ପୁଣି ଦାନା ବାନ୍ଧିଲାଣି ଆନ୍ଦୋଳନ

ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ ପ୍ରତିଶ୍ରୁତି ପୂରଣ ହେଉନି

ଭୁବନେଶ୍ୱର,: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଦାବି ମୁତାବକ ସରକାର ଅନୁଦାନ ପ୍ରଦାନର ନିଷ୍ପତ୍ତି ଏଯାଏ ନେଇନାହାନ୍ତି। ବରିଷ୍ଠତାକୁ ବି ପ୍ରାଧାନ୍ୟ ଦିଆଯାଇ ନାହିଁ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇନି। ମିଳିତମଞ୍ଚ ସହ ବି କୌଣସି ଚୁକ୍ତି କରାଯାଇନି। ତେଣୁ ସତ୍ୟପାଠ ଦେବାର ପ୍ରଶ୍ନ ଉଠୁ ନାହିଁ। ଯଦି ବାଧ୍ୟ କରାଯାଏ ତେବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପବିତ୍ର ମହାଲା, ଗୋଲକ ନାୟକ, ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ ନିକଟରେ ଉଚ୍ଚଶିକ୍ଷା ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଅନୁଦାନ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ମାମଲା ଉଠାଇ ନିଅ। ଏଣିକି ଆଉ କୋର୍ଟ ଯିବ ନାହିଁ ବୋଲି ସତ୍ୟପାଠ ଦାଖଲ କରିବା ପରେ ଯାଇ ଅନୁଦାନ ମିଳିବ। ଏହି ନିର୍ଦ୍ଦେଶନାମା ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରିବା ସହ ସରକାରଙ୍କ ସ୍ୱେଚ୍ଛାଚାରିତା ଓ ଏକଛତ୍ରବାଦୀ ନୀତିର ଏକ ନଗ୍ନ ଉଦାହରଣ। ଏହାର ପ୍ରତିବାଦରେ କୌଣସି ଶିକ୍ଷକ, ଅଧ୍ୟାପକ କିମ୍ବା କର୍ମଚାରୀ ସତ୍ୟପାଠ ଦେବେ ନାହିଁ। ସରକାର ଯଦି ବାଧ୍ୟ କରନ୍ତି ତେବେ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବୁ।

ସେମାନେ ଆହୁରି କହିଛନ୍ତି ଯେ ବ୍ଲକଗ୍ରାଣ୍ଟ ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ନିଷ୍ପତ୍ତିରେ ବରିଷ୍ଠତାକୁ ନ୍ୟାୟ ନ ମିଳିବା, ଚାକିରି ସର୍ତ୍ତାବଳୀ ସମ୍ପର୍କରେ ସରକାର ନିରବ ରହିଛନ୍ତି। ବିଜ୍ଞପ୍ତିରେ ୪୦, ୬୦ ଓ ୭୫ ପ୍ରତିଶତ ଦରମା ପାଉଥିବା ଶିକ୍ଷକ ଓ ଅଧ୍ୟାପକମାନେ ପୂର୍ଣ୍ଣ ଅନୁଦାନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ଅବଗତ କରିବା ପରେ ତ୍ରୁଟିକୁ ସଂଶୋଧନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ମଞ୍ଚର ସଦସ୍ୟ ପ୍ରକାଶ ଚନ୍ଦ୍ର ଜେନା, ଗଗନ ବେଉରା, ବିନୋଦ ବିହାରୀ ପାଣିଗ୍ରାହୀ, ଡ. ଅଟଳ ବିହାରୀ ବଳ, ସତ୍ୟନାରାୟଣ ତ୍ରିପାଠୀ, ପ୍ରେମାନନ୍ଦ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର