ନୟାଗଡ଼ : ବାଘ ଛାଲ କାରବାର ତଥା ଶିକାର ଅଭିଯୋଗରେ ନୟାଗଡ଼ ବନଖଣ୍ଡରୁ ପୁଣି ଜଣେ ଶିକାରୀ ଗିରଫ ହୋଇଛି। ଗିରଫ ଶିକାରୀ ତଥା ବେପାରୀର ନାମ କୃପାସିନ୍ଧୁ ବିଶ୍ବାଳ(୬୧)। ତାଙ୍କ ଘର ନୟାଗଡ଼ ଟାଉନ୍‌ ଥାନା ଅଧୀନ ଚଣ୍ଡୀବସ୍ତ ଗ୍ରାମରେ। କୃପାସିନ୍ଧୁ ଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ସମେତ ଶିକାର ନିମନ୍ତେ ବ୍ୟବହୃତ ଲୁହା ତାର, ହାତ ତିଆରୀ ସୀସା ଗୁଳି ଆଦି ଜବତ କରାଯାଇଛି। ନୟାଗଡ଼ ବନଖଣ୍ଡ ଓ ନୟାଗଡ଼ ବନାଞ୍ଚଳ କାର୍ଯ୍ୟାଳୟଠାରୁ ମାତ୍ର ୪ କିମି ଦୂରରେ କୃପାସିନ୍ଧୁର ଘର ହୋଇଥିବା ବେଳେ, ବର୍ଷ ବର୍ଷ ଧରି ସେ ଏହି କାରବାର ଚଳାଉଥିବା ଜଣାପଡ଼ିଛି।

Advertisment

publive-image

ତେବେ ବିଭାଗୀୟ କର୍ତ୍ତୃପକ୍ଷଙ୍କର ବିଳମ୍ବରେ ନିଦ ଭାଙ୍ଗିବା ନେଇ ସନ୍ଦେହ ବଢ଼ୁଛି। ପ୍ରାୟ ୩ ଦିନ ତଳେ ଏହି ଶିକାରୀଙ୍କୁ ବନ ବିଭାଗ କବ୍‌ଜା କରିନେଇଥିବା ବେଳେ, ଗତକାଲି ତାଙ୍କୁ ନୟାଗଡ଼ ଖଣ୍ଡପଡ଼ା ରାସ୍ତାରୁ ଗିରଫ କରାଯାଇଥିବା ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ ସ୍ଥାନୀୟ ‌କୌଣସି ଅଞ୍ଚଳରେ ଏହାକୁ ବିକ୍ରି କରିବାକୁ ନେଉଥିଲା ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ଏହା ଏକ ପୁରୁଷ କଲରା ପତରିଆ ବାଘ ଛାଲ ହୋଇଥିବା ବେଳେ, ପ୍ରାୟ ଏକ ବର୍ଷ ତଳେ ଏହାକୁ ଗଞ୍ଜାମ ଅଞ୍ଚଳରୁ ଶିକାର କରାଯାଇଥିବା ଅଭିଯୁକ୍ତ କହିଥିବା, ଡିଏଫ୍‌ଓ ସୂଚନା ଦେଇଛନ୍ତି। ତେବେ ନୟାଗଡ଼ର ବିଭିନ୍ନ ଜଙ୍ଗଲରେ କଲରାପତରିଆ ବାଘ ରହିଥିବା ବେଳେ, ଏହାକୁ ନୟାଗଡ଼ର କୌଣସି ଅଞ୍ଚଳରୁ ଶିକାର କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ନିଜ ଉପରୁ ଦୋଷ ଖସାଇବାକୁ ଗଞ୍ଜାମରୁ ଏହା ଶିକାର ହୋଇଥିବା ନୟାଗଡ଼ ବନଖଣ୍ଡ କର୍ତ୍ତୃପକ୍ଷ କହୁଥିବା ଚର୍ଚ୍ଚା ହେଉଛି। କୃପାସିନ୍ଧୁ ଅଭ୍ୟାସଗତ ଭାବେ ବାର୍‌ହା ଶିକାର କରୁଥିବା ଡିଏଫ୍‌ଓ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ, ବାଘ ସମ୍ପର୍କରେ କିଛି କହିନାହାନ୍ତି।

ପୂର୍ବରୁ ରଣପୁର, ଦଶପଲ୍ଲା ଅଞ୍ଚଳରୁ ମଧ୍ୟ ବାଘ ଛାଲ ବେପାରୀ ତଥା ଶିକାରୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଥିବାର ନଜିର୍‌ ରହିଛି। ଯେବେ ବି ବାଘ ଶିକାରୀ ତଥା ବାଘ ଛାଲ ବେପାରୀ ଗିରଫ ହେଉଛନ୍ତି, ନୟାଗଡ଼ ବନଖଣ୍ଡଠାରୁ ଆରମ୍ଭ କରି ସ୍ଥାନୀୟ ବନାଞ୍ଚଳ କର୍ତ୍ତୃପକ୍ଷ ନାନା ଗପ ଶୁଣାଉଥିବା ଦେଖାଯାଉଛି। କେବେ ଆମ ଜଙ୍ଗଲ‌ରେ ବାଘ ନାହାନ୍ତି ତ କେବେ ଅନ୍ୟ ଜିଲ୍ଲାରୁ ବାଘ ହତ୍ୟା କରି ଆଣି ଏଠାରେ ଛାଲ ଉତରା ଯାଇଥିବା ଭଳି ଅଜବ ଯୁକ୍ତି ବନ ବିଭାଗ ଅଧିକାରୀ ଦର୍ଶାଇଥାନ୍ତି। ଦଶପଲ୍ଲା, ରଣପୁର ପରେ ନୟାଗଡ଼ରୁ ବାଘ ଛାଲ ବେପାରୀ ଗିରଫ ହୋଇଥିବା ବେଳେ, ବର୍ତ୍ତମାନ ନୟାଗଡ଼ ବନାଞ୍ଚଳରେ ମଧ୍ୟ ଏମାନଙ୍କ ରାକେଟ୍‌ ସକ୍ରିୟ ଥିବା ଏହି ଗିରଫ ଘଟଣାରୁ ସ୍ପଷ୍ଟ ହେଉଛି।