ପୁଣି ଅଟକିଲା ବିଶ୍ବବିଦ୍ୟାଳୟ ଶିକ୍ଷକ ନିଯୁକ୍ତି, ପରବର୍ତୀ ବିଜ୍ଞପ୍ତିକୁ ଅପେକ୍ଷା କରିବାକୁ କୁଳସଚିବଙ୍କୁ ନିର୍ଦେଶ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟଗୁଡ଼ିକରେ ଖାଲିଥିବା ଟିଚିଂ ପଦବିଗୁଡ଼ିକ ପୂରଣ ଲାଗି ଗତ ମେ’ ୯ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୧୧ଟି ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ କୁହାଯାଇଥିଲା। ବିଶ୍ବବିଦ୍ୟାଳୟଗୁଡ଼ିକ ଏନେଇ ତତ୍ପରତା ପ୍ରକାଶ କରିବାର କିଛି ଦିନ ଯାଇଛି କି ନାହିଁ ଗତକାଲି ପୁଣିଥରେ ଚିଠି ଲେଖାଯାଇ ନିଯୁକ୍ତି ପ୍ରକ୍ରିୟା ନ କରିବାକୁ ନିର୍ଦେଶ ‌ଦିଆଯାଇଛି। ପରବର୍ତୀ ନିର୍ଦେଶ ନଯିବା ପର୍ଯ୍ୟନ୍ତ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିବାକୁ ବିଭାଗୀୟ ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର ୧୧ଟି ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଜଣାଇଛନ୍ତି। ନିଯୁକ୍ତି ସମ୍ପର୍କିରେ ବିଚାର ବିମର୍ଶ ପରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।

ସୂଚନା‌ଯୋଗ୍ୟ ଯେ ଅଧ୍ୟାପକ ପଦବିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଉପୁଜିଥିବା ବିବାଦରେ ଅଦାଲତଙ୍କ ରହିତାଦେଶ ଯୋଗୁଁ ୨୦୧୮ ଜୁଲାଇରେ ଓଡ଼ିଶା ସମେତ ସାରା ଦେଶରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକର ବିଭିନ୍ନ ଅଧ୍ୟାପକ ପଦବି ପୂରଣ ହୋଇ ପାରୁ ନ ଥିଲା। ତେବେ ନିକଟରେ ମାମଲାର ରାୟ ପ୍ରକାଶ ପାଇବା ପରେ ୟୁଜିସି ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିଲା। ତାହାକୁ ଆଧାର କରି ସମସ୍ତ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ଏବେ ସୁଦ୍ଧା ୧୧ଟି ବିଶ୍ବବିଦ୍ୟାଳୟରେ ୭୬୦ରୁ ଅଧିକ ଶିକ୍ଷକ ପଦବି ଖାଲି ରହିଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ସବୁଠାରୁ ଅଧିକ ୧୭୦ଟି ଶିକ୍ଷକ ପଦବି ଖାଲି ଥିବାବେଳେ ଉତ୍କଳରେ ୧୩୦, ବ୍ରହ୍ମପୁରରେ ୬୭, ସମ୍ବଲପୁରରେ ୪୬, ଉତ୍ତର ଓଡ଼ିଶାରେ ୧୨, ଫକୀର ମୋହନରେ ୧୦ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୨ଟି ଶିକ୍ଷକ ପଦବି ଖାଲି ପଡ଼ିଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ସୃଷ୍ଟି ହୋଇଥିବା ନୂତନ ପଦବିରେ ନିଯୁକ୍ତି ହୋଇପାରିନାହିଁ।

ସମ୍ବନ୍ଧିତ ଖବର