ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଅଙ୍ଗନବାଡ଼ି ରେଜିଷ୍ଟରରେ ବୟସ ରେକର୍ଡ ବିଶ୍ୱାସଯୋଗ୍ୟ ନୁହେଁ

କଟକ : ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ଅଙ୍ଗନବାଡ଼ି କେନ୍ଦ୍ର ରେଜିଷ୍ଟରରେ ରେକର୍ଡ ହୋଇଥିବା ବୟସ ବିଶ୍ବାସଯୋଗ୍ୟ ନୁହେଁ ବୋଲି କହିଛନ୍ତି। ପୀଡିତାଙ୍କ ବୟସକୁ ନେଇ ଦ୍ବନ୍ଦ୍ବ କ୍ଷେତ୍ରରେ ମାଟ୍ରିକ ସାର୍ଟିଫିକେଟକୁ ଅଗ୍ରାଧିକାର ଦିଆଯିବ ବୋଲି ହାଇକୋର୍ଟ କହିଛନ୍ତି। ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଦାୟର ଜାମିନ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ଏପରି ରା‌ୟ ଦେଇଛନ୍ତି।

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ, ‌ଅନେକ ସମୟରେ ବିଭିନ୍ନ ଜନ୍ମ ତାରିଖ ସମ୍ମୁଖକୁ ଆସିଥିବା ବେଳେ ପୀଡିତାଙ୍କ ବୟସ ନେଇ ଦ୍ବନ୍ଦ୍ବ ଉପୁଜିଥାଏ। ଏହି ପ୍ରସଂଗକୁ ସୁପ୍ରିମକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ପୀଡ଼ିତାଙ୍କ ବୟସ ନିର୍ଦ୍ଧାରଣ ପ୍ରସଂଗରେ ଜର୍ଣ୍ଣେଲ ସିଂ ବନାମ ହରିୟାନା ସରକାର ମାମଲାରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ଅଭିଭାବକମାନେ ଅନେକ ସମୟରେ ନିଜ ପିଲାର ବୟସ କମାଇ ସକରାରୀ କର୍ତ୍ତୃପକ୍ଷଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଥାନ୍ତି। ପରୀକ୍ଷା ଦେବା ସୁଯୋଗ ଓ ଚାକିରି ‌ପ୍ରସଂଗରେ ସୁବିଧା ନେବା ଭଳି କାର୍ଯ୍ୟ ପାଇଁ ସେମାନେ ଏପରି କରିଥାନ୍ତି। ଜୁଭେନାଇଲ ଜଷ୍ଟିସ (କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍ ଚିଲ୍‌ଡ୍ରେନ୍) ରୁଲ୍ସ, ୨୦୦୭ରେ ଅପରାଧିକ ମାମଲାରେ ସଂପୃକ୍ତ ନାବାଳକର ବୟସ ନିର୍ଦ୍ଧାରଣ ପ୍ରସଂଗରେ ନିୟମ ରହିଛି। ଏହି ନିୟମ ଆଧାରରେ ପୀଡିତାଙ୍କ ବୟସ ନିର୍ଦ୍ଧାରଣ ମଧ୍ୟ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି। ଏହି ନିୟମ ଅନୁସାରେ ସ୍କୁଲ ବା ମାଟ୍ରିକ୍ ସାର୍ଟିଫିକେଟ ଥିଲେ ଅନ୍ୟ କୌଣସି ପ୍ରମାଣ ପୀଡିତାର ବୟସକୁ ନେଇ ବିଶ୍ବାସଯୋଗ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହି ମାମଲାରେ ମାଟ୍ରିକ୍ ସାର୍ଟିଫିକେଟ ଅନୁସାରେ ପୀଡିତାଙ୍କ ବୟସ ଘଟଣା ସମୟରେ ୧୭ ବର୍ଷ ହୋଇଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ରେଜିଷ୍ଟରରେ ଥିବା ପୀଡିତାଙ୍କ ବୟସ ସଂପର୍କିତ ତଥ୍ୟ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ ରାୟ ଦେବା ସହିତ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୯, ଜାନୁଆରି ୧୪ରେ ଜି.ଉଦୟଗିରି ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ ଆବେଦନକାରୀ ଯୁବକ ତାଙ୍କ ନାବାଳିକା ଝିଅ ସହିତ ଜୋର ଜବରଦସ୍ତ ‌ଶାରୀରିକ ସଂପର୍କ ରଖିଥିଲା। ଏହି ସମୟର ଫଟୋ ଆବେଦନକାରୀ ଉଠାଇ ରଖିଥିଲା। ପୀଡିତା ଯୁକ୍ତ ଦୁଇ ପଢୁଥିବା ଅନୁଷ୍ଠାନରେ ମଧ୍ୟ ଆବେଦନକାରୀ ଛାତ୍ରଥିଲା। ପରବର୍ତ୍ତୀ ସମୟରେ ଶାରୀରିକ ସଂପର୍କ ରଖିବାକୁ ପୀଡିତା ମନା କରିବାରୁ ଆବେଦନକାରୀ ଫଟୋ ଭାଇରାଲ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲା ବୋଲି ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଜି.ଉଦୟଗିରି ଥାନାରେ ମାମଲା ରୁଜୁ କରି ଆବେଦନକାରୀକୁ ଗିରଫ କରିଥିଲା। ଜାମିନ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଅଙ୍ଗନବାଡି କେନ୍ଦ୍ର ରେଜିଷ୍ଟର ଅନୁସା‌ରେ ପୀଡିତାଙ୍କ ବୟସ ଘଟଣା ସମୟରେ ୨୦ ବର୍ଷ ଥିଲା। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ପୀଡିତାଙ୍କ ମାଟ୍ରିକ୍ ସାର୍ଟଫିକେଟ ଅନୁସାରେ ସେ ଘଟଣା ସମୟରେ ୧୮ ବର୍ଷରୁ କମ୍ ଥିଲେ।

ସମ୍ବନ୍ଧିତ ଖବର