ଅନୁଗୁଳ: ତାଳଚେରରେ ନିର୍ମାଣ କରାଯାଇଥିବା ମେଡିକାଲ କଲେଜ ଓ ଡାକ୍ତରଖାନାର ଭାଗ ପୁଣି ଅନିଶ୍ଚିତତା ଘେରକୁ ଚାଲିଯାଇଛି। ଏହି ମେଡିକାଲ କଲେଜ ଡାକ୍ତରଖାନାର ନାମ ପରିବର୍ତ୍ତନ କରି ପବିତ୍ର ମୋହନ ସରକାରୀ ଡାକ୍ତରଖାନା ରଖାଯାଇଥିଲାବେଳେ ଏହା ଆସନ୍ତା ୮ ତାରିଖରେ ଉଦ୍‌ଘାଟନ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମ‌ରେ ଏହାକୁ ଉଦ୍‌ଘାଟନ କରିବେ। ତେବେ ପବିତ୍ର ମୋହନ ‌ମେଡିକାଲ କଲେଜ ଓ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବା ନେଇ କିଛି ସୂଚନା ମିଳିନି।

Advertisment

ଅନୁଗୁଳ ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ ପାଇଁ ବାରମ୍ବାର ଦାବି ହେଲା ପରେ ଏମ୍‌ସିଏଲ୍‌ ପକ୍ଷରୁ ଏହା ନିର୍ମାଣ କରାଯାଇଥିଲା। ପାଖାପାଖି ୫ ବର୍ଷ ତଳେ ତାଳଚେରେ ଏହି ନବନିର୍ମିତ ମେଡିକାଲ କଲେଜ ଉଦ୍‌ଘାଟିତ ହୋଇଥିଲା। ମେଡିକାଲ କଲେଜ ପାଖରେ ଥିବା ନେହରୁ ଶତାବ୍ଦୀ ଡାକ୍ତରଖାନାକୁ ଏହି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲ ଭାବରେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ପରିଚାଳନାଗତ ସମସ୍ୟା ଭିତରେ ଏହି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇପାରି ନଥିଲା। ବହୁ ବାଦବିବାଦ ଭିତରେ ଏହି ମେଡିକାଲ କଲେଜ ଚଳାଇବାକୁ ରାଜ୍ୟ ସରକାର ରାଜି ହୋଇଥିଲେ। ଏଥିପାଇଁ ଏମ୍‌ସିଏଲ୍‌ ଟଙ୍କା ଦେବ ବୋଲି ନିଷ୍ପତ୍ତି ହୋଇଥିଲା।

ପ୍ରାୟ ବର୍ଷେ ତଳେ ମେଡିକାଲ କଲେଜ ଓ ଡାକ୍ତରଖାନା ଚଳାଇବା ପାଇଁ ନିଷ୍ପତ୍ତି ହେବା ପରେ ପ୍ରକ୍ରିୟା ଆରମ୍ଭ କରିଥି‌ଲେ ସରକାର। ‌ପରେ ମେଡିକାଲ କଲେଜକୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରାଯାଇଥିଲା। କିନ୍ତୁ ଗତ ୪ ତାରିଖରେ ଏହି ମେଡିକାଲ କଲେଜର ଡାକ୍ତରଖାନ‌ାର ନାମ ବଦଳାଇ ଏହାକୁ ପବିତ୍ର ମୋହନ ସରକାରୀ ଡାକ୍ତରଖାନା ରଖିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଡାକ୍ତରଖାନା ଆସନ୍ତା ୮ ତାରିଖ ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଓଡ଼ିଶା ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ। ଏହା ସହିତ ଏମ୍‌ସିଏଲ୍‌ ଓ ସରକାରଙ୍କ ବରିଷ୍ଠ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପବିତ୍ର ମୋହନ ସରକାରୀ ଡାକ୍ତରଖାନା ଭବିଷ୍ୟତରେ ପ୍ରସ୍ତାବିତ ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲ୍‌ ଭାବେ କାମ କରିବ ବୋଲି ସରକାରୀ ଭାବେ କୁହାଯାଇଛି। ଏଠାରେ ୩୩୦ ଶଯ୍ୟା ରହିବ। ସରକାରୀ ଡାକ୍ତରଖାନାରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଏଠାରୁ ଲୋକମାନେ ପାଇପାରିବେ। ତେବେ ମେଡିକାଲ କଲେଜ ଓ ଡାକ୍ତରଖାନାରୁ ସେବା ପାଇବାକୁ ଅପେକ୍ଷା କରି ରହିଥିବା ଲୋକଙ୍କୁ ଏବେ ନିରାଶ ହେବାକୁ ପଡ଼ିବ। କାରଣ ମେଡିକାଲ କଲେଜ ଓ ଡାକ୍ତରଖାନା ପାଇଁ ଆବଶ୍ୟକ ପ୍ରଫେସର୍‌, ଆସୋସିଏଟ୍‌ ପ୍ରଫେସର୍‌ ଓ ଆସିଷ୍ଟାଣ୍ଟ୍‌ ପ୍ରଫେସରଙ୍କୁ ଏବେ ନିଯୁକ୍ତି ମିଳିବନି। ସେହିପରି ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ ହେବନି। ଏପଟେ ମେଡିକାଲ କଲେଜରେ ୨୦୨୬ରୁ ପାଠପଢ଼ା ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ଜଣାପଡ଼ିଛି।