ଭତ୍ତା ପାଇଁ ବୟସ ଜାଲିଆତି : ବର୍ଷକରେ ବଢ଼ିଗଲା ୨୦ ବର୍ଷ!

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଶହଶହ ଆବେଦନପତ୍ର
ଦୁର୍ନୀତି କରିବାକୁ ଭୋଟର କାର୍ଡ ପାଲଟିଛି ମାଧ୍ୟମ

ବାଲେଶ୍ବର : ସରକାରୀ ଯୋଜନା ହାତେଇବା ଲାଗି ବୟସରେ ବି ଜାଲିଆତି। ଏମିତିକି ଗୋଟିଏ ଗୋଟିଏ ବର୍ଷରେ ଜଣକର ବୟସ ୨୦ରୁ ୨୧ ବର୍ଷ ଯାଏ ବଢ଼ାଯାଇଥିବାବେଳେ ସମ୍ପୃକ୍ତ ବ୍ୟକ୍ତିମାନେ ବାର୍ଦ୍ଧକ୍ୟ ଭତ୍ତା, ଆବାସଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀ ହେବା ପାଇଁ ଆବେଦନ କରିଛନ୍ତି। ବାଲେଶ୍ବର ପିଡି ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ଦିଶା’ ବୈଠକରେ ଭତ୍ତା କାର୍ଯ୍ୟକ୍ରମ ସମୀକ୍ଷା ବେଳେ ଏଭଳି ସଙ୍ଗିନ ଅଭିଯୋଗ ସାମ୍‌ନାକୁ ଆସିଛି। ଭୋଟର ପରିଚୟପତ୍ର ପ୍ରସ୍ତୁତିରେ ବୟସ ଜାଲିଆତି ଧରାପଡ଼ିବା ପରେ ପ୍ରଶାସନିକ ମହଲରେ କମ୍ପନ ସୃଷ୍ଟି ହୋଇଛି। ସେପଟେ ବିଭାଗୀୟ ଅଧିକାରୀଙ୍କ ବିରୋ‌ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି।

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ସାହାଡ଼ା ପଞ୍ଚାୟତ ପଣସା ଗ୍ରାମର ରମାକାନ୍ତ ବାରିକ। ତାଙ୍କ ବୟସ ୨୦୧୯ ମସିହାରେ ଥିଲା ୪୯ ବର୍ଷ। ହେଲେ ବର୍ଷକ ମଧ୍ୟରେ ତାଙ୍କ ବୟସ ଏକାଥରକେ ୨୦ ବର୍ଷ ବଢ଼ିଗଲା। ୨୦୨୦ ଭୋଟର୍‌ ତାଲିକାରେ ତାଙ୍କ ବୟସ ୬୯ ବର୍ଷ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି। ସେହିପରି ଉକ୍ତ ଗାଁର ଗୀତାଞ୍ଜଳି ବାରିକଙ୍କ ବୟସ ୨୦୧୮ରେ ୪୩ ବର୍ଷ ହୋଇଥିବା ବେଳେ ୨୦୨୦ରେ ୬୬ ବର୍ଷ ଦର୍ଶାଯାଇଛି। କେବଳ ଏହି ଦୁଇଜଣ ନୁହନ୍ତି, ଉକ୍ତ ଭୋଟର ତାଲିକାରେ ପଣସା ଗ୍ରାମର ଅଜୟ ବାରିକ, ସାଧବୀ ସାସ୍‌ମଲ, ପୂର୍ଣ୍ଣଚନ୍ଦ୍ର ଦାସ, ଲକ୍ଷ୍ମୀମଣି ଦାସଙ୍କ ସମେତ ପ୍ରାୟ ୩୦ରୁ ଅଧିକ ବ୍ୟକ୍ତିଙ୍କର ବୟସ ୨୦୧୯ ତାଲିକା ତୁଳନାରେ ଢେର ଅଧିକ କରାଯାଇଥିବାବେଳେ ସମ୍ପୃକ୍ତ ବ୍ୟକ୍ତିମାନେ ଏହାକୁ ମାଧ୍ୟମ କରି ବାର୍ଦ୍ଧକ୍ୟ ଭତ୍ତାଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ହାତେଇବାକୁ ଆବେଦନ କରିଛନ୍ତି। ଇଏ ଗଲା ଗୋଟିଏ ପଞ୍ଚାୟତର କଥା। ଜିଲ୍ଲାର ଅନ୍ୟ ଅଞ୍ଚଳରୁ ମଧ୍ୟ ଏଭଳି ଶହଶହ ଆବେଦନପତ୍ର ଆସିଛି। ତେବେ ବର୍ଷକ ମଧ୍ୟରେ ବୟସ ଗୋଟିଏ ବର୍ଷ ଅଧିକା ହେବା ବଦଳରେ ୨୦ରୁ ୨୫ ବର୍ଷ ପର୍ଯ୍ୟନ୍ତ କିପରି ବଢ଼ିଲା, ସେ ନେଇ ସନ୍ଦେହ ଘେରକୁ ଆସିଛନ୍ତି ବିଏଲ୍‌ଓ। କିଛି ସଚେତନ ନାଗରିକ ଏ ସଂପର୍କରେ ଜିଲ୍ଲାପାଳ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଫେରାଦ ହେବାପରେ ଗତକାଲି ପିଡି ଡିଆରଡିଏ ସମ୍ମିଳନୀ କକ୍ଷରେ କେନ୍ଦ୍ରମନ୍ତ୍ରୀ ଏ ପ୍ରସଙ୍ଗରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଯାଞ୍ଚ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଜିଲ୍ଲା ସାମାଜିକ ଅଧିକାର ସନ୍ତୋଷ ସାବତ ଉପଜିଲ୍ଲାପାଳଙ୍କୁ ଚିଠି ଲେଖି ବସ୍ତା ବ୍ଲକ ସାହାଡ଼ା ପଞ୍ଚାୟତରେ ଭୋଟର୍‌ କାର୍ଡ ପ୍ରସ୍ତୁତି ବେଳେ ବ୍ୟାପକ ଜାଲିଆତି ହୋଇଥିବା ଅବଗତ କରିଛନ୍ତି।

କେବଳ ବସ୍ତା ବ୍ଲକରେ ଭୋଟର୍‌ କାର୍ଡ କେଳେଙ୍କାରୀ ହୋଇଛି ତା ନୁହେଁ, ପୂରା ଜିଲ୍ଲାରେ କାୟା ମେଲିଛି। ଅସାଧୁ କର୍ମଚାରୀଙ୍କୁ ହାତ କରି ଅନେକ ଅଯୋଗ୍ୟ ହିତାଧିକାରୀ ନିଜ ବୟସ ବଢ଼ାଇ ବାର୍ଦ୍ଧକ୍ୟ ଭତ୍ତା, ରାସନ୍‌ ସାମଗ୍ରୀ, ଆବାସ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧା ପାଉଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ଏ ସଂପର୍କରେ ଯାଞ୍ଚ କଲେ ବଡ଼ଧରଣର ଜାଲିଆତି ପଦାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର