ଛୋଟ ଛୋଟ ପିଲାଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବା ପାଇଁ ଅଭିନବ ପ୍ରୟାସ : ତିଆରି ହେଲା ଟ୍ରେନ ମଡେଲର ଅଙ୍ଗନବାଡି କେନ୍ଦ୍ର

ନବରଙ୍ଗପୁର : ଏବେ ବି ରାଜ୍ୟର ଅନେକ ଜିଲ୍ଲାକୁ ରେଳ ସଂଯୋଗ କରାଯାଇ ପାରିନାହିଁ । ଏହି ଜିଲ୍ଲା ଗୁଡିକ ଭିତରେ ରହିଛି ନବରଙ୍ଗପୁର ଜିଲ୍ଲା । ଜିଲ୍ଲାକୁ ଟ୍ରେନ୍ ଆସିନି ସତ, ହେଲେ ଟ୍ରେନ ବଗି ଆକୃତିର ଅଙ୍ଗନୱାଡି ଲୋକଙ୍କ ମନ ଜିଣୁଛି । କୁନି କୁନି ପିଲାଙ୍କୁ ଅଙ୍ଗନବାଡି ଆଡକୁ ଟାଣୁଛି ।

ଟ୍ରେନ ଭିତରେ ଅଙ୍ଗନବାଡି କେନ୍ଦ୍ର । ଏ ହେଉଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଟୁଟିଗୁଡା ଅଙ୍ଗନବାଡି କେନ୍ଦ୍ର । ଏଠି ପାଠପଢାଠୁ ଆରମ୍ଭ କରି ଖାଇବା, ଖେଳକୁଦ ସବୁଥିରେ ଟ୍ରେନ ବଗିର ଅନୁଭୂତି । କୁନି କୁନି ପିଲାଙ୍କ ନାଚଗୀତ, ପାଠପଢା, ଖାଇବା ପିଇବା ସବୁ କିଛି ଚାଲିଛି ଏହି ଟ୍ରେନ ଭିତରେ । ତେବେ ନବରଙ୍ଗପୁର ଜିଲ୍ଲାକୁ ଟ୍ରେନ ଚଳାଚଳ ବ୍ୟବସ୍ଥା ନଥିବା ବେଳେ ଟ୍ରେନ ଡବା ଆକୃତିର ଏହି ଅଙ୍ଗନବାଡି କେନ୍ଦ୍ରଟି ତିଆରି କରି ଟ୍ରେନ ବିଷୟରେ ଜ୍ଞାନ ଦେବାକୁ ଚେଷ୍ଟା କରିଛି ପ୍ରଶାସନ ।

ଟ୍ରେନ ମଡେଲର ଅଙ୍ଗନବାଡି କେନ୍ଦ୍ରଟି ତିଆରି ହେବା ପରେ ପାଠ ପଢା ପ୍ରତି ପିଲାଙ୍କ ଆଗ୍ରହ ବଢିଛି । ପିଲାଙ୍କୁ ପାଠ ପଢାଇବା ଓ ଖେଳକୁଦ କରାଇବା ସହ ଟ୍ରେନ ବିଷୟରେ ଅବଗତ କରାଉଛନ୍ତି ଅଙ୍ଗନବାଡି ଦିଦି । ସିଡିପିଓ ଏବଂ ସୁପରଭାଇଜରଙ୍କ ଚେଷ୍ଟାରେ ଟ୍ରେନ ମଡେଲର ଏହି କେନ୍ଦ୍ର ତିଆରି ହେଇଥିବା କହିଛନ୍ତି ଅଙ୍ଗନୱାଡି କର୍ମୀ । ତେବେ ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରିବା ପାଇଁ ଅଭିନବ ଉପାୟରେ ଟ୍ରେନ ମଡେଲର ଅଙ୍ଗନବାଡି କେନ୍ଦ୍ର କରିଛି ପ୍ରଶାସନ ।

ସମ୍ବନ୍ଧିତ ଖବର