ପୁଣି ଚାଷୀ ପାଇଁ ଯୋଜନା : ମୁଗ, ହରଡ଼, ବିରି, ଚିନାବାଦାମର ସହାୟକ ମୂଲ୍ୟ ବଢ଼ିଲା

ପ୍ରଥମ ସପ୍ତାହରୁ ସରକାର କିଣିବେ ୪ଟି ଶସ୍ୟ

ଭୁବନେଶ୍ବର : ପ୍ରଥମ ଥର ପାଇଁ ରାଜ୍ୟ ସରକାର ଖରିଫ ଋତୁରେ ହୋଇଥିବା ଡାଲିଜାତୀୟ ଓ ତୈଳବୀଜ ଫସଲ କିଣିବେ। ସଂପୃକ୍ତ ଚାଷୀମାନଙ୍କୁ ଅଭାବୀ ବିକ୍ରିରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଯାଇଛି। ଏହା ପୂର୍ବରୁ ୨୦୧୬-୧୭ରେ ସହାୟକ ମୂଲ୍ୟ ଧାର୍ଯ୍ୟ ହୋଇଥିଲା। ଜାନୁଆରି ମାସ ପ୍ରଥମ ସପ୍ତା‌ହରୁ ଏସବୁ ଶସ୍ୟ ସଂଗ୍ରହ ଆରମ୍ଭ ହେବ।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସହାୟକ ମୂଲ୍ୟ ଯୋଜନାର ରାଜ୍ୟସ୍ତରୀୟ ଅନୁଧ୍ୟାନ କମିଟି ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ମୁତାବକ ସରକାର ଚାଷୀମାନଙ୍କଠାରୁ ଖରିଫ ଋତୁର ଡାଲିଜାତୀୟ ଶସ୍ୟ ଯଥା: ମୁଗ, ହରଡ଼ ଓ ବିରି ଏବଂ ତୈଳବୀଜ ଶସ୍ୟ ଚିନାବାଦାମ କିଣିବେ। ଏଥିପାଇଁ ସହାୟକ ମୂଲ୍ୟ ବୃଦ୍ଧି ହୋଇଛି। ୨୦୧୬-୧୭ରେ ମୁଗ କ୍ବିଣ୍ଟାଲ୍‌ ପିଛା ୫୫୭୫ ଟଙ୍କା ଥିବା ବେଳେ ଚଳିତ ଖରିଫରେ ଏହାର ସହାୟକ ମୂଲ୍ୟ ୬୯୭୫ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ବିରି କ୍ବିଣ୍ଟାଲ୍‌ ପିଛା ମୂଲ୍ୟ ୫୪୦୦ ଟଙ୍କାରୁ ୫୬୦୦ ଟଙ୍କା, ହରଡ଼ ୫୪୫୦ ଟଙ୍କାରୁ ୫୬୭୫ ଟଙ୍କାକୁ ଏବଂ ଚିନାବାଦାମ କ୍ବିଣ୍ଟାଲ୍‌ ପିଛା ମୂଲ୍ୟ ୪୪୫୦ ଟଙ୍କାରୁ ୪୮୦୦ ଟଙ୍କାକୁ ବୃଦ୍ଧି ହୋଇଛି।

ଚଳିତ ଖରିଫ ଋତୁରେ ୧୭୨୭୬ ‌ମେଟ୍ରିକ ଟନ୍‌ର ଡାଲି ଓ ତୈଳବୀଜ କ୍ରୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କର୍ପସ ପାଣ୍ଠି ଭାବେ ସମବାୟ ବିଭାଗକୁ ଦିଆଯାଇଛି ୧୦୦ କୋଟି। ଡାଲି ଓ ତୈଳବୀଜ ଫସଲ ହେଉଥିବା ମୁଖ୍ୟତଃ ୧୦ଟି ଜିଲ୍ଲା ଯଥା: ଗଞ୍ଜାମ, ମାଲକାନଗିରି, ନୂଆପଡ଼ା, ସୋନପୁର, କଳାହାଣ୍ଡି, ମୟୂରଭଞ୍ଜ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରୁ ଏସବୁ ଶସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ନିକଟବର୍ତୀ ଅନ୍ୟାନ୍ୟ ଜିଲ୍ଲାରେ ଫସଲ ହେଉଥିଲେ ସେସବୁ ମଧ୍ୟ ସଂଗ୍ରହ କରାଯିବ। ଜିଲ୍ଲା ସ୍ତରରେ ଜିଲ୍ଲାପାଳ କମିଟି ଗଠନ କରି ଫସଲ ହେଉଥିବା ଅଞ୍ଚଳରୁ କିପରି ଏଭଳି ଶସ୍ୟ ସଂଗ୍ରହ କରିବେ ତା’ ଉପରେ ନିଷ୍ପତ୍ତି ନେବେ ବୋଲି କୃଷି ନିର୍ଦେଶକ ଡ. ମୁଥୁକୁମାର କହିଥିଲେ। ଧାନ ସଂଗ୍ରହ ଭଳି ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) ଡାଲି ଓ ତୈଳବୀଜ ଶସ୍ୟ ସଂଗ୍ରହ କରିବେ।

ସମ୍ବନ୍ଧିତ ଖବର