ଅଗସ୍ତି ମହାକୁଡ଼ ହତ୍ୟା ଘଟଣା : ଜଣେ ମହିଳାଙ୍କ ସହ ୩ ଗିରଫ

ଅନୈତିକ ସଂପର୍କରୁ ହତ୍ୟାକାଣ୍ଡ, ତଣ୍ଟିଚିପି କରାଯାଇଥିଲା ହତ୍ୟା

ବୌଦ୍ଧ : ବୌଦ୍ଧ ଥାନା ରାଜନପାଲିର ଅଗସ୍ତି ମହାକୁଡ଼ଙ୍କ ହତ୍ୟା ଘଟଣା ଉପରୁ ପରଦା ହଟାଇବାରେ ପୁଲିସ ସଫଳ ହୋଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭି‌ଯୁକ୍ତ ସାନବାଗବରର ବିନୋଦ ବେହେରା(୪୫), ରାଜନପାଲିର ବନିତା ବିଶି (୩୫) ଓ କଣ୍ଟୁଆଣିର ବେଲାରସେନ ମହାକୁଡ଼ (୪୯)ଙ୍କୁ ପୁଲିସ ଗିରଫ କରିଛି। ପରକୀୟା ପ୍ରୀତିରୁ ଏହି ହତ୍ୟାକାଣ୍ଡ ଘଟିଥିବା ତଦନ୍ତରୁ ଜଣାଯାଇଛି। ଦୋଷୀମାନେ ପୁଲିସ ସମ୍ମୁଖରେ ନିଜ ଦୋଷ ସ୍ବୀକାର କରିଛନ୍ତି। ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଭି. ରଘୁନାଥ ରାଓ ଏହାର ସବିଶେଷ ସୂଚନା ପ୍ରଦାନ କରିଛନ୍ତି।

ଏସ୍‌ପିଙ୍କ ସୂଚନା ଅନୁସାରେ, ଗତ ଡିସେମ୍ବର ୩୦ ତାରିଖ ଦିନ ମୃତକ ଅଗସ୍ତି ମହାକୁଡ଼ ଅପରାହ୍‌ଣ ୪.୩୦ମି.ରେ ଘରୁ ବାହାରି ଆଉ ଫେରି ନଥିଲେ। ୧ ତାରିଖରେ ଅଗସ୍ତିଙ୍କ ସ୍ତ୍ରୀ ଶାନ୍ତିଲତା ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ୩ ତାରିଖ ସକାଳେ ଟ୍ରେଜେରି ନିକଟରେ ଥିବା ଏକ ବାଲିଗଦାରୁ ଦୁର୍ଗନ୍ଧ ବାହାରିବା ସହ ବାଲି ଗଦାରୁ ବୁଲା କୁକୁର ଶବକୁ ଟାଣିଥିବା ଖବର ମିଳିଥିଲା। ମାଜି‌ଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କ ଦ୍ବାରା ଶବ ଚିହ୍ନଟ କରାଯାଇଥିଲା। ସାଇଣ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିଥିଲେ।

ଏସ୍‌ପି କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରା ରାଜନପାଲିର ବିଧବା ମହିଳା ବନିତାଙ୍କ ଘରକୁ ଯା’ଆସ କରୁଥିଲେ। ଏହାକୁ ନେଇ ଅଗସ୍ତି ଓ ବିନୋଦ ମଧ୍ୟରେ ବାରମ୍ବାର ଯୁକ୍ତିତର୍କ ହେଉଥିଲା। ନିଖୋଜ ହେବା ଦିନ ୪.୩୦ମି.ରେ ଅଗସ୍ତି ଓ ବେଲାରସେନ ସାଙ୍ଗ ହୋଇ ବୁଲାବୁଲି କରୁଥିବା ତଦନ୍ତ ବେଳେ ଜଣାଯାଇଛି। ୬.୩୦ମି.ରେ ମୁଖ୍ୟ ଅଭିଯୁକ୍ତ ବିନୋଦ ସହ ଏନ୍‌ଏସି ଛକରେ ସେମାନଙ୍କ ଦେଖା ହୋଇଥିଲା। ସେହି ସମୟରେ ମୁଖ୍ୟ ଅଭିଯୁକ୍ତ ବିନୋଦ ପ୍ରତିଶୋଧ ନେବା ପାଇଁ ହତ୍ୟାକାଣ୍ଡର ଯୋଜନା କରିଥିଲା। ଏହା ପରେ ବିନୋଦ ବନିତା ପାଖକୁ ଯାଇ ମଦ କିଣିବା ପାଇଁ ୩ ଶହ ଟଙ୍କା ଆଣିଥିଲା। ହତ୍ୟାକାଣ୍ଡସ୍ଥଳରେ ଥିବା ବାଲିଗଦାରେ ୩ ଜଣ ବସି ମଦ ପିଇଥିଲେ। ତାଙ୍କ ପଡ଼ାକୁ ବାରମ୍ବାର କାହିଁକି ଯାଉଛୁ ବୋଲି ଅଗସ୍ତି ବିନୋଦକୁ କହିଥିଲେ। ଏହା ପରେ ବେଲାରସେନ ଅଗସ୍ତିଙ୍କୁ ଠେଲିଦେଇଥିଲା। ଅଗସ୍ତି ପଡ଼ିଯିବା ପରେ ମୁଖ୍ୟ ଅଭିଯୁକ୍ତ ବିନୋଦ ତଣ୍ଟିକୁ ଚିପି ମୁଥ ମାରିଥିବା ବେଳେ ବେଲାରସେନ ଗୋଡ଼ ଧରିଥିଲା। ମରିଯିବା ପରେ ଶବକୁ ବାଲିରେ ପୋତି ଉଭୟେ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ଘଟଣାରେ ବ୍ୟବହୃତ ବୁଲେଟ୍‌ (ଓଡି-୨୭-ବି-୭୨୨୭) ମଧ୍ୟ ଜବତ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏସ୍‌ପିଙ୍କ ସହ ଏସ୍‌ଡିପିଓ ସାଲେଷ୍ଟିନ ଟିଗ୍‌ଗା ଓ ଆଇଆଇସି ତପସ୍ବିନୀ କହଁର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର