ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ କମୁନି ଜନନୀ ଯନ୍ତ୍ରଣା। ଗତ ୭ ତାରିଖରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ନିଆଯାଉଥିବା ଦେଖିବାକୁ ମିଳିଥିଲା। ପୁଣିଥରେ ବୁଧବାର ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ନେଇ ଭବାନୀପାଟଣା ଡାକ୍ତରଖାନା ପରିବର୍ତ୍ତେ ନବରଙ୍ଗପୁର ଜିଲ୍ଲାର ଡାକ୍ତରଖାନାର ଆଶ୍ରୟ ନେବାକୁ ପଡ଼ିଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଇନ୍ଦ୍ରାବତୀ ବିଛିନ୍ନାଞ୍ଚଳ ପୋଡ଼ାପଦର ପଞ୍ଚାୟତରେ।

Advertisment

publive-image

ଥୁଆମୂଳ ରାମପୁର ବ୍ଲକ୍‌ ଭିତରଡୁଙ୍ଗା ଗ୍ରାମର କୋଣ୍ଡା ମାଝୀଙ୍କ ପତ୍ନୀ ମଙ୍ଗାଇ ମାଝୀ ପ୍ରସବକାଳୀନ ଯନ୍ତ୍ରଣା ହେବାରୁ, ତାଙ୍କୁ ଡାକ୍ତରଖାନା ନେବାପାଇଁ ଖଟିଆର ବ୍ୟବସ୍ଥା କରାଯାଇ ବୋହିକି ଅଣାଯାଇଥିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ତେନ୍ତୁଳିପଦର ଡଙ୍ଗା ଘାଟକୁ। ଦୀର୍ଘ ଦେଢ଼ କିମି ପାହାଡ଼ର ବିପଦସଙ୍କୁଳ ରାସ୍ତା ଚାଲିଚାଲି ଗର୍ଭବତୀଙ୍କୁ ଆଣିଥିଲେ। ପୂର୍ବରୁ ସୂଚନା ପାଇ ଆସିଥିବା ବୋଟ ଆମ୍ବୁଲାନ୍ସ ଯୋଗେ ପୋଡ଼ାଗଡ଼ ଘାଟକୁ ଗର୍ଭବତୀଙ୍କୁ ଅଣାଯାଇଥିଲା। ସେଠାରୁ ପୁଣି ୧୦୮ ଆମ୍ବୁଲାନ୍ସରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ଗତ ୭ ତାରିଖରେ ଏଭଳି ସମାନ ଘଟଣା ଦେଖିବାକୁ ମିଳିଥିଲା। ସପ୍ତାହ ମଧ୍ୟରେ ପୁଣି ଆଉ ଜଣେ ଗର୍ଭବତୀ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ଅଞ୍ଚଳର ସମସ୍ୟା ସରକାର ଦୂର କରିବେ ଅଞ୍ଚଳବାସୀ ଚାହିଁ ବସିଛନ୍ତି।