କଟକ: ଓଡ଼ିଶା କ୍ରିକେଟ୍‌କୁ ପୁଣି ବୟସ ଜାଲିଆତି‌ ଫେରିଛି। ଏହି କାରଣ ପାଇଁ ଓଡ଼ିଶା ରଣଜୀ ଦଳରେ ସ୍ଥାନ ପାଇଥିବା ସୁମିତ ଶର୍ମାଙ୍କୁ ବିସିସିଆଇ ଦୁଇ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏକାଧିକ ବୟସ ପ୍ରମାଣପତ୍ର ଦେଇଥିବାରୁ ବିସିସିଆଇ ଏହି ପଦକ୍ଷେପ ନେଇଛି। କନିଷ୍ଠ ବର୍ଗରେ ୨୦୧୫-୧୬ରେ ଖେଳୁଥିବା ବେଳେ ଦେଇଥିବା ବୟସ ପ୍ରମାଣପତ୍ର ସହିତ ଚଳିତ ଋତୁ ପାଇଁ ଦାଖଲ କରିଥିବା ବୟସ ପ୍ରମାଣପତ୍ର ମେଳ ଖାଇ ନଥିଲା। ଫଳରେ ବିସିସିଆଇ ନିଜର କଠୋର ନିଷ୍ପତ୍ତିକୁ ଲାଗୁ କରି ସୁମିତଙ୍କୁ ବାସନ୍ଦ କରିଛି। ଏଥି ସହ ରଣଜୀ ଟ୍ରଫି ପଦାର୍ପଣ ପୂର୍ବରୁ ସୁମିତଙ୍କ ଖେଳ ଜୀବନକୁ ବଡ଼ ଝଟକା ଲାଗିଛି। ଓଡ଼ିଶା ଦଳ ଶୁକ୍ରବାରଠାରୁ ବଡ଼ୋଦରାଠାରେ ବରୋଦା ବିପକ୍ଷରେ ରଣଜୀ ଟ୍ରଫି ଖେଳି ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ବେଳେ ସୁମିତ ଓଡ଼ିଶା ଫେରିଆସିଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ତରଣୀ ସା’ଙ୍କୁ ଓଡ଼ିଶା ଦଳରେ ସାମିଲ କରାଯାଇଛି।