ଲକ୍ଷ୍ମଣାନନ୍ଦ ହତ୍ୟା କମିସନ ରିପୋର୍ଟକୁ ନେଇ ପୁଣି ଚର୍ଚ୍ଚା: ସାର୍ବଜନୀନ କରିବାକୁ ଜୋର୍‌ ଧରିଲା ଦାବି

ଫୁଲବାଣୀ: ଆଉ ଦୁଇ ଦିନ ପରେ ଓଡ଼ିଶାରେ ଗଠନ ହେବାକୁ ଯାଉଥିବା ନୂଆ ବିଜେପି ସରକାର ପାଇଁ ରହିଛି ଅନେକ ଆହ୍ବାନ। ବିଶେଷକରି କନ୍ଧମାଳ ଜିଲ୍ଲାର ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ପରବର୍ତ୍ତୀ ଦଙ୍ଗା ଏବଂ ହତ୍ୟାକାଣ୍ଡ ପୂର୍ବରୁ ସ୍ବାମୀଜୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ପରର ହିଂସାତ୍ମକ ପରିସ୍ଥିତିକୁ ନେଇ ବସିଥିବା ଦୁଇ ତଦନ୍ତ କମିସନ ରିପୋର୍ଟର ଭାଗ୍ୟ କ’ଣ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ନୂଆ ସରକାର ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ତଦନ୍ତ କମିସନ ରିପୋର୍ଟକୁ ସାର୍ବଜନୀନ କରିବେ ନା ପୁନର୍ବାର ତଦନ୍ତ କରାଇବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ ୨୦୦୮ ଅଗଷ୍ଟ ୨୩ ଜନ୍ମାଷ୍ଟମୀ ରାତିରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ଅନ୍ୟ ୪ ଜଣଙ୍କୁ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ର ଜଲେଶପଟା ଆଶ୍ରମରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପରେ ସମଗ୍ର କନ୍ଧମାଳରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ୍‌ ଶରତ ଚନ୍ଦ୍ର ମହାପାତ୍ର ତଦନ୍ତ କମିସନ ଗଠନ କରିଥିଲେ। ୨୦୧୨ ମସିହାରେ ଜଷ୍ଟିସ ମହାପାତ୍ରଙ୍କର ଦେହାନ୍ତ ପରେ ସରକାର ଜଷ୍ଟିସ ଏଏସ୍‌ ନାଇଡୁଙ୍କ ଅଧ୍ୟକ୍ଷତାରେ ଗଠିତ କମିସନ୍‌କୁ ତଦନ୍ତ ଦାୟିତ୍ବ ପ୍ରଦାନ କରିଥିଲେ। ନାଇଡୁ କମିସନ ୨୦୧୫ ଡିସେମ୍ବର ୨୨ ତାରିଖରେ ସରକାରଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ କମିସନ ରିପୋର୍ଟ ସରକାରଙ୍କୁ ଦାଖଲ କରିବା ଏହା ମଧ୍ୟରେ ୯ ବର୍ଷ ପୂରିବାକୁ ବସିଥିବାବେଳେ ଏହି ତଦନ୍ତ ରିପୋର୍ଟ ନାଲିଫିତା ତଳେ ରହିଛି।

ସେହିଭଳି ୨୦୦୭ ମସିହା ଡିସେମ୍ବର ୨୪ରେ ବଡ଼ଦିନର ଠିକ୍‌ ପୂର୍ବଦିନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଦାରିଙ୍ଗିବାଡ଼ିର ବ୍ରାହ୍ମଣୀଗାଁକୁ ଏକ ଯଜ୍ଞ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବାବେଳେ ଦାସିଂବାଡ଼ିଠାରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏଥିରେ ସ୍ବାମୀଜୀ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ଘଟିବା ପରେ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ମଧ୍ୟ ରାଜ୍ୟ ସରକାର ଜଷ୍ଟିସ ବାସୁଦେବ ପାଣିଗ୍ରାହୀ ତଦନ୍ତ କମିସନ ବସାଇଥିଲେ। ଜଷ୍ଟିସ ବାସୁଦେବ ପାଣିଗ୍ରାହୀ ତଦନ୍ତ କମିସନ ରିପୋର୍ଟ ମଧ୍ୟ ୨୦୧୫ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଉକ୍ତ ତଦନ୍ତ ରିପୋର୍ଟ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ। ପ୍ରକୃତରେ କିଏ ଓ କାହିଁକି ସ୍ବାମୀଜୀଙ୍କୁ ହତ୍ୟା କଲେ, କାହିଁକି କନ୍ଧମାଳ ଜିଲ୍ଲାରେ ଦଙ୍ଗା ସୃଷ୍ଟି ହେଲା ଓ ୨୦୦୭ରେ କେଉଁମାନେ ସ୍ବାମୀଜୀଙ୍କ ଉପରେ ଆକ୍ରମଣ କରିଥିଲେ ଏହି ସତ୍ୟ ଜାଣିବାକୁ କନ୍ଧମାଳବାସୀଙ୍କ ସ‌ମେତ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଲାଗିରହିଛି।

ସମ୍ବନ୍ଧିତ ଖବର