ନୀଳାଦ୍ରି ବିଜେକୁ ଗ୍ରହଣ ଅଡ଼ୁଆ, ଏକାଦଶୀରେ ଶୟନ ନୀତି, ଦ୍ବାଦଶୀରେ ସୁନାବେଶ

ପୁରୀ: ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଅଡ଼ୁଆରେ ପଡ଼ିଛି। ପ୍ରଥମେ ସୁନାବେଶକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା, ଏବେ ନୀଳାଦ୍ରି ବିଜେକୁ ନେଇ ଆଉ ଏକ ଅଡ଼ୁଆ ‌ଦେଖାଦେଇଛି। କାରଣ ନୀଳାଦ୍ରି ବିଜେ ପରେ ପରେ ଗ୍ରହଣ ଲାଗୁଛି। ସେହି ଦୃଷ୍ଟିରୁ ୮ ଘଣ୍ଟା ପୂର୍ବରୁ ପାକ ତ୍ୟାଗ ହେବ। ଏଣୁ ଚଳିତ ବର୍ଷ ସଅଳ ପହଣ୍ଡି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଛି। ଆଜି ଶ୍ରୀମନ୍ଦିର ନୀତି ସବକମିଟି ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା ହୋଇଛି। ମହାପ୍ରଭୁଙ୍କ ସଅଳ ପହଣ୍ଡି କରି ସମସ୍ତ ନୀତି ସାରିବା ଉପରେ ଗୁରୁତ୍ବ ଦିଆଯାଇଛି। ଫଳରେ ଗ୍ରହଣ ପାଇଁ ଆଉ କୌଣସି ନୀତି କିମ୍ବା ପରମ୍ପରା ପ୍ରଭାବିତ ହେବନି ବୋଲି ନୀତି ସବକମିଟି ବୈଠକରେ ପରିଚାଳନା କମିଟି ସଦସ୍ୟ ଓ ପ୍ରଶାସନିକ ଅଧିକାରୀମାନେ ମତ ରଖିଛନ୍ତି। ତେବେ ଛତିଶା ନିଯୋଗ ବୈଠକ ଓ ପରିଚାଳନା କମିଟି ବୈଠକ ପରେ ଯାହା କିଛି ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ନୀତି ସବକମିଟି ବୈଠକରେ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାଶ, ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ, ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ମାଧବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ଆରମ୍ଭରୁ ସ୍ନାନଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ନୀତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ସ୍ନାନଯାତ୍ରା ନୀତି ସୁରୁଖୁରରେ ସଂପାଦନ ପାଇଁ ଭିଡ଼ ନିୟନ୍ତ୍ରଣ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଠାକୁର ପହଣ୍ଡି ହୋଇ ଆସିବା ବେଳେ ଯେପରି ଚାରିପାର୍ଶ୍ବରେ ଭିଡ଼ କମ୍ ରହିବ ସେ ଉପରେ ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଥିଲା। ଚଳିତ ବର୍ଷ ସୁନାବେଶକୁ ନେଇ ଅଡ଼ୁଆ ପରିସ୍ଥିତି ସୃଷ୍ଟି‌ ହେବା ପରେ ଏକାଦଶୀରେ ମହାପ୍ରଭୁଙ୍କ ଶୟନ ନୀତି ସାରିବା ପରେ ଦ୍ବାଦଶୀରେ ସୁନାବେଶ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହିଦିନ ଗରୁଡ଼ ଶୟନ ନୀତି କରିବାକୁ ନିଷ୍ପତ୍ତି ହୋଇଛି। ସବୁଠୁ ବଡ଼ ସମସ୍ୟା ହେଲା ଗ୍ରହଣ। ଏଥର ଜୁଲାଇ ୧୪ ତାରିଖରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ପଡ଼ୁଛି। ୧୫ ତାରିଖରେ ଶିବଶୟନ ନୀତି ଓ ୧୬ ତାରିଖରେ ଚନ୍ଦ୍ରଗ୍ରହଣ ଲାଗୁଛି। ପ୍ରତିବର୍ଷ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ପରେ ନୀଳାଚଳ ଅବଢ଼ା ପାଇବା ପାଇଁ ଭକ୍ତମାନେ ଅନାଇ ବସିଥାନ୍ତି। ପୁଣି ନୀଳାଦ୍ରି ବିଜେ ନୀତି ବିଳମ୍ବିତ ରାତିରେ ଶେଷ ହୋଇଥାଏ। ସେହି ଅନୁସାରେ ପରଦିନ ନୀତି ବି ସାମାନ୍ୟ ବିଳମ୍ବ ହୋଇଥାଏ। କିନ୍ତୁ ଚଳିତ ବର୍ଷ ୧୬ ତାରିଖରେ ଗ୍ରହଣ ଲାଗୁଛି। ଗ୍ରହଣ ଲାଗିବାର ୮ ଘଣ୍ଟା ପୂର୍ବରୁ ପାକତ୍ୟାଗ। ଯଦି ନୀଳାଦ୍ରି ବିଜେ ବିଳମ୍ବ ହୁଏ, ତେବେ ନୀଳାଚଳ ଅବଢ଼ା ବି ବିଳମ୍ବ ହେବ। ଭକ୍ତମାନେ ଅବଢ଼ା ପାଇବେନି। ଏହି ଦୃଷ୍ଟିରୁ ଚଳିତ ବର୍ଷ ଦିନ ୨ଟା ସୁଦ୍ଧା ନୀଳାଦ୍ରି ବିଜେ ନୀତି ଆରମ୍ଭ କରିବାକୁ ନୀତି ସବ୍‌କମିଟି ନିଷ୍ପତ୍ତି ନେଇଛି। ଆସନ୍ତା ୯ ତାରିଖରେ ଛତିଶା ନିଯୋଗ ଏବଂ ୧୧ ତାରିଖରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଏଣୁ ଏହି ଦୁଇ ବୈଠକରେ ବିସ୍ତୃତ ଆଲୋଚନା ପରେ ଯାହା କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।

ସମ୍ବନ୍ଧିତ ଖବର