ପୁଣି କାୟା ମେଲାଇଲାଣି ପିଡିଏସ୍‌ ଦୁର୍ନୀତି; ମିଲ୍‌ରୁ ସିଧା ପଞ୍ଚାୟତକୁ ଯାଉଛି ଚାଉଳ, ବାବୁଙ୍କ ପକେଟରେ ପଶୁଛି ପରିବହନ ଅର୍ଥ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ପୁଣିଥରେ ପିଡିଏସ୍‌ ଦୁର୍ନୀତି କାୟା ମେଲାଇଲାଣି। ପୂର୍ବପରି ଭୂତ କାର୍ଡ ଓ ନକଲି ଓଟିପିରେ ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ ହଡ଼ପ କରାଯାଉଛି। ଏଥିସହିତ, ପିଡିଏସ୍‌ ସାମଗ୍ରୀ ପରିବହନ ବାବଦ ଅର୍ଥ ମଧ୍ୟ ହଡ଼ପ କରାଯାଉଥିବାର ସୂଚନା ମିଳିଛି। ଏ ବାବଦରେ ବାବୁମାନଙ୍କ ପକେଟକୁ ପ୍ରତି ମାସ ଲକ୍ଷ ଲକ୍ଷ ଟଙ୍କା ଯାଉଥିବା ଅଭିଯୋଗ ହୋଇଛି। କେବଳ ସୁନ୍ଦରଗଡ଼ ଜିଲ୍ଲାରେ ନୁହେଁ, ଊଣାଅଧିକେ ପ୍ରାୟ ସବୁଜିଲ୍ଲାରେ ଏହିଭଳି ଘଟଣା ଘଟୁଛି।

ଯୋଗାଣ ବିଭାଗର ମାର୍ଗଦର୍ଶିକା ଅନୁସାରେ, ମିଲ୍‌ ପଏଣ୍ଟ୍‌ରୁ ଚାଉଳ ସିଧାସଳଖ ପଞ୍ଚାୟତକୁ ଯାଇପାରିବନାହିଁ। ମିଲ୍‌ରୁ ଚାଉଳ ପ୍ରଥମେ ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି)କୁ ଯିବ। ଗୋଦାମରେ ପହଞ୍ଚିବାପରେ ଯାଞ୍ଚ ଓ ସଂଗ୍ରହ ନିରୀକ୍ଷକ (ଏପିଆଇ) ତାହାର ମାନ ଯାଞ୍ଚ କରିବା ସହିତ ଚାଉଳ ଗ୍ରହଣ କରିବେ। ଏହାପରେ ଏଲ୍‌-୨ ଠିକାଦାର ଜରିଆରେ ପଞ୍ଚାୟତକୁ ପଠାଇବାକୁ ନିର୍ଦ୍ଦେଶ ରହିଛି। ଏହାର ପରିବହନ ଓ ଟ୍ରକ୍‌ରେ ଲୋଡିଂ, ଅନ୍‌ଲୋଡିଂ ପାଇଁ ସରକାର ଅର୍ଥ ଦେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା‌ରେ ଏହାର ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ଆର୍‌ଆର୍‌ସିକୁ ନନେଇ ଅନେକ ମିଲ୍‌ରୁ ସିଧାସଳଖ ପଞ୍ଚାୟତକୁ ଚାଉଳ ପଠାଯାଉଛି। ମାତ୍ର, କାଗଜପତ୍ରରେ ଆର୍‌ଆର୍‌ସି ପଏଣ୍ଟ୍‌ରେ ଚାଉଳ ପହଞ୍ଚିଥିବା ଏବଂ ସେଠାରୁ ପଞ୍ଚାୟତକୁ ପଠାଯାଇଥିବା ଦର୍ଶାଯାଉଛି। ଏହି ପ୍ରକ୍ରିୟାରେ ନିମ୍ନମାନର ଓ କମ୍‌ ପରିମାଣର ଚାଉଳ ଯୋଗାଣ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଛି।

ଜିଲ୍ଲାରେ ରହିଛି ୮ଟି ଚାଉଳ ସଂଗ୍ରହ କେନ୍ଦ୍ର। ରହିଛି। ସେଗୁଡ଼ିକ ହେଲା: ବାଲିଶଙ୍କରା ବ୍ଲକ୍‌ର ତେଲିଯୋର, ହେମଗିର ବ୍ଲକ୍‌ର ହେମଗିର, ଟାଙ୍ଗରପାଲି ବ୍ଲକ୍‌ର ଉଜ୍ବଳୁପର, ରାଜଗାଙ୍ଗପୁର ବ୍ଲକ୍‌ର ରାଣୀବନ୍ଧ, କୁତ୍ରା ବ୍ଲକ୍‌ର କୁତ୍ରା, ଏସଟିଆଇ ରାଉରକେଲାର ଆରଆରସି, ଏଫସିଆଇ ରାଉରକେଲା, ଆରଆରସି ବେଦବ୍ୟାସ। ଏଥିରେ ୧୬ଟି ମିଲର୍ସ ଅନୁବନ୍ଧିତ ହୋଇଛନ୍ତି। ବେଦବ୍ୟାସ ଆର୍‌ଆର୍‌ସି ଗୋଦାମକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଗୋଦାମରୁ ପ୍ରାୟ ୭୦ କି.ମି. ଦୂରରେ ଥିବା ବଣାଇ ଅଞ୍ଚଳର ମିଲ୍‌ରୁ ଚାଉଳ ଆସିବା କଥା। ତା’ପରେ ସେଠାରୁ ପ୍ରାୟ ୧୦୦ କି.ମି. ଦୂରରେ ଥିବା କୋଇଡ଼ା ବ୍ଲକର ପଞ୍ଚାୟତଗୁଡ଼ିକୁ ଚାଉଳ ଯିବା କଥା। ଲୋକଙ୍କୁ ଉଚିତ ମାନର ଚାଉଳ ଯୋଗାଇ ଦେବାଲାଗି ସରକାର ଏହି ଦୁଇପାଖିଆ ପରିବହନ ଓ ଦୁଇ ଦୁଇଥର ଲୋଡିଂ, ଅନ୍‌-ଲୋଡିଂ ଖର୍ଚ୍ଚ ଦେଉଛନ୍ତି। କିନ୍ତୁ ଉକ୍ତ ଆର୍‌ଆର୍‌ସିର ବାବୁମାନେ ଯୋଜନା କରି ବଣାଇ ମିଲ୍‌ରୁ ମାତ୍ର ୩୦ କି.ମି. ଦୂରରେ ଥିବା କୋଇଡ଼ାର ପଞ୍ଚାୟତକୁ ସିଧା ଚାଉଳ ପଠାଇ ଗୋଟିଏ ପଟର ପରିବହନ ଓ ଲୋଡିଂ, ଅନ୍‌ଲୋଡିଂ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ ହେଉଛି।

manatelangana.news

ଯୋଜନା ଅନୁସାରେ, କୌଣସି ମିଲ୍‌ରୁ ଚାଉଳ ଉଠିବାକୁ ଥିଲେ ଆରଆରସି ଏପିଆଇ ତୁରନ୍ତ ଏଲ-୨ ଠିକାଦାରଙ୍କୁ ସୂଚୀତ କରି ଦିଅନ୍ତି। ସେ ମିଲର୍ସଙ୍କ ସହ ଯୋଗାଯୋଗ କରି ନିର୍ଦ୍ଧାରିତ ପଞ୍ଚାୟତରେ ଚାଉଳ ପହଞ୍ଚାଇ ଦେବାକୁ କହନ୍ତି। ମିଲ୍‌ରୁ ଚାଉଳ ବୋଝେଇ ଟ୍ରକ ନିର୍ଦ୍ଧାରିତ ପଞ୍ଚାୟତକୁ ବାହାରିଲେ ଆରଆରସିରେ ତାକୁ ଗ୍ରହଣ (ରିସିଭ୍‌) ଦେଖାଇ କିଛି ଘଣ୍ଟା ପରେ ପ୍ରେରଣ ରସିଦ କାଟି ଦିଅନ୍ତି ଏପିଆଇ। ଏଥିପାଇଁ ତାଙ୍କ ପକେଟ୍‌ ବି ଗରମ ହୋଇଥାଏ। ଅନ୍ୟପଟେ ମିଲର୍ସ ସିଧା ପହଞ୍ଚାଇ ଦେଉଥିବାରୁ ଏଲ-୨ ଠିକାଦାର ଗୋଦାମରୁ ପଞ୍ଚାୟତକୁ ଯୋଗାଣ ପାଇଁ ପାଉଥିବା ପରିବହନ ଖର୍ଚ୍ଚ ବିନା ପରିଶ୍ରମରେ ଆରାମରେ ମୁଠେଇ ନେଉଛନ୍ତି ଓ ତାଙ୍କୁ ସେହି ସୁଯୋଗ ଦେଇ ବାବୁମାନେ ମଧ୍ୟ ସେଥିରୁ ଭାଗ ପାଉଛନ୍ତି।
ସମଗ୍ର ଜିଲ୍ଲାରେ ଏ ପ୍ରକ୍ରିୟା ଜୋରସୋର୍ ଚାଲିଥିବା ଚର୍ଚ୍ଚା ହେଉଛି। ଉଚ୍ଚସ୍ତରୀୟ ତଦନ୍ତ କରି ପିଡିଏସ୍‌ ଦୁର୍ନୀତିର ଏ ମହାଗୁମର ଫିଟାଇବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର