ପୁଣି ପୁଲିସ-ଗ୍ରାମବାସୀ ମୁହାଁମୁହିଁ

ବାହାନଗା: ବାହାନଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତର ନଇଛଣପୁର ଗ୍ରାମରେ ଏକ ସରକାରୀ ମଦ ଦୋକାନ ଓ ବାର୍ ସ୍ଥାନାନ୍ତର ଦାବିରେ ଗତ ପାଞ୍ଚଦିନ ଧରି ଗ୍ରାମବାସୀ ଧାରଣା ଦେବା ସହିତ ଆଜି ପୁଣି ପୁଲିସ ସହିତ ଗ୍ରାମବାସୀ ମୁହାଁମୁହିଁ ହୋଇଥିବା ଦେଖାଯାଇଛି।

ସରକାରୀ ମଦ ଦୋକାନ ଓ ବାର୍ ଗ୍ରାମର ଏକ ମୁଖ୍ୟ ସ୍ଥାନରେ ରହିଥିବାରୁ ଏଠାରୁ  ମଦ ଦୋକାନ ଓ ବାର୍ ସ୍ଥାନାନ୍ତର ପାଇଁ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀ ଓ ପୁଲିସ ପ୍ରଶାସନ ପାଖରେ ଗ୍ରାମବାସୀ ଦାବି କରି ଆସୁଥିଲେ।

ତେବେ ଗତ ୨୮ ତାରିଖରେ ଏହା ଉଗ୍ର ରୂପ ନେବା ସହ ମଦ ଦୋକାନ ସ୍ଥାନାନ୍ତର ଦାବିରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଧାରଣାରେ ବସିଥିଲେ। ପୁଲିସ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଧାରଣାରୁ ଓହରି ନଥିଲେ। ସେହିଦିନ ଠାରୁ ଗ୍ରାମବାସୀ ସେଠାରେ ଧାରଣାରେ ବସି ରହୁଥିବା ବେଳେ ଗତ ୨୯ ତାରିଖରେ ପୁଣି ବିଭାଗୀୟ ଅଧିକାରୀ ଓ ଖନ୍ତାପଡ଼ା ପୁଲିସ ଦୁଇ ପ୍ଲାଟୁନ ଫୋର୍ସ ସହ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ବି ଗ୍ରାମବାସୀ ସେମାନଙ୍କ ଜିଦରେ ଅଟଳ ରହିଥିଲେ।

ଧାରଣାର ପଞ୍ଚମ ଦିନରେ ଅର୍ଥାତ ଆଜି ମଧ୍ୟାହ୍ନରେ ବିଭାଗୀୟ ଅଧିକାରୀଙ୍କ ସହ ସଦର ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ଓ ଥାନା ଅଧିକାରୀ ବିମଳ କୁମାର ନାୟକଙ୍କ ସହ ଥାନା ପୁଲିସ କର୍ମଚାରୀ  ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଣି ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର