ବୁର୍ଲା: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିସୁଟ୍‌)ର ଛାତ୍ରମାନଙ୍କ ଏକ ଦଳ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଦ୍ଵାରା ଆୟୋଜିତ ପାନ୍ ଇଣ୍ଡିଆ ଇନୋଭେସନ୍ ପ୍ରତିଯୋଗିତାରେ ‘ଡେୟାର ଟୁ ଡ୍ରିମ୍ ୩.୦’ର ତୃତୀୟ ସଂସ୍କରଣରେ ଦ୍ଵିତୀୟ ରନର୍ସ ଅପ୍ ହେବା ସହ ୩ ଲକ୍ଷ ଟଙ୍କାର ପୁରସ୍କାର ଜିତିଛି।

Advertisment

ଗତ ବର୍ଷ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ‘ଆତ୍ମନିର୍ଭର ଭାରତ’ ପାଇଁ ଦେଶରେ ପ୍ରତିରକ୍ଷା ଏବଂ ମହାକାଶ ଗବେଷଣାରେ ନୂତନତ୍ୱ ସୃଷ୍ଟି ପାଇଁ ଉଭୟ ବ୍ୟକ୍ତି ବିଶେଷ ତଥା ଷ୍ଟାର୍ଟଅପ୍ ମାନଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏକ ବର୍ଷ ବ୍ୟାପି ଚାଲିଥିବା ଏହି ପ୍ରତିଯୋଗିତା ଡିଆର୍‌ଡିଓର ବୈଜ୍ଞାନିକମାନଙ୍କ ଦ୍ଵାରା ଅନ୍‌ଲାଇନ ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ ସ୍କ୍ରିନିଂ ଟେଷ୍ଟ ଅନୁଷ୍ଠିତ ହେବା ପରେ ଫଳାଫଳ ୧୩ ଅକ୍ଟୋବର ୨୦୨୨ରେ ଘୋଷଣା କରାଯାଇଥିଲା।

୨୦ ଅକ୍ଟୋବରରେ ଗୁଜୁରାଟର ଗାନ୍ଧୀନଗର ଡିଫେନ୍ସ ଏ‌କ୍ସପୋ ୨୦୨୨ରେ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଡିଆର୍‌ଡିଓର ଅଧ୍ୟକ୍ଷ ସମୀର ଭି. କମାଟ ଉପସ୍ଥିତ ଥିଲେ। ଭିସୁଟ୍‌ ଅନ୍ତିମ ବର୍ଷର ଛାତ୍ର ସିଦ୍ଧାର୍ଥ ମହାନ୍ତି, ସୁଧାଂଶୁ ପାଣିଗ୍ରାହୀ, ଆହ୍ବାନ ପ୍ରଧାନ, ଅଂଶୁମାନ ମହାପାତ୍ର, ରାଜଦୀପକ ମହନ୍ତୋ, ବିନୟ କୁମାର ମହନ୍ତୋଙ୍କୁ ନେଇ ଗଠିତ ଦଳ ପ୍ରତିଯୋଗିତାରେ ସାମିଲ ହୋଇଥିଲେ।  ଆସୋସିଏଟ୍  ପ୍ରଫେସର ତଥା ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡ. ଜ୍ଞାନରଞ୍ଜନ ବିଶ୍ଵାଳ ଓ ପିଏଚ୍‌ଡି ଛାତ୍ର ସୌମ୍ୟ ଦେବଶିଷ ଦାସଙ୍କ ପରାମର୍ଶ କ୍ରମେ ଏହି ଦଳ କାର୍ଯ୍ୟ କରୁଥିଲା।