ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତର ଘର ଭାଙ୍ଗିଲେ, ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

ରାୟଗଡ଼ା: କାଶୀପୁର ବ୍ଲକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କୁ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ଉତ୍ତ୍ୟକ୍ତ ସମର୍ଥିତ ଜନତା ଚାନ୍ଦଗିରି ଗାଁରେ ଗୋଟିଏ ଘର ପୋଡ଼ିଦେଇଥିବା ସହ ଅଭିଯୁକ୍ତଙ୍କ ଘର ସହ ଅନ୍ୟ ଦୁଇଟି ଘର ଭଙ୍ଗାରୁଜା କରିଥିବା ସୁତ୍ରରୁ ଖବର ମିଳିଛି। ଫଳରେ ତିନି ପରିବାର ଅସହାୟ ଓ ଭୟଭୀତ ଅବସ୍ଥାରେ ରହୁଥିବା ଜଣା ପଡ଼ିଛ।

ସୁଚନା ଅନୁଯାୟୀ ପୂର୍ବତନ କଂଗ୍ରେସ ଯୁବ ସଭାପତି ଗଜେନ୍ଦ୍ରଙ୍କୁ ହତ୍ୟା କରିଥିବା ବାଘ ଗୌଡ଼ ଓ ତାଙ୍କ ଦୁଇ ପୁଅ ଏଯାବତ ଫେରାର ଥିବା ବେଳେ ସେହି ଗାଁର ବାଘ ଗୌଡଙ୍କ ଘର ଭାଙ୍ଗିବା ସହ ଅନ୍ୟ ଦୁଇ ପରିବାରଙ୍କ ଘରେ ଉତ୍ତ୍ୟକ୍ତ ଜନତା ନିଆଁ ଲଗେଇ ଦେଇଥିବା କିଛି ଲୋକ ନାମ ପ୍ରକାଶ ନକରିବାକୁ ଅନୁରୋଧ କରି ଖବର ଦେଇଛନ୍ତି। ବେସାହାରା ବ୍ୟକ୍ତି ହେଲେ ହରି ଗୌଡଙ୍କ ପୁଅ ରାମଚନ୍ଦ୍ର ଗୌଡ଼ ଓ ବାସା ଗୌଡଙ୍କ ପୁଅ ତ୍ରିନାଥ ଗୌଡ଼। ଉକ୍ତ ଘରେ ତାଙ୍କର ଦୈନନ୍ଦିନ ଆସବାବ ସହ ବର୍ଷର ଫସଲ ପୁରା ଜଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ଆମେ କାଶୀପୁର ଭାରପ୍ରାପ୍ତ ଥାନାଧିକାରୀ ଓ ଘଟଣାର ତଦନ୍ତକାରୀ ଅଧିକାରୀ ପୁରୋଷତ୍ତମ ଜାନିଙ୍କୁ ପଚାରିବାରୁ ସେ ଏ ନେଇ ଏତଲା ହୋଇଥିବା କହିଥିବା ବେଳେ ଅନ୍ୟ କିଛି ସୁଚନା ଦେବାକୁ ମନା କରିଦେଇଥିଲେ। ଘଟଣାର ତଦନ୍ତ ଚାଲିଛି ଓ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଧରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ମୃତ ଗଜେନ୍ଦ୍ର ନାଏକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକେ ଶବ ସଂସ୍କାର କରିଥିବା ବେଳେ ଉକ୍ତ ଦୁଃଖଦ ସମୟରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ରାୟଗଡ଼ାର କଂଗ୍ରେସ ବିଧାୟକ ପ୍ରାର୍ଥୀ ଆପାଲା ସ୍ବାମୀ କାଡ୍ରାକା, ବ୍ଳକ କଂଗ୍ରେସ ସଭାପତି ଅଙ୍ଗଦ ନାଏକ, ଅନିଲ ଜୈନ, ଜିଜୁରୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର