ପୁଣି ଉପେକ୍ଷିତ ଦକ୍ଷିଣ ଓଡ଼ିଶା: ଝୁଲିଲା ଶୀତଳାପଲ୍ଲୀ ରେଳୱାଗନ୍‌ କାରଖାନା

ବ୍ରହ୍ମପୁର-ସମ୍ବଲପୁରକୁ ଟୋକନ୍‌ ମନି ଦେଇ ସନ୍ତୁଷ୍ଟି

ବ୍ରହ୍ମପୁର : ଚଳିତ ରେଳ ବଜେଟ୍‌ରେ ଅଡ଼ିଶାକୁ ଅନୁଦାନ ଭାଗ ବଢ଼ିଥିଲେ ହେଁ ଦକ୍ଷିଣ ଓଡ଼ିଶା ପୁଣିଥରେ ଉପେକ୍ଷିତ ହୋଇଛି। ଦକ୍ଷିଣ ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ଆନୁଷଙ୍ଗିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ କୌଣସି ପ୍ରକାର ଆଖିଦୃଶିଆ ଘୋଷଣା କରାଯାଇ ନାହିଁ। ଏପରିକି ଦୀର୍ଘବର୍ଷର ପ୍ରସ୍ତାବିତ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ସ୍ଥିତ ରେଳଡବା କାରଖାନାକୁ ଏଥର ମଧ୍ୟ ଝୁଲାଇ ରଖିଦେଲେ। ବଜେଟ୍‌ରେ ପ୍ରକଳ୍ପ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଫଳରେ ରେଳଡବା କାରଖାନା ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ପ୍ରାୟ ୧୦୧ ଏକର ଜମିରେ କଣ ତିଆରି ହେବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ସେହିପରି ବ୍ରହ୍ମପୁର-ତାଳଚେର ଓ ବ୍ରହ୍ମପୁର-ରାୟଗଡ଼ା ରେଳପଥ ଉପରେ ମଧ୍ୟ ରେଳ ବଜେଟ୍‌ରେ କୌଣସି ଉଲ୍ଲେଖ ନାହିଁ। ଏଣୁ ଏହି ଉଭୟ ରେଳପଥ ଟ୍ରାକ୍‌କୁ କେବେ ଫେରିବ ସେ ନେଇ ଅନିଶ୍ଚିତତା ଜାରି ରହିଛି। କେବଳ ବ୍ରହ୍ମପୁର-ସମ୍ବଲପୁର ରେଳପଥକୁ ନୀତି ଆୟୋଗ ମଂଜୁରି ପ୍ରଦାନ କରିଛନ୍ତି। ଏହି ପ୍ରୋଜେକ୍ଟ୍‌ ରେଳବାଇର ପିଙ୍କବୁକ୍‌ରେ ସାମିଲ କରି ଚଳିତ ବଜେଟ୍‌ରେ ମାତ୍ର ୧ହଜାର ଟଙ୍କାର ଟୋକେନ୍‌ ରାଶି ମଂଜୁର କରି ପ୍ରକଳ୍ପକୁ ଜୀବିତ ରଖାଯାଇଛି। ଏହା ବ୍ୟତୀତ ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମିରେ ବିକାଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

YouTube

ଓଡ଼ିଶାରେ ରେଳଡବା କାରଖାନା ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଗତ ୨୦୧୧ ମସିହାରେ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି କ୍ରମେ ୨୦୧୧-୧୨ ବଜେଟ୍‌ରେ ଏହି ପ୍ରକଳ୍ପକୁ ସାମିଲ କରାଯାଇଲା। ଏହି ପ୍ରକଳ୍ପ ପାଇଁ ୨୦୧୨-୧୩ ଆର୍ଥିକ ବର୍ଷରେ ୧କୋଟି ଟଙ୍କା ମଂଜୁର କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି. ଶଙ୍କର ପାତ୍ର ଆର୍‌ଟିଆଇ ବଳରେ ପାଇଥିବା ତଥ୍ୟରୁ ଜଣାପଡ଼ିଛି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ପ୍ରାୟ ୧୦୧ ଏକର ଜମି ଚିହ୍ନଟ କରିଛନ୍ତି। ଦୀର୍ଘ ୧୦ବର୍ଷ ପରେ ମଧ୍ୟ ଏହି ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହୋଇପାରି ନାହିଁ। ଏପରିକି ଗତବର୍ଷ ମେ ମାସରେ ଏହି ପ୍ରକଳ୍ପକୁ ରେଳ ବିଭାଗ ତରଫରୁ ବାତିଲ କରାଯାଇଥିଲା। କିନ୍ତୁ ଓଡ଼ିଶାକୁ ରେଳ ମନ୍ତ୍ରଣାଳୟ ମିଳିବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହାପରେ ଭୁବନେଶ୍ବର ସ୍ଥିତ ଇଷ୍ଟକୋଷ୍ଟ୍‌ ରେଳ ବିଭାଗ ତରଫରୁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ଚିଠି ଲେଖି ଶୀତଳାପଲ୍ଲୀରେ ୧୦୧ଏକର ଜମି ଯୋଗାଇବା ପାଇଁ କୁହାଯାଇଥିଲା। ମାତ୍ର, ଏହା ଏବେ ଶୀତଳଭଣ୍ଡାରରେ ରହିଯାଇଛି।

ସେହିପରି ଗୋପାଳପୁର-ରାୟଗଡ଼ା ରେଳପଥ ମଧ୍ୟ ଅଧାବାଟରେ ରହିଯାଇଛି। ପ୍ରାୟ ୨୮୫ ବିଶିଷ୍ଟ ଏହି ରେଳପଥ ପାଇଁ ୨୦୧୧-୧୨ରେ ସର୍ଭେ କରାଯାଇଥିଲା। ଏହି ରେଳପଥରେ ୨୫ଟି ଷ୍ଟେସନ୍‌ ରହିବ ବୋଲି ପ୍ରସ୍ତାବ ରହିଥିଲା। ଗତ ୨୦୧୫ରେ ରେଳ ମନ୍ତ୍ରଣାଳୟକୁ ସର୍ଭେ ରିପୋର୍ଟ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ସେହି ରିପୋର୍ଟ ନାଲିଫିତାରେ ବନ୍ଧା ହୋଇ ପଡ଼ି ରହିଛି। ଚଳିତ ରେଳ ବଜେଟ୍‌ରେ ବ୍ରହ୍ମପୁର କି ପାରଳାଖେମୁଣ୍ଡି ଷ୍ଟେସନ୍‌ର ଉନ୍ନତୀକରଣ ପ୍ରତି ମଧ୍ୟ ଗୁରୁତ୍ବ ଦିଆଯାଇ ନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର