରେ ନିଜ  ପସନ୍ଦର ବହି ସଂଗ୍ରହ କରି ପଢ଼ିଥିଲେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନାତ୍ମକ ପ୍ରତିଭାର ବିକାଶ ପାଇଁ ‘ବହି ପଢ଼ା’ ବିଷୟବସ୍ତୁକୁ ଆଧାର କରି ଏକ ଚିତ୍ରାଙ୍କନ କର୍ମଶାଳା ଆୟୋଜିତ ହୋଇଥିଲା।

ଏଥିରେ  ପବ୍ଲିକ ସ୍କୁଲର ସାନ୍ତ୍ବନା ମେହେର ପ୍ରଥମ, ସେଣ୍ଟ ଟେରେସା ସ୍କୁଲର ଅଦିତି ରାଣୀ ଗୁପ୍ତା ଦ୍ବିତୀୟ, ସୁନ୍ଦରଗଡ଼ ପବ୍ଲିକ ସ୍କୁଲର ଅଙ୍କୁର ପଟେଲ ତୃତୀୟସ୍ଥାନ ଅଧିକାର କରିଥିଲେ। ଏହା ସହ ସ୍ଥାନୀୟ କଳାୟତନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଚିତ୍ରକଳାର ମଧ୍ୟ ଏକ ପ୍ରଦର୍ଶନୀ କରାଯାଇଥିଲା। କାର୍ଯ୍ୟକ୍ରମରେ  ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସମସ୍ତଙ୍କୁ ବହି ପଢ଼ିବାକୁ ଉତ୍ସାହିତ କରିଥିଲେ। ସେ କହିଥିଲେ, ‘ପୁସ୍ତକ ପଠନ ଭଲ ଅଭ୍ୟାସ, ସମାଜରେ ଭଲ ମଣିଷଟିଏ ହେବାକୁ ହେଲେ ଭଲ ପୁସ୍ତକଟେ ପଢ଼ିବା ନିହାତି ଜରୁରୀ, ତେଣୁ ସମସ୍ତେ ପୁସ୍ତକ ପଠନ ପ୍ରତି ରୁଚି ରଖିବା ଉଚିତ। ମୁଁ ଚାହେ, ସୁନ୍ଦରଗଡ଼ବାସୀ ପୁସ୍ତକ ପଠନକୁ ସେମାନଙ୍କ ନିୟମିତ ଅଭ୍ୟାସରେ ପରିଣତ କରନ୍ତୁ।

ସେଥିପାଇଁ ଆମର ଏହି ‘ବହି ପଢ଼’ ଅଭିଯାନ ଚାଲିଛି ବୋଲି’ ସେ କହିଥିଲେ। ସୂଚନାଯୋଗ୍ୟ, ଆଜିର ଡିଜିଟାଲ ଯୁଗରେ ମୋବାଇଲ ବ୍ୟବହାର କାରଣରୁ ଲୋକମାନେ ବହି ପଢ଼ା ଅଭ୍ୟାସକୁ ଭୁଲି ଯାଉଛନ୍ତି। ଜିଲ୍ଲାରେ ଛାତ୍ରଛାତ୍ରୀ, ଯୁବପିଢ଼ି ଓ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କ ଭିତରେ  ମନରେ ପୁଣି ଥରେ ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଚାଲିଛି। ଏହା ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ଖୋଲାଯାଇଛି।  ଜିଲ୍ଲାପାଳଙ୍କ ଆବାସସ୍ଥିତ ‘ବହି ବଗିଚା’ରେ ଓଡ଼ିଆ, ଇଂରାଜି ଭାଷା ସହିତ ସୁନ୍ଦରଗଡ଼ ଜିଲ୍ଲାର ପ୍ରତିଷ୍ଠିତ ଲେଖକମାନଙ୍କ ବିଭିନ୍ନ ପ୍ରକାରର ବହି ଗଚ୍ଛିତ ରହିଛି।

ଗ୍ରାମାଞ୍ଚଳରେ ଏହାର ପ୍ରଚାରପ୍ରସାର ପାଇଁ ଗ୍ରାମୀଣ ପାଠାଗାର ଖୋଲାଯାଇଛି। ଆସନ୍ତା ୨୨ରେ ରାଉରକେଲା ମହାନଗର ନିଗମ ଆରଏମସି ପାଠାଗାର ଓ ଜିଲ୍ଲା ସଂସ୍କୃତି ଭବନ ପାଠାଗାର ପରିସରରେ  ସଂଗୀତ, ନୃତ୍ୟ ଭଳି ବିଭିନ୍ନ ସୃଜନାତ୍ମକ କାର୍ଯ୍ୟକ୍ରମ କରାଯାଇ ପୁସ୍ତକ ପଠନକୁ ପ୍ରୋତ୍ସାହିତ କରାଯିବ। ପରବର୍ତ୍ତୀ ସମୟରେ ଏହାକୁ ବ୍ଳକ ଓ ପଞ୍ଚାୟତସ୍ତରକୁ ସମ୍ପ୍ରସାରଣ କରାଯାଇ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ବ୍ୟାପକ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ କୁଳଦୀପ ଖାଖା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର