ସମ୍ବଲପୁର : ଭିମ୍ସାରରେ ପୁଣିଥରେ ୨ଟି ଡାଏଲିସିସ୍ ମେସିନ୍ ଅଚଳ ହୋଇ ପଡ଼ିଛି। ଗତ ୩ ଦିନ ହେବ ଡାଏଲିସିସ୍ ପାଇଁ ନମ୍ବର ପାଇଥିବା ରୋଗୀଙ୍କୁ ମେସିନ୍ ଅଚଳ ଥିବାରୁ ପରବର୍ତ୍ତୀ ତାରିଖ ଦେଇ ଫେରାଇ ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଗତ ୧ ବର୍ଷ ମଧ୍ୟରେ ଭିମ୍ସାରର ୪ଟି ଡାଏଲିସିସ୍ ମେସିନ୍ ମଧ୍ୟରୁ ୨ଟି ପ୍ରାୟ ୬ ଥର ଅଚଳ ହେବା ଘଟଣା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରୁଛି। ଭିମ୍ସାରରେ ଡାଏଲିସିସ୍ ପାଇଁ କର୍ମଚାରୀ ସଙ୍କଟ ରହିଥିବା ନେଇ ସବୁବେଳେ କୁହାଯାଉଥିବାରୁ ବାରମ୍ବାର ମେସିନ୍ ଅଚଳ ଏକ ବାହାନା ବୋଲି ଲୋକେ ଅଭିଯୋଗ କରିଛନ୍ତି। ସପ୍ତାହକୁ ୨ ଥର ଡାଏଲିସିସ୍ ଆବଶ୍ୟକ ହେଉଥିବା ରୋଗୀଙ୍କୁ ୧୫ ଦିନ ପରେ ଆସିବାକୁ ମଧ୍ୟ କୁହାଯାଉଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ମେସିନ୍ ପ୍ରକୃତରେ ଅଚଳ ହୋଇଥିବା କହିଥିଲେ ଓ ମରାମତି ପାଇଁ ଉକ୍ତ କମ୍ପାନିକୁ ମଧ୍ୟ ଜଣାଇଦିଆଯାଇଥିବା ସୂଚନା ଦେଇଛନ୍ତି।
ଉଲ୍ଳେଖଯୋଗ୍ୟ, ବୁର୍ଲା ବଡ଼ ଡାକ୍ତରଖାନାରେ ଅଣକୋଭିଡ୍ ରୋଗୀଙ୍କ ପାଇଁ ୪ଟି ଡାଏଲିସିସ୍ ମେସିନ୍ ରହିଥିବା ସମୟରେ କୋଭିଡ୍ ରୋଗୀଙ୍କ ପାଇଁ ଗୋଟିଏ ମେସିନ୍ ରହିଛି। ମାତ୍ର ଏହାର ପରିଚାଳନା ପାଇଁ ନେଫ୍ରୋଲୋଜି ବିଭାଗର ଆବଶ୍ୟକ ସଂଖ୍ୟକ ଟେକ୍ନିସିଆନ୍ ନାହାନ୍ତି। ତେଣୁ ସ୍ବତନ୍ତ୍ର କୋର୍ସ କରି ଫେରିଥିବା ଜଣେ ଡାକ୍ତର ଓ କିଛି ନର୍ସଙ୍କ ଉପରେ ଏହି ଡାଏଲିସିସ୍ ମେସିନ୍ ପରିଚାଳନାର ଭାର ରହିଛି। ସେହିପରି ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ୨ଟି ଡାଏଲିସିସ୍ ମେସିନ୍ ରହିଥିବା ସତ୍ତ୍ବେ ପରିଚାଳନା କରିବାକୁ ଥିବା ଟେକ୍ନିସିଆନ୍ ନଥିବାରୁ ମେସିନ୍ ଦ୍ବୟ ଏବେ ଅଚଳ ହୋଇ ପଡ଼ି ରହିଛି।