ଲୁହା ପ୍ଲେଟ୍‌ ବି ଦବିଗଲା, ବ୍ରାହ୍ମଣୀ ସେତୁ ପୁଣି ଜାମ୍‌

ରାଉରକେଲା: ଆଶଙ୍କା ସତ ହେଲା। ଲୁହା ପ୍ଲେଟ୍‌ କାମ କଲାନି। ଭଙ୍ଗା ପୋଲ ଉପରେ ପଡ଼ିଥିବା ଲୁହା ପ୍ଲେଟ୍‌ଟି ଦବିଯିବାରୁ ଆଜି ଲୋକେ ନାହିଁ ନ ଥିବା ହିନସ୍ତା ହୋଇଛନ୍ତି। ୨୧୫ ଜାତୀୟ ରାଜପଥ ଓ ବିଜୁ ଏକ୍ସପ୍ରେସ୍‌ ୱେ’ରେ ଗାଡ଼ି ମୋଟର ଲମ୍ବା ଧାଡ଼ି ଲାଗିଛି। ଆଜି ସକାଳ ୧୦ଟାରୁ ଖବର ଲେଖାହେବା ଯାଏ ପାନପୋଷ ବ୍ରାହ୍ମଣୀ ସେତୁ ଉପରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ରାଉରକେଲା-ବେଦବ୍ୟାସ ମଧ୍ୟରେ ଗମନାଗମନ ପାଇଁ ବିଳକ୍ପ ସୁବିଧା ନଥିବାରୁ ପୁଲିସ ବି ନାକେଦମ୍‌ ହୋଇଛି। ତେବେ ବି ପୋଲର ସ୍ଥାୟୀ ମରାମତି ପାଇଁ କୌଣସି ଉଦ୍ୟମ ପରିଲକ୍ଷିତ ହେଉନାହିଁ।

ପ୍ରାୟ ଦୁଇ ମାସ ପୂର୍ବେ ପାନପୋଷ ବ୍ରାହ୍ମଣୀ ସେତୁରେ ଫାଟ ସୃଷ୍ଟି ହୋଇଥିଲା। ‌ପାନପୋଷରୁ ବେଦବ୍ୟାସ ଆଡ଼କୁ ସେତୁ ମଝିରେ ବାମ ପାର୍ଶ୍ବରେ କିଛି ଅଂଶ ତଳକୁ ଧସିଯାଇ ମରଣଯନ୍ତା ପାଲଟିଥିଲା। ଏହାର ସ୍ଥାୟୀ ମରାମତି ନ କରି ଏନ୍‌ଏଚ୍‌ କର୍ତ୍ତୃପକ୍ଷ ଏକ ଲୁହା ପ୍ଲେଟ୍‌ ପକାଇ ଅତ୍ୟନ୍ତ ବିପଦସଙ୍କୁଳ ଭାବେ ଯାନବାହନ ଚଳାଚଳ ପାଇଁ ଛାଡ଼ି ଦେଇଥିଲେ। ତେଣୁ ଭାରିଯାନ ଚଳାଚଳ ଯୋଗୁଁ ଲୁହା ପ୍ଲେଟ୍‌ଟି ତଳକୁ ଖସି ପଡ଼ି କୌଣସି ସମୟରେ ବଡ଼ଧରଣର ଦୁର୍ଘଟଣା ଆଶଙ୍କା ସୃଷ୍ଟି ହୋଇଥିଲା। ଏ ସମ୍ପର୍କରେ ‘ସମ୍ବାଦ’ରେ ଚଳିତ ମାସ ୪ ତାରିଖରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଲୁହା ପ୍ଲେଟ୍‌ଟି କୌଣସି ସମୟରେ ଦବି ଯାଇ ଯାତ୍ରୀଙ୍କ ପାଇଁ ମହାବିପତ୍ତି ଆଣିବ ବୋଲି ଉକ୍ତ ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଥିଲା। ଗତକାଲି ସଂଧ୍ୟାରେ ଲୁହା ପ୍ଲେଟ୍‌ଟି ତଳକୁ ଦବି ଯାଇ ଯାନବାହନଙ୍କ ପାଇଁ ମୃତ୍ୟୁଯନ୍ତାରେ ପରିଣତ ହେବାରୁ ରାତିରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ଉଦ୍ୟମ ହୋଇଥିଲା। ତେବେ ସେତୁ ଦବି ଯାଇଥିବା ସ୍ଥାନରେ କଙ୍କ୍ରିଟ୍‌ ଢଳେଇ କରି ତା’ ଉପରେ ପୁଣି ଏକ ଅର୍ଦ୍ଧବୃତ୍ତ ସଦୃଶ ବଡ଼ ଲୁହା ପ୍ଲେଟ୍‌ ପକାଇ ଦିଆଯାଇଥିଲା। ଫଳରେ ତା’ ଉପ‌ର ଦେଇ ଗାଡ଼ି ମୋଟର ଚଳାଚଳ କରି ପାରୁନାହିଁ। ଆଜି ସକାଳ ୮ଟାଠାରୁ ପୋଲର ଉଭୟ ପାର୍ଶ୍ବରେ ଗାଡ଼ି ଧାଡ଼ି ଲାଗିଥିଲା। ପୁଲିସ ଓ ଟ୍ରାଫିକ୍‌ କର୍ମଚାରୀମାନେ ଉଭୟ ପଟୁ ପର୍ଯ୍ୟାୟକ୍ରମେ ଗାଡ଼ି ମୋଟର ଛାଡ଼ି ଟ୍ରାଫିକ୍‌ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ହେଲେ ଆଜି ପୂର୍ବାହ୍ନ ୧୧ଟା ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା। ଅପରାହ୍ଣ ୪ଟା ବେ‌ଳକୁ ପୁଲିସ କର୍ମଚାରୀମାନେ ମଧ୍ୟ ଯାନବାହନ ନିୟନ୍ତ୍ରଣ କରି ପାରି ନଥିଲେ। ଘଣ୍ଟା ଘଣ୍ଟା ଧରି ଗାଡ଼ି ଅଟକି ରହିବାରୁ ରାଉରକେଲାରୁ କୁଆଁରମୁଣ୍ଡାର ଜମୁନାନାକି, ବେଲଡିହି ଓ ଦେଓଗାଁ ପର୍ଯ୍ୟନ୍ତ ଲମ୍ବା ଧାଡ଼ିରେ ଗାଡ଼ିଗୁଡ଼ିକ ଛିଡ଼ା ହୋଇଥିଲା।

ସମ୍ବନ୍ଧିତ ଖବର