କନେଷ୍ଟବଳ ନିଯୁକ୍ତି ବୟସସୀମା କୋହଳ ହେବ: ହାଇକୋର୍ଟ

କଟକ: କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସସୀମା ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ ଡିସେମ୍ବର ୩୦ରେ ଓଡ଼ିଶା ପୁଲିସ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ୪ ହଜାର ୭୯୦ କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସସୀମା ୨୩ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ୪ ବର୍ଷ କୋହଳ କରିବାକୁ ହାଇକୋର୍ଟ କହିଛନ୍ତି। ଓଡ଼ିଶା ପୁଲିସ ଅର୍ଡର, ୨୦୨୧ର ଅର୍ଡର-୧୭ ଦ୍ବାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥରକ ପାଇଁ ବୟସସୀମା ୪ ବର୍ଷ କୋହଳ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ନିଯୁକ୍ତି ବିଜ୍ଞପ୍ତିକୁ ବାତିଲ କରାଯିବାର ଆବଶ୍ୟକତା ନାହିଁ। ୨୦୨୩ ଜାନୁଆରି ୩୦ ସୁଦ୍ଧା ସର୍ବୋଚ୍ଚ ବୟସସୀମା ୪ ବର୍ଷ କୋହଳ ସଂପର୍କିତ ଅତିରିକ୍ତ ବିଜ୍ଞପ୍ତି ଏସଏସବି ତରଫରୁ ପ୍ରକାଶ କରାଯିବ। ବୟସସୀମା କୋହଳ ପରେ ଆବେଦନ କରିବାକୁ ଥିବା ପ୍ରାର୍ଥୀ ଉଭୟ ଅନ୍ ଲାଇନ ଓ ଅଫ୍ ଲାଇନରେ ଫେବ୍ରୁଆରି ୧୦ ସୁଦ୍ଧା ଦରଖାସ୍ତ ଫର୍ମ ଦାଖଲ କରି ପାରିବେ ବୋଲି ପ୍ରକାଶ ପାଇବାକୁ ଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରାଯିବ। ଏଥିସହିତ ନିଯୁକ୍ତି ପରୀକ୍ଷା ପାଇଁ ଏକ ଉପଯୁକ୍ତ ସାନି ତାରିଖ ଧାର୍ଯ୍ୟ କରାଯିବ।

ଫେବ୍ରୁଆରି ୨୦ରୁ ଆରମ୍ଭ ହେବାକୁ ଥିବା ସପ୍ତାହରେ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯାଇ ଏ ନେଇ ଏସଏସବି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ମାମଲାରେ ରହିଥିବା ତଥ୍ୟ ଓ ପରିସ୍ଥିତିକୁ ବିଚାରକୁ ନେଇ ଏହି ଥରକ ପାଇଁ ସର୍ବୋଚ୍ଚ ବୟସସୀମା କୋହଳ ଲାଗି ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନଗେନ ଭୋଇ, ରଶ୍ମୀରଂଜନ ବେହେରା, ସତ୍ୟଜିତ ପ୍ରଧାନ ଓ ଅନ୍ୟମାନଙ୍କ ଆବେଦନର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ପ୍ରକାଶ ଯେ ୨୦୨୨ ଡିସେମ୍ବର ୩୦ରେ ୪ ହଜାର ୭୯୦ କନେଷ୍ଟବଳ (ସିଭିଲ) ପଦରେ ନିଯୁକ୍ତି ପାଇଁ ଏସଏସବି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୨ ଜାନୁଆରି ୧ ସୁଦ୍ଧା ସାଧାରଣ ବର୍ଗ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୩ ହୋଇଥିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଏଥିସହିତ ବିଭିନ୍ନ ସଂରକ୍ଷିତ ବର୍ଗ ପାଇଁ ବୟସସୀମା ନିୟମ ଅନୁସାରେ କୋହଳ ବ୍ୟବସ୍ଥା ରହିଥିଲା। ନିଯୁକ୍ତିରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ପ୍ରାର୍ଥୀ ୨୦୨୨ ଜାନୁଆରି ୨୧ ସୁଦ୍ଧା ଦରଖାସ୍ତ ଅନ୍ ଲାଇନରେ ଦାଖଲ କରି ପାରିବେ ବୋଲି ଉଲ୍ଲେଖ କରାଯାଇଥିଲା। ସର୍ବୋଚ୍ଚ ବୟସସୀମା ନିୟମକୁ ଚାଲେଞ୍ଜ କରି ହାଇକୋର୍ଟରେ ଏହି ସବୁ ମାମଲା ଦାୟର ହୋଇଥିଲା।

ଶେଷ ଥର ପାଇଁ ୨୦୧୮ରେ କନେଷ୍ଟବଳ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୪ ବର୍ଷ ପରେ ୨୦୨୨ରେ କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗତ ଚାରି ବର୍ଷ ଭିତରେ ସୃଷ୍ଟି ହୋଇଥିବା ପଦବି ଗୁଡିକୁ ନେଇ ୨୦୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେଣୁ ବୟସସୀମା ମଧ୍ୟ ୪ ବର୍ଷ କୋହଳ କରାଯିବା ଅବାଶ୍ୟକ। ରାଜ୍ୟରେ ବିଭିନ୍ନ ସରକାରୀ ପଦ ପାଇଁ ସର୍ବୋଚ୍ଚ ବୟସସୀମା କୋହଳ ଲାଗି ଓଡ଼ିଶା ସିଭିଲ ସର୍ଭିସ (ଫିକ୍ସେସନ ଅଫ ଅପର ଏଜ୍ ଲିମିଟ) ନିୟମାବଳୀ ୧୯୮୯ରେ ୨୦୨୨ ନଭେମ୍ବର ୭ରେ ସଂଶୋଧନ କରାଯାଇଥିଲା। କିନ୍ତୁ କନେଷ୍ଟବଳ ପଦ ପାଇଁ ବୟସସୀମା କୋହଳ କରା ନ ଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। କିନ୍ତୁ ଓଡ଼ିଶା ସିଭିଲ ସର୍ଭିସ ନିୟମାବଳୀ ପୁଲିସ କନେଷ୍ଟବଳ ପଦରେ ନିଯୁକ୍ତି ପାଇଁ ଲାଗୁ ନୁହେଁ। କନେଷ୍ଟବଳ ପ‌ଦରେ ନିଯୁକ୍ତି ପ୍ରସଂଗ ଓଡ଼ିଶା ପୁଲିସ ଅର୍ଡର ୨୦୨୧ ଦ୍ବାରା ପରିଚାଳିତ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ୨୦୧୮ ପରେ ଆଉ ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇ ନଥିବାରୁ ବହୁ ଯୋଗ୍ୟ ପ୍ରାର୍ଥୀ ସୁଯୋଗ ପାଇ ପାରି ନଥିବା ପ୍ରସଂଗକୁ ବିଚାରକୁ ନେଇ ହାଇକୋର୍ଟ ସର୍ବୋଚ୍ଚ ବୟସସୀମା ୪ ବର୍ଷ କୋହଳ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ, ଆଇନଜୀବୀ ରାଜୀବ ରଥ ଓ ସରକାରଙ୍କ ପକ୍ଷରୁ ଏଜିଏ ବିଭୁପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର