ପୁଣି ମୂର୍ତ୍ତି ଚୋରି: ଦେଢ଼ ଟନ୍‌ ଓଜନର ୫ଟି ଅଷ୍ଟଧାତୁ ମୂର୍ତ୍ତି ନେଇଗଲେ

ହଜାର ବର୍ଷ ତଳେ ଲାଙ୍ଗୁଡ଼ା ନରସିଂହ ଦେବ କରିଥିଲେ ପ୍ରତିଷ୍ଠା

ପୁରୀ : ପୁରୀ ଜିଲ୍ଲାରେ ମାତିଛନ୍ତି ମୂର୍ତ୍ତି ଚୋର ଗ୍ୟାଙ୍ଗ୍‌। ହଜାର ବର୍ଷ ପୁରୁଣା ମନ୍ଦିରରେ ପଶି କଳାକନା ବୁଲାଇଛନ୍ତି। କଣାସ ବ୍ଲକ୍‌ ଗଡ଼ିଶାଗୋଦା ଥାନା ଈଶାନେଶ୍ବର ମନ୍ଦିରରୁ ମୂର୍ତ୍ତି ଚୋରିକୁ ଦୁଇ ଦିନ ବିତିନି ଚନ୍ଦନପୁର ଥାନା ବୀରନରସିଂହପୁରର ଗୋପୀନାଥଙ୍କ ମନ୍ଦିର ଗ୍ରିଲ୍‌ କାଟି ଦୁର୍ବୃତ୍ତ ୫ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଛନ୍ତି।

ଚୋରି ମୂର୍ତ୍ତି ଭିତରେ ଗୋପୀନାଥଙ୍କ ଚଳନ୍ତି ପ୍ରତିମା, ବାବା ଲୋକନାଥ, ଦୋଳଗୋବିନ୍ଦ, ମା’ ବନଦୁର୍ଗା ଓ କନକ ଦୁର୍ଗାଙ୍କ ମୂର୍ତ୍ତି ରହିଛି। ଚୋରି ୫ ଅଷ୍ଟଧାତୁ ମୂର୍ତ୍ତିର ଓଜନ ଦେଢ଼ ଟନ୍‌ରୁ ଅଧିକ ଓ ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ଗାଁ ଲୋକଙ୍କ ସୂତ୍ରରୁ ପ୍ରକାଶ। ଖବର ପାଇ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଯାଞ୍ଚ କରି ଫେରିଛନ୍ତି। ଏ ସମ୍ପର୍କରେ ମନ୍ଦିର ପୂଜାରୀ ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୂଜାରୀ ବିଜୟାନନ୍ଦ ପଣ୍ଡା କହିଛନ୍ତି, ଗତକାଲି ରାତିରେ ବଡ଼ସିଂହାର ବେଶ ହୋଇ ଠାକୁରଙ୍କ ପହୁଡ଼ ହୋଇଥିଲା। ସେତେବେଳକୁ ରାତି ପ୍ରାୟ ୮ଟା ହୋଇଯାଇଥିଲା। ଶନିବାର ସକାଳୁ ମନ୍ଦିରକୁ ବାହାରୁଥିବା ବେଳେ ଗାଁ କମିଟି ସଦସ୍ୟମାନେ ମୂର୍ତ୍ତି ଚୋରି ସମ୍ପର୍କରେ ଖବର ଦେଇଥିଲେ। ପହଞ୍ଚି ଦେଖିଲା ବେଳକୁ ମନ୍ଦିରର ଗ୍ରିଲ୍‌ କାଟି ଦିଆଯାଇଥିଲା ଓ ଗମ୍ଭୀରାରୁ ଠାକୁର ଓ ଠାକୁରାଣୀଙ୍କ ମୂର୍ତ୍ତି ଆସ୍ଥାନରେ ନଥିଲା। ଗୋପୀନାଥ ଓ ବାବା ଲୋକନାଥଙ୍କ ମୂର୍ତ୍ତି ଉଚ୍ଚତା ପ୍ରାୟ ଦୁଇଫୁଟ ଏବଂ ଦୋଳଗୋବିନ୍ଦ ଓ ଦୁଇ ଠାକୁରାଣୀଙ୍କ ମୂର୍ତ୍ତି ପ୍ରାୟ ଦେଢ଼ ଫୁଟ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସେପଟେ ଗାଁ ଲୋକେ ମୂର୍ତ୍ତି‌ ଫେରି ପାଇବା ପାଇଁ ବାବା ନୀଳକଣ୍ଠଙ୍କ ମନ୍ଦିରରେ ଗୁଆ-ନଡ଼ିଆ ବସାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦୁଇଦିନ ତଳେ ଗଡ଼ିଶାଗୋଦା ଶ୍ରୀମୁକୁନ୍ଦପୁର ଗାଁ ଈଶାନେଶ୍ବର ମନ୍ଦିରରୁ ଚୋରି ଅଷ୍ଟଧାତୁ ମୂର୍ତ୍ତିର କୌଣସି ସନ୍ଧାନ ପୁରୀ ଜିଲ୍ଲା ପୁଲିସ ପାଇପାରିନି। ଏଭଳି ସ୍ଥିତିରେ ଆଜି ପୁଣି ଏତେ ବଡ଼ ଚୋରି, ସେ ପୁଣି ରାସ୍ତା ଉପରେ ଥିବା ମନ୍ଦିରରୁ, ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର