ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ୨ ମାସ ପରେ ପୁଣି ବାଘ ଆତଙ୍କ ଦେଖିବାକୁ ମିଳିଛି। ବୁଧବାର ରାତିରେ ନୂଆପଡ଼ା ସଦର ରେଞ୍ଜ ଆମାନାରା ସେକ୍ସନର ତରିଆମହୁଆଭଟା ଗାଁରେ ପୁଣି ବାଛୁରିକୁ ମାରି ଖାଇଛି ବାଘ। ଗୁରୁବାର ସକାଳେ ଗାଁର ଗୋବିନ୍ଦ ନାଏକ ଗୁହାଳରେ ବାଛୁରି ନଥିବା ଦେଖି ଆଖପାଖରେ ଖୋଜିଥିଲେ। ପରେ ବାଛୁରିଟି ଏକ ଚାଷ ଜମିରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ବାଘ ଆକ୍ରମଣ କରି ମାରି ଖାଇଥିବା ଜଣାପଡ଼ିବା ପରେ ଫରେଷ୍ଟର ଚୂଡ଼ାମଣି ସରାଫଙ୍କ ନେତୃତ୍ବରେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସେଠାରେ ପାଦ ଚିହ୍ନକୁ ଦେଖି ଏହା କଲରାପତରିଆ ବାଘ ବୋଲି ଜଣାପଡ଼ିଛି। ପରେ ନୂଆପଡ଼ା ପ୍ରାଣୀ ଚିକିତ୍ସାଳୟର ଏଲ୍ଆ‌ଇ ପହଞ୍ଚି ବାଛୁରିର ଶବ ବ୍ୟବଚ୍ଛେଦ କରିବା ପରେ ଏକ ଗାତ ଖୋଳି ପୋତି ଦିଆଯାଇଥିଲା।

Advertisment

ତେବେ ପୂର୍ବରୁ ଏହି ଅଞ୍ଚଳରେ ବାଘ ଆତଙ୍କ ଜାରି ରହିଥିବା ବେଳେ ଦୁଇ ମାସ ହେଲା ଲୋକେ ଆରାମରେ ଜୀବନଯାପନ କରୁଥିଲେ। ବୁଧବାର ରାତିର ଘଟଣା ପରେ ଅଞ୍ଚଳରେ ପୁଣି ଆତଙ୍କ ଦେଖାଦେଇଛି। ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାଘ ବୁଲୁଥିବା ଜଣାପଡ଼ିବା ପରେ ବନ ବିଭାଗ କର୍ମଚାରୀ ସନ୍ଧ୍ୟା ହେଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ବାଘ ଆକ୍ରମଣ ଯୋଗୁଁ ପୂର୍ବରୁ ଗାଁର ୮-୯ଟି ଗୃହପାଳିତ ପଶୁଙ୍କ ଜୀବନ ଯାଇଥିବା ସୂଚନା ମିଳିଛି।