ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ସମଗ୍ର ମାନବଜାତିକୁ ଏହାର ସାମ୍ନା କରିବାକୁ ପଡ଼ିବ। ଜଳବାୟୁର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ମିଳିତ ଜାତିସଂଘ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ କଠୋର ପଦକ୍ଷେପ ନେବାକୁ ଆହ୍ବାନ ଦେଇଛି। କିନ୍ତୁ ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ କାରଣରୁ ଏହି କଠିନ ଜଳବାୟୁ ଟାର୍ଗେଟକୁ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ହେଲେ ସମସ୍ତେ ଜାଣି ରଖିବା ଦରକାର ଯେ କେବଳ ଦୃଢ଼ ରାଜନୈତିକ ଇଚ୍ଛା ଶକ୍ତି ଏବଂ ସଚେତନତା ଦ୍ବାରା ହିଁ ଏହି ସ୍ଥିତିରେ ପରିବର୍ତ୍ତନ ଅଣାଯାଇପାରିବ। ‘ଜଳବାୟୁ ପରିବର୍ତ୍ତନ’ର ମୁକାବିଲା ପାଇଁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିପରି ଆହ୍ବାନ ଦେଇଛନ୍ତି। ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ତିନି ଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀର ଦ୍ବିତୀୟ ଦିନରେ ଶ୍ରୀ ପଟ୍ଟନାୟକ ଯୋଗଦେଇ କହିଛନ୍ତି, ସମୟ ସରି ଯାଉଛି। ଆମେ ଆଉ ଦେଖିବା କି ଅପେକ୍ଷା କରିବା ପାଇଁ ସମୟ ନାହିଁ। ଆମକୁ ଏବେ ହିଁ ପଦକ୍ଷେପ ନେବାକୁ ହେବ। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ପୃଥିବୀ ମା’କୁ ରକ୍ଷା କରିବା ପାଇଁ ଆମ ସମସ୍ତଙ୍କୁ ହାତ ମିଳାଇ ସକାରାତ୍ମକ ଭାବେ ପଦକ୍ଷେପ ନେବାକୁ ହେବ। ‘ସମ୍ବାଦ ଗ୍ରୁପ୍‌’ର ଏହି ସମ୍ମିଳନୀ ଆୟୋଜନ ସମୟୋପଯୋଗୀ ଏବଂ ପ୍ରଶଂସନୀୟ। ଏହି ମହତ୍ତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ପାଇଁ ସମସ୍ତ ସହଯୋଗୀ, ବିଶେଷଜ୍ଞ ଓ ଅଂଶୀଦାରଙ୍କୁ ଶୁଭେଚ୍ଛା।

Advertisment

ଏହି ଅବସରରେ ନବୀନ ତାଙ୍କ ସରକାର ଅମଳରେ ବିପର୍ଯ୍ୟୟ ପରିଚାଳନା ନେଇ କହିଥିଲେ, ମୋ ସରକାର ଜଳବାୟୁ ସମ୍ବନ୍ଧୀୟ ପ୍ରସଙ୍ଗରେ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା। ଏଥିପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। ଶ୍ରୀ ପଟ୍ଟନାୟକ  କହିଥିଲେ, ଯେତେବେ‌େଳ ମାର୍ଚ୍ଚ ୫, ୨୦୦୦ ମସିହାରେ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲି ସେତେବେଳେ ମୋ ସରକାର ପାଇଁ ବଡ଼ ଚାଲେଞ୍ଜ ଥିଲା ମହାବାତ୍ୟା ପରର ପୁନଃନିର୍ମାଣ ଏବଂ ସଶକ୍ତ ଓଡ଼ିଶା ଗଠନ କରିବା। ୧୯୯୯ ମସିହାର ମହାବାତ୍ୟା ଉପକୂଳ ଓଡ଼ିଶା ସମେତ ରାଜଧାନୀ ଭୁବନେଶ୍ବରରେ ବିନାଶର ଚିହ୍ନ ଛାଡ଼ି ଯାଇଥିଲା। ବ୍ୟାପକ ଧନଜୀବନ କ୍ଷୟକ୍ଷତି ସାରା ଦେଶକୁ ଥରାଇ ଦେଇଥିଲା। ଏହାପରେ ଦେଶର ପ୍ରଥମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆରମ୍ଭ ହେଲା। ଶତାଧିକ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଗଲା। ନଦୀବନ୍ଧଗୁଡ଼ିକୁ ସଶକ୍ତ କରିବା ସହ ବ୍ୟାପକ ବୃକ୍ଷରୋପଣ କରାଗଲା। ଗୋଷ୍ଠୀ ସ୍ତରରେ ଲୋକଙ୍କ ଭାଗିଦାରିତାକୁ ଉତ୍ସାହିତ କରାଗଲା। ଆମର ଲକ୍ଷ୍ୟ କେବଳ ଥିଲା ବିପର୍ଯ୍ୟୟରେ ‘ଶୂନ୍ୟ ମୃତ୍ୟୁ’।

ଓଡ଼ିଶା ଏହାର ଭୌଗୋଳିକ ସ୍ଥିତି କାରଣରୁ ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଏ। ତେଣୁ ଆମ ପ୍ରସ୍ତୁତି ପରବର୍ତ୍ତୀ ସମୟରେ କାର୍ଯ୍ୟରେ ଲାଗିଥିଲା। ଫାଇଲିନ୍, ହୁଡ୍‌ହୁଡ୍‌, ଫନି ଭଳି ବାତ୍ୟାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଜୀବନ ହାନି ବହୁ ପରିମାଣରେ ହ୍ରାସ ପାଇବା ସହ ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ସାରା ବିଶ୍ବରେ ଆଦର୍ଶ ପାଲଟିଲା। ଏପରିକି ମିଳିତ ଜାତିସଂଘ ଆମର ସଫଳ ବିପର୍ଯ୍ୟୟ ପରିଚାଳନା ପାଇଁ ଆମ ପ୍ରୟାସକୁ ସ୍ବୀକୃତି ଦେଇଛନ୍ତି।

ପୃଥିବୀ ମା’ର ରକ୍ଷା ପାଇଁ ସମସ୍ତେ ଏକାଠି ହେବାର ସମୟ ଆସିଛି
‘ସମ୍ବାଦ ଗ୍ରୁପ୍‌’ର ଏହି ସମ୍ମିଳନୀ ଆୟୋଜନ ସମୟୋପଯୋଗୀ ଏବଂ ପ୍ରଶଂସନୀୟ

ତାଙ୍କ ସରକାର ଅମଳରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ନେଇ ପଦକ୍ଷେପଗୁଡ଼ିକ ବିଷୟରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଜଳବାୟୁ ପରିବର୍ତ୍ତନ ନେଇ ୨୦୧୦ ମସିହାରେ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଥିଲା। ୨୦୩୦ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୨୦୨୧ରେ ରାଜ୍ୟ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି। ୨୦୧୯ରେ ରାଜ୍ୟରେ ସରକାର ଜଳବାୟୁ ପରିବର୍ତ୍ତନ ମୁକାବିଲା ନେଇ ବଜେଟ୍ ଆଣିଥିଲେ। ଏପରିକି ଏହି ବର୍ଷ ଜଙ୍ଗଲ ଓ ପରିବେଶ ବିଭାଗର ନାମକୁ ବଦଳାଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଭାବେ ନାମକରଣ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣକୁ ଗୁରୁତ୍ବ ଦିଆଯାଇଛି। ୧୯୯୯ ମସିହାରେ ରାଜ୍ୟରେ ୪୭୦୩୩ ବର୍ଗକିମିର ଜଙ୍ଗଲ ଥିବାବେଳେ ୨୦୨୧ରେ ଏହା ୫୨୧୫୬ବର୍ଗକିମିରେ ପହଞ୍ଚିଥିଲା। ଏହା ଜାତୀୟ ହାରଠାରୁ ଅଧିକ। 

‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ତାଙ୍କ ସ୍ବାଗତ ଭାଷଣରେ କହିଥିଲେ ଯେ ୨୦୨୧ ମସିହାରେ ଆରମ୍ଭ ହୋଇଥିବା ପୁନଶ୍ଚ ପୃଥିବୀ ଅଭିଯାନ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି। ପୃଥିବୀକୁ ସବୁଜ ସୁନ୍ଦର କରିବା ପାଇଁ ସମସ୍ତଙ୍କୁ ଏକଜୁଟ୍ କରିବା ହେଉଛି ‘ପୁନଶ୍ଚ ପୃଥିବୀ’ର ଉଦ୍ଦେଶ୍ୟ। ଏଥିରୁ ୭ରୁ ୭୦ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ଯୋଡ଼ାଯାଉଛି। ୨୦୩୬ରେ ବିକଶିତ ଓଡ଼ିଶା ଗଠନ ହେବାବେଳକୁ ଓଡ଼ିଶା ନିରନ୍ତର ବିକାଶରେ ଯେପରି ଦେଶରେ ଏକ ମଡେଲ୍ ହେବ ସେଥିରେ ଆମର ଗୁଣ୍ଡୁଚି ମୂଷା ଭଳି ଏହି ଅବଦାନ ରହିବ। ବର୍ତ୍ତମାନ ସୁଦ୍ଧା ୧୪୬ଟି ନିର୍ବାଚନମଣ୍ଡଳୀରେ ପରିବେଶ ପଞ୍ଚାୟତ ସଫଳତାର ସହ ଆୟୋଜନ କରାଯିବା ସହ ଜଳବାୟୁ ପରିବର୍ତ୍ତନ ଦ୍ବାରା ସେମାନଙ୍କ ଅଞ୍ଚଳରେ କ’ଣ ସମସ୍ୟା ହୋଇଛି ଓ ଏହାର ସମାଧାନ କିପରି ହେବ ସେନେଇ ଆଲୋଚନା ହୋଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌ର ଆବାସିକ ସମ୍ପାଦକ ଶିବ ମହାନ୍ତି, ପରିବେଶବିତ୍ ପ୍ରମୋଦ ଧଳ ଓ ଗ୍ଲୋରିଆ ଧଳ, ପରିବେଶ ‌ଫଟୋଗ୍ରାଫର ଆଦିତ୍ୟ ପଣ୍ଡାଙ୍କୁ ‘ସମ୍ବାଦ ପରିବେଶ ସମ୍ମାନ’ରେ ସମ୍ମାନିତ କରିଥିଲେ।  ଏହାପରେ ପୁନଶ୍ଚ ପୃଥିବୀ ଅଭିଯାନରେ ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ସମ୍ବାଦ, କନକ ନ୍ୟୁଜ୍ ଓ ରେଡିଓ ଚକଲେଟ୍‌ର କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନେ ହେଲେ ପ୍ରଦୀପ କୁମାର ମହାପାତ୍ର, କେଶବ ଚନ୍ଦ୍ର ପାଣି, ଦୀପ୍ତି ଆଚାର୍ଯ୍ୟ, ନିଶାନ୍ତ ପ୍ରୟମ୍ବଦ ଦାସ, ସ୍ବସ୍ତିକା ପଣ୍ଡା, ଅନୁଜ ଦାସ, ଗୁରୁ ଶତପଥୀ, ସୌମିତ୍ରୀ ପଲେଇ, ବିମଳ ଦାସ ଓ ସନ୍ତୋଷ କୁମାର ରଥ।