‘ସମ୍ବାଦ’ ପୁଣି ୧ ନମ୍ବର

ଆଇଆର୍‌ଏସ୍‌ ସର୍ଭେ-୨୦୧୭

ଭୁବନେଶ୍ୱର: ପ୍ରାୟ ଏକ ଦଶନ୍ଧି ଧରି ରାଜ୍ୟର ସର୍ବାଧିକ ପ୍ରସାରିତ ଓ ପଠିତ ଖବରକାଗଜର ମାନ୍ୟତା ପାଇ ଆସିଥିବା ‘ସମ୍ବାଦ’ ପୁଣିଥରେ ଇଣ୍ଡିଆନ୍‌ ରିଡରସିପ୍‌ ସର୍ଭେ (ଆଇଆର୍‌ଏସ୍‌)-୨୦୧୭ରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଦେଶର ସବୁଠାରୁ ବିଶ୍ୱସନୀୟ ସର୍ବେକ୍ଷଣ ସଂସ୍ଥା ଭାବେ ଖ୍ୟାତ ଆଇଆର୍‌ଏସ୍‌ ପକ୍ଷରୁ ନିକଟରେ ପ୍ରକାଶିତ ରିପୋର୍ଟରେ ‘ସମ୍ବାଦ’ର ପାଠକ ସଂଖ୍ୟା ଓଡ଼ିଶାରେ ସବୁଠୁ ଅଧିକ ବୋଲି ଦର୍ଶାଯାଇଛି। ଅନ୍ୟ ସମସ୍ତ ଓଡ଼ିଆ ଖବରକାଗଜ ତୁଳନାରେ ‘ସମ୍ବାଦ’ ଯଥେଷ୍ଟ ଆଗରେ ଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଯାଇଛି। ଆଇଆର୍‌ଏସ୍‌-୨୦୧୭ ରିପୋର୍ଟ ଅନୁଯାୟୀ, ‘ସମ୍ବାଦ’ର ୬୫ଲକ୍ଷ ୯୪ହଜାର ପାଠକ ଅଛନ୍ତି। ସର୍ଭେ କରାଯାଇଥିବା ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଖବରକାଗଜମାନେ ବହୁ ପଛରେ ଅଛନ୍ତି। ଏହି ନିର୍ଦିଷ୍ଟ ସମୟସୀମା ମଧ୍ୟରେ ‘ସମାଜ’ର ୫୬ଲକ୍ଷ ୩୦ହଜାର ପାଠକ ଥିବାବେଳେ ‘ପ୍ରମେୟ’ର ୩୬ଲକ୍ଷ ୯୫ହଜାର, ‘ଧରିତ୍ରୀ’ର ୩୫ଲକ୍ଷ ୪୨ହଜାର ଏବଂ ‘ସମୟ’ର ୧୦ଲକ୍ଷ ୯୭ହଜାର ପାଠକ ଅଛନ୍ତି। ଅର୍ଥାତ ତୁଳନାତ୍ମକ ଭାବେ ବିଚାର କଲେ ‘ସମ୍ବାଦ’ର ପାଠକ ସଂଖ୍ୟା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ‘ସମାଜ’ଠାରୁ ୯ଲକ୍ଷ ୬୪ହଜାର ଅଧିକ ରହିଛି। ସେହିପରି ‘ପ୍ରମେୟ’ ଓ ‘ଧରିତ୍ରୀ’ଠାରୁ ‘ସମ୍ବାଦ’ ପ୍ରାୟ ୩୦ଲକ୍ଷ ଅଧିକ ପାଠକଙ୍କ ପସନ୍ଦ ପାଲଟିଥିବା ବେଳେ ‘ସମୟ’ଠାରୁ ପ୍ରାୟ ୫୫ଲକ୍ଷ ଅଧିକ ପାଠକଙ୍କ ନିକଟରେ ପହଞ୍ଚିବାରେ ସମର୍ଥ ହୋଇଛି।

ପଢ଼ୁଛନ୍ତି ୬୫ ଲକ୍ଷ ୯୪ ହଜାର ପାଠକ
ସମସ୍ତ ପ୍ରତିଦ୍ୱନ୍ଦ୍ୱୀଠାରୁ ଯଥେଷ୍ଟ ଆଗରେ

ସୂଚନାଯୋଗ୍ୟ ଯେ, ଏହି ସର୍ଭେରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧୨ବର୍ଷରୁ ଅଧିକ ବୟସ୍କ ପାଠକ ସାମିଲ୍‌ ହୋଇଥିଲେ। ମାସକରେ ଅନ୍ତତଃ ଥରଟିଏ ଖବରକାଗଜ ପଢ଼ିଥିବା ଲୋକଙ୍କୁ ଏଥିରେ ସାମିଲ୍‌ କରାଯାଇଛି। ସର୍ଭେକୁ ନିରପେକ୍ଷ ଓ ବିଶ୍ୱସନୀୟ କରିବା ପାଇଁ ପ୍ରାୟ ସମସ୍ତ ଅଗ୍ରଣୀ ଖବରକାଗଜକୁ ଏହି ସର୍ଭେରେ ସାମିଲ୍‌ କରାଯାଇଥିଲା। ଖବରକାଗଜ ସଂସ୍ଥାଗୁଡ଼ିକ ବି ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ସବୁ ବର୍ଗର ପାଠକ ଓ ବିଜ୍ଞାପନଦାତାଙ୍କ ପାଇଁ ଆଇଆରଏସ୍‌ ସର୍ଭେ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିବାବେଳେ ଓଡ଼ିଶାବାସୀ କ୍ରମାଗତ ଭାବେ ବର୍ଷ ବର୍ଷ ଧରି ‘ସମ୍ବାଦ’କୁ ଶୀର୍ଷରେ ରଖିଥିବାରୁ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହାର ଅଗଣିତ ପାଠକ ପାଠିକାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର