ନିଆଳିରେ ପୁଣି ୫ମେଣ୍ଢାଙ୍କ କଲିଜା ଖାଇଲା ଜନ୍ତୁ, ଉଦୟଙ୍କ ଗୁହାଳ ସଫା

ନିଆଳି: ନିଆଳି ବ୍ଲକର ବିଳାସୁଣୀ ପଞ୍ଚାୟତ କୂଳଦହିଜଙ୍ଗ ଗ୍ରାମର ଉଦୟନାଥ ଭୋଇଙ୍କ ଗୁହାଳେ ପଶି ଅଜଣା ଜନ୍ତୁ ୫ଟି ମେଣ୍ଢାକୁ ମାରି କଲିଜା ଖାଇଥିବା ବେଳେ ଉଦୟଙ୍କ ଗୁହାଳ ମେଣ୍ଢାଶୂନ୍ୟ ହୋଇଯାଇଛି। ଅପରପକ୍ଷେ ବନ ବିଭାଗ ପକ୍ଷରୁ ଗୁହାଳ ପାଖରେ ଲାଗିଥିବା କ୍ୟାମେରା ଓ ଜନ୍ତା ଜନ୍ତୁକୁ ଠାବ କରିବାରେ ବିଫଳ ହୋଇଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଉଦୟଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ଗୁହାଳରେ ଥିବା ୫ଟି ମେଣ୍ଢାଙ୍କ ପେଟ ଚିରି କଲିଜା ଖାଇଛି। ଆଜି ସକାଳେ ଏ ସଂପର୍କରେ ଖବର ପାଇ ନିଆଳି ପ୍ରାଣୀ ଚିକିତ୍ସାଳୟର ମୁଖ୍ୟ ଡ଼ାକ୍ତର ଶଶାଙ୍କ ଶେଖର ନାୟକ ଘଟଣା ସ୍ଥଳରେ ପହଞ୍ଚ ମୃତ ମେଣ୍ଢାର ଶବ ବ୍ୟବଚ୍ଛେଦ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ନଭେମ୍ବର ୨୯ତାରିଖରେ ଉଦୟଙ୍କ ଗୁହାଳରେ ଜନ୍ତୁ ପଶି ୪ଟି ମେଣ୍ଢାଙ୍କୁ ମାରିଥିବା ବେଳେ ଗୋଟିଏ ମେଣ୍ଢାକୁ ଘାଇଲା କରିଥିଲା। ଘାଇଲା ମେଣ୍ଢାଟି ପରେ ମରିଯାଇଥିଲା। ତେବେ ଉଦୟଙ୍କ ଗୁହାଳରେ ଥିବା ଆଉ ୫ଟି ମେଣ୍ଢାକୁ ସମାନ ଢ଼ଙ୍ଗରେ ଜନ୍ତୁ ପେଟ ଚିରି କଲିଜା ଖାଇଥିବା ବେଳେ ଉଦୟଙ୍କ ଗୁହାଳ ମେଣ୍ଢା ଶୂନ୍ୟ ହୋଇଯାଇଥିବା ଜଣାଯାଇଛି। ସେହିପରି ବନ ବିଭାଗ ପକ୍ଷରୁ ଗତ ୪ଦିନ ତଳେ ଉଦୟଙ୍କ ଗୁହାଳ ପାଖାପାଖି ବସିଥିବା ଜନ୍ତାରେ ଜନ୍ତୁ ନପଡ଼ିବା ନେଇ ସାଧାରଣରେ ବସ୍ମ୍ମୟ ସୃଷ୍ଟି କରିଛି। ଗୁହାଳ ନିକଟରେ ଲାଗିଥିବା କ୍ୟାମେରାଟିକୁ ଆଜି ସକାଳୁ ବନ ବିଭାଗ କାଢ଼ି ନେଇଥିବା ବେଳେ କ୍ୟାମେରାରେ ଫଟୋ ଆସିଛି କି ନାହିଁ ତାହା ବନ ବିଭାଗ ସୂଚନା ଦେଇନାହିଁ। ଏଠାରେ ସୂଚନା ଯୋଗ୍ୟ ଗତ ୩ମାସ ତଳେ ନିଆଳିରେ ଜନ୍ତୁ ଆକ୍ରମଣରେ ୨୫୦ରୁ ଅଧିକ ମେଣ୍ଢାଙ୍କର ଜୀବନ ଯାଇଥିବା ବେଳେ ଗଲା ମାସକ ଭିତରେ ୮୦ରୁ ଅଧିକ ମେଣ୍ଢାଙ୍କର ଜୀବନ ଗଲାଣି।

ସମ୍ବନ୍ଧିତ ଖବର