ଆୟୁଷ ଗଣୁଛି ୬୮ ବର୍ଷର ଆର୍‌ସିଏମ୍‌ଏସ୍‌

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅଫିସ ଓ ଗୋଦାମ ଘର

ଜଳେଶ୍ବର: ଜଳେଶ୍ବର ଓ ଭୋଗରାଇ ଅଞ୍ଚଳର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ୬୮ ବର୍ଷ ତଳେ ଜଳେଶ୍ବରଠାରେ ପ୍ରତିଷ୍ଠା ହୋଇଥିବା ଜଳେଶ୍ୱର ଆଞ୍ଚଳିକ ବାଣିଜ୍ୟିକ ସମବାୟ ସମିତି ଲି(ଆରସିଏମଏସ) ଏବେ ଦୟନୀୟ ଅବସ୍ଥାରେ ଗତି କରୁଥିବା ଅଭିଯୋଗ ହୋଇଛି। ବିଶେଷ କରି ଏହାର ପରିଚାଳନା ଦାୟିତ୍ୱ ସମବାୟ ବିଭାଗ ହାତରେ ରହିଥିଲେ ମଧ୍ୟ ଉଭୟ ସରକାର ଓ ସମବାୟ ବିଭାଗ ଏହାର ପୁନଃରୁଦ୍ଧାର ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଜଳେଶ୍ବର ସହରର କେନ୍ଦ୍ରସ୍ଥଳରେ ଥିବା କୋଟି କୋଟି ଟଙ୍କାର ଅଫିସ, ଗୋଦାମ ଘର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଜଳେଶ୍ବର ଆରସିଏମଏସର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନିଆ ନଗଲେ ଏକଦା ସରକାରଙ୍କର ଏହି ଲାଭଜନକ ସଂସ୍ଥା ଭାବେ ପରିଗଣିତ ଏହି ସଂସ୍ଥାର ଚିହ୍ନବର୍ଣ୍ଣ ରହିବ ନାହିଁ ବୋଲି ବହୁ ସମବାୟବିତ ଆଶଙ୍କା ପ୍ରକାଶ କରିଛନ୍ତି।

ଜଳେଶ୍ବର ଓ ଭୋଗରାଇ ବ୍ଲକର ୩୮ଟି ପ୍ରାଥମିକ ସେବା ସମବାୟ ସମିତିକୁ ନେଇ ଜଳେଶ୍ବର ସହରର କେନ୍ଦ୍ରସ୍ଥଳ ପଞ୍ଚୁଘଣ୍ଟାଠାରେ ୩୪ ଡେସିମିଲ ଜମିରେ ୧୯୫୪ ମସିହାରେ ଆରସିଏମଏସ କାର୍ଯ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପ୍ରତିଷ୍ଠା ପରଠାରୁ ଉପରୋକ୍ତ ଦୁଇ ବ୍ଲକର ଚାଷୀମାନେ ଉତ୍ପାଦନ କରୁଥିବା କୃଷିଜାତ ଦ୍ରବ୍ୟର ମାର୍କେଟିଂ, ଚାଷକାର୍ଯ୍ୟ ପାଇଁ ଚାଷୀମାନଙ୍କୁ କୃଷି ଯନ୍ତ୍ରପାତି, ସାର, କୀଟନାଶକ ଯୋଗାଇବା ଆଦିର ଦାୟିତ୍ବ ଆରସିଏମଏସ ଉପରେ ନ୍ୟସ୍ତ ଥିଲା। ଏସବୁ କାର୍ଯ୍ୟ ପାଇଁ ୨୫ରୁ ଊର୍ଦ୍ଧ୍ବ ବେତନଭୋଗୀ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥିଲେ। ଫଳରେ ଜଳେଶ୍ବର ଓ ଭୋଗରାଇ ଅଞ୍ଚଳରେ କୃଷି ଓ କୃଷକର ଆଖିଦୃଶିଆ ଉନ୍ନତି ହୋଇପାରିଥିଲା। କେବଳ କୃଷି ନୁହେଁ, ଯୋଗାଣ ବିଭାଗ ତରଫରୁ ଯୋଗାଣ ସାମଗ୍ରୀର ସୁଷମ ବିତରଣ ପାଇଁ ୧୯୭୮ ମସିହାରୁ ୧୯୮୪ ମସିହା ଯାଏ ଆରସିଏମଏସକୁ ଷ୍ଟୋରେଜ ଏଜେଣ୍ଟ ଭାବେ ମଧ୍ୟ ଦାୟିତ୍ବ ଦିଆଯାଇଥିଲା।

ଭଡ଼ା ଟଙ୍କାରେ ଦିଆଯାଉଛି କର୍ମଚାରୀଙ୍କ ଦରମା

କୁହାଯାଏ ୮୦ ଦଶକ ଯାଏ ଆରସିଏମଏସ ପ୍ରତି ମାସରେ କୋଟି କୋଟି ଟଙ୍କାର ବେପାର କରି ସରକାରଙ୍କର ଏକ ଲାଭଜନକ ସଂସ୍ଥା ଭାବେ ପରିଗଣିତ ହୋଇଥିଲା। ହେଲେ ୧୯୮୨ ମସିହାରେ ଅଞ୍ଚଳରେ ଥିବା ସମବାୟ ସମିତିଗୁଡ଼ିକୁ କୃଷି ଯନ୍ତ୍ରପାତି ଓ ସାର ଯୋଗାଇବା ଦାୟିତ୍ବ ରାଜ୍ୟ ସରକାର ମାର୍କଫେଡକୁ ଦେଲେ। ସେହିପରି ଯୋଗାଣ ସାମଗ୍ରୀ ବିତରଣ ପାଇଁ ଷ୍ଟୋରେଜ ଏଜେଣ୍ଟ ଦାୟିତ୍ବ ମଧ୍ୟ ଆରସିଏମଏସଠାରୁ ବାହାର କରିନେଲେ। ଫଳରେ ଆରସିଏମଏସର ଆୟ ଓ ଲାଭାଂଶ ହ୍ରାସ ପାଇବା ସହ ୧୯୯୦ ମସିହାରୁ କର୍ମଚାରୀଙ୍କୁ ଦରମା ଦେବାରେ ଅସୁବିଧା ହେଲା।

ବର୍ଷ ବର୍ଷ ଧରି ଦରମା ନପାଇ ବହୁ କର୍ମଚାରୀ ଚାକିରି ଛାଡ଼ି ଚାଲିଗଲେ। ବର୍ତ୍ତମାନ ଆରସିଏମଏସର କର୍ମଚାରୀ କହିଲେ କେବଳ ଜଣେ ସମ୍ପାଦକ ଓ ଅନ୍ୟଜଣେ ଜଗୁଆଳି। ଅଫିସ ଆଡମିନିଷ୍ଟ୍ରେଟର ଭାବେ ସମବାୟ ବିଭାଗର ଜଣେ ଗେଜେଟେଡ ଅଫିସରଙ୍କୁ ସରକାର ଦାୟିତ୍ବ ଦେଇ ଦେଇ ଚୁପ୍ ବସିଛନ୍ତି। ୩୪ ଡେସିମିଲ ଜମିକୁ ଆରସିଏମଏସ ନିଜ ନାମରେ କରିବା ପାଇଁ ତହସିଲରେ ବାରମ୍ବାର ଆବେଦନ କରିଥିଲେ ବି ଏଯାବତ ତାହା ହୋଇପାରିଲା ନାହିଁ। ୮୦ ଦଶକ ପୂର୍ବରୁ ନିର୍ମିତ ହୋଇଥିବା ଗୋଦାମ ଘରୁ ଯାହା କିଛି ଭଡ଼ା ଆସୁଛି ସେଥିରେ ଦୁଇ କର୍ମଚାରୀଙ୍କ ଦରମା କେଉଁ ମାସରେ ମିଳେ ତ କେଉଁ ମାସରେ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଅଫିସର ସମସ୍ତ ଆସବାବପତ୍ର, ଘର, ଗୋଦାମ ଘର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ।

ସବୁଠାରୁ ବଡ଼ କଥା ହେଲା ଲାଭରେ ଚାଲୁଥିବା ସମୟରେ ଆରସିଏମଏସ ନିଜ ନାମରେ ପଞ୍ଚୁଘଣ୍ଟା ମୌଜାରେ ଜମି କିଣିଥିଲେ ମଧ୍ୟ ତାହା ସେମିତି ବ୍ୟବହାର ନହୋଇ ପଡ଼ି ରହିଛି। ଏହାର ପୁନଃରୁଦ୍ଧାର ପାଇଁ ସବୁ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର