ପୁଣି ବିଗିଡ଼ିଗଲା ଉଚ୍ଚଶିକ୍ଷା: ପାଠପଢ଼ା ଓ ପରୀକ୍ଷାକୁ ନେଇ ଅନିଶ୍ଚିତତା

ଛାତ୍ରଛାତ୍ରୀଙ୍କୁ ସେମିଷ୍ଟର ପ୍ରମୋସନ ଦିଆଯାଉ

ଭୁବନେଶ୍ବର: ପାଖାପାଖି ଗୋଟିଏ ବର୍ଷ ଧରି ଉଚ୍ଚଶିକ୍ଷା ପ୍ରଭାବିତ ହୋଇଥିଲା। ପାଠପଢ଼ା ସ୍ବାଭାବିକ ହୋଇପାରି ନ ଥିଲା କି ପରୀକ୍ଷା ବି ହୋଇପାରିନଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଜାନୁଆରିରୁ ୟୁଜି ଓ ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ପୁଣିଥରେ ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ ଅନ୍ୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍‌ ଖୋଲିଥିଲା। ତେବେ ୩ ମାସ ଠିକ୍‌ ସେ ପାଠପଢ଼ା ହୋଇଛି କି ନାହିଁ ଏବେ କରୋନା ଦ୍ବିତୀୟ ଲହର ସବୁ କିଛି ବିଗାଡ଼ି ଦେଇଛି। ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଥିବା ବେଳେ ବିଭିନ୍ନ ସେମିଷ୍ଟର ପରୀକ୍ଷାକୁ ନେଇ ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି। ମେ’ ୩୧ ଯାଏ ପାଠପଢ଼ା କିମ୍ବା ପରୀକ୍ଷା ହେବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ କୁହାଯାଇଥିବାରୁ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା କିଭଳି ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ବାକି ସେମିଷ୍ଟର ଛାତ୍ରଛାତ୍ରୀଙ୍କୁ ପ୍ରମୋସନ ଦେଇ ପରବର୍ତୀ ସେମିଷ୍ଟର ପାଠପଢ଼ା ଆରମ୍ଭ କରିବାକୁ ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

ଜାନୁଆରି ୧୧ରେ ପିଜି ଓ ୟୁଜି ଶେଷ ବର୍ଷ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା। କରୋନା ଯୋଗୁଁ ସବୁ କିଛି ବିଳମ୍ବିତ ହୋଇଥିବାରୁ ମାର୍ଚ୍ଚରେ ମିଡ୍‌ ସେମିଷ୍ଟର ଓ ଜୁନ୍‌ରେ ଶେଷ ସେମିଷ୍ଟର ପରୀକ୍ଷା କରିବାକୁ ବିଜ୍ଞପ୍ତି ଜାରି କରାଯାଇ ପାଠପଢ଼ା ଚାଲିଥିଲା। ମାର୍ଚ୍ଚରେ ମିଡ୍‌ ସେମିଷ୍ଟର ପରୀକ୍ଷା ହେବା ସହ ରେଜଲ୍ଟ ବାହାରି ସାରିଛି। ଶେଷ ସେମିଷ୍ଟର ପାଠପଢ଼ା ଚାଲିଥିବା ବେଳେ କାରୋନାର ଦ୍ବିତୀୟ ଲହର ଲାଗି କ୍ଲାସରୁମ୍‌ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ପାଖାପାଖି ଦେଢ଼ ମାସ ଧରି ପାଠପଢ଼ା ବନ୍ଦ ରହିବାକୁ ଥିବାରୁ ଜୁନ୍ ୧୧ରୁ ୩୦ ମଧ୍ୟରେ ହେବାକୁ ଥିବା‌ ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି। ଏବେ ଯେଉଁ ସ୍ଥିତି ରହିଛି ସେଥିରେ ପରୀକ୍ଷା କରାଇ ଜୁଲାଇ ୧୫ ସୁଦ୍ଧା ଫଳ ପ୍ରକାଶ କରିବା ସମ୍ଭବପର ନୁହେଁ। ତେଣୁ ଏକାଡେମିକ କ୍ୟାଲେଣ୍ଡରରେ ପୁଣିଥରେ ସଂଶୋଧନ କରିବାକୁ ହେବ ବୋଲି ଶିକ୍ଷାନୁଷ୍ଠାନ କର୍ତୃପକ୍ଷ କହିଛନ୍ତି।

ଅନ୍ୟପକ୍ଷରେ ୨୦୨୦-୨୧ ଶିକ୍ଷାବର୍ଷର ୩ ବର୍ଷିଆ ୟୁଜି ପାଠ୍ୟକ୍ରମର ତୃତୀୟ ସେମିଷ୍ଟର ଓ ୪ ବର୍ଷିଆ ୟୁଜି ପାଠ୍ୟକ୍ରମର ୫ମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଫେବ୍ରୁଆରି ୧୦ରୁ ଏପ୍ରିଲ ୧୭ ପର୍ଯ୍ୟନ୍ତ ହୋଇଥିଲେ ମଧ୍ୟ ପରୀକ୍ଷା ହୋଇପାରି ନାହିଁ। ସେହିପରି ୨୦୨୦-୨୧ ଶିକ୍ଷାବର୍ଷର ୩ ବର୍ଷିଆ ୟୁଜି ପାଠ୍ୟକ୍ରମର ୪ର୍ଥ ସେମିଷ୍ଟର ଓ ୪ ବର୍ଷିଆ ୟୁଜି ପାଠ୍ୟକ୍ରମର ୬ଷ୍ଠ ସେମିଷ୍ଟର ପାଠପଢ଼ା ମେ’ ୩ରୁ ଅଗଷ୍ଟ ୩୧ ଯାଏ, ସେପ୍ଟେମ୍ବର ୧ରୁ ୧୫ ମଧ୍ୟରେ ପରୀକ୍ଷା ଏବଂ ଅକ୍ଟୋବର ୧୬ ସୁଦ୍ଧା ଫଳ ପ୍ରକାଶ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ତାହା ବାଧାପ୍ରାପ୍ତ ହେବ। ୨୦୨୦-୨୧ ଶିକ୍ଷାବର୍ଷର ପିଜି ପ୍ରଥମ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଫେବ୍ରୁଆରି ୧୦ରୁ ଜୁନ୍‌ ୫ ଯାଏ ଚାଲିବା ସହ ଜୁନ୍‌ ୭ରୁ ୧୯ ମଧ୍ୟରେ ପରୀକ୍ଷା ଏବଂ ଜୁଲାଇ ୨୦ରେ ଫଳ ବାହାରିବାକୁ ସ୍ଥିର ହୋଇଥିଲେ ମଧ୍ୟ ତାହା ଆଗେଇ ନାହିଁ। ଅଧାରୁ ପାଠପଢ଼ା ବନ୍ଦ ରହିଛି। ଉକ୍ତ ସମସ୍ତ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇ ଫଳ ବାହାରିବ ନା ଛାତ୍ରଛାତ୍ରୀଙ୍କୁ ସେମିଷ୍ଟାର ପ୍ରମୋସନ ଦିଆଯିବ। ଜୁନ୍‌ ୨୧ରୁ ଆରମ୍ଭ ହେବାକୁ ଥିବା ଏହି ଛାତ୍ରଛାତ୍ରୀଙ୍କ ଦ୍ବିତୀୟ ସେମିଷ୍ଟର୍‌ ପାଠପଢ଼ା କିଭଳି ହେବ ତାହାକୁ ନେଇ ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧିତ ଖବର