ବୌଦ୍ଧ : ପୁଣି ୨ ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଉଛନ୍ତି ଅନ୍ୟ ଜିଲ୍ଲା ଫେରନ୍ତା

ଲୋକଙ୍କୁ ସଚେତନ କଲେ ଜିଲ୍ଲାପାଳ, ଏସ୍‌ପି

ବୌଦ୍ଧ : ବୌଦ୍ଧ ଜିଲ୍ଲାରୁ ପୁଣି ୨ ଜଣ କରେନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସିଡିଏମ୍‌ଓ ଡା.ତ୍ରିଲୋଚନ ପ୍ରଧାନଙ୍କ ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାରେ ଥିବା ବୌଦ୍ଧ ଡିଷ୍ଟିଲାରିର ଜଣେ କର୍ମଚାରୀ ବିହାରରୁ ଆସିଛନ୍ତି। କମ୍ପାନିର ନିୟମ ଅନୁସାରେ ଅନ୍ୟ ରାଜ୍ୟ ଓ ଅନ୍ୟ ଜିଲ୍ଲାରୁ ଆସିଥିବା କର୍ମଚାରୀଙ୍କ ପାଇଁ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ। କମ୍ପାନିର ସ୍ବତନ୍ତ୍ର ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ତାଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ପଜିଟିଭ ଆସିଛି। ଅନ୍ୟ ଜଣେ ପୁରୁଣାକଟକର ବ୍ୟାଙ୍କ କର୍ମଚାରୀ। ସେ ଭୁବନେଶ୍ବରରୁ ଫେରିଥିଲେ। ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସ୍ବାବ ସଂଗ୍ରହ ହୋଇ ବୁଧବାର ସକାଳେ ଭୁବନେଶ୍ବର ଆର୍‌ଏମ୍‌ଆର୍‌ସିକୁ ପଠାଯାଇଥିବା ସିଡିଏମ୍‌ଓ ଡା. ପ୍ରଧାନ ପ୍ରକାଶ କରିଛନ୍ତି। ଦୁଇ ଦିନ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିବା ମନୁପାଲି ଷ୍ଟେଟବ୍ୟାଙ୍କର କର୍ମଚାରୀ ସମ୍ବଲପୁରରୁ ଫେରିଥିବା ଜଣାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଲେ ସଂକ୍ରମଣ ବିସ୍ତାରିତ ହେବା ଅଶଙ୍କା ରହିଛି।

ଲୋକଙ୍କୁ ସଚେତନ କଲେ ଜିଲ୍ଲାପାଳ, ଏସ୍‌ପି
ବୌଦ୍ଧ : ବୁଧବାର ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ମାସ୍କ ପରିଧାନ ନେଇ ପଥଚାରୀଙ୍କୁ ସଚେତନ କରାଯାଇଛି। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସ୍‌ପି ଭି.ରଘୁନାଥ ରାଓ, ଏସ୍‌ଡିପିଓ ଆନନ୍ଦ ଗୁରୁ ଓ ଟାଉନ ଥାନା ଆଇଆଇସି ତପସ୍ବିନୀ କହଁର ଗାନ୍ଧୀ ଛକରେ ଲୋକଙ୍କୁ ଅଟକାଇ ମାସ୍କ ପିନ୍ଧିବା ପାଇଁ ସଚେତନ କରିଥିଲେ। ସହରର ବିଭିନ୍ନ ବ୍ୟାଙ୍କ, ଜନଗହଳି ହେଉଥିବା ସରକାରୀ ଓ ବେସରକାରୀ ଅଫିସକୁ ଯାଇ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ କରିବାକୁ ପରାମର୍ଶ ଦେଇଥିଲେ। ବସ୍‌ କର୍ମଚାରୀଙ୍କୁ ସିଟ୍‌ ସଂଖ୍ୟା ଅନୁସାରେ ଯାତ୍ରୀ ନେବାକୁ କହିଥିଲେ। ଯାତ୍ରୀଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରିବା ସହ ଗ୍ରୀଷ୍ମ ପ୍ରବାହ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ରଖିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର