ଭଦ୍ରକ: ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗ ଆଣି ଭୁବନେଶ୍ୱରରେ ବିଜେପି ପକ୍ଷରୁ ବିଧାନସଭା ଆଗରେ ପ୍ରତିବାଦ ସଭା କରାଯାଇଛି। ବିଜେଡ଼ିର ପୋଷା ଗୁଣ୍ଡା ସାଜିଥିବା ପୁଲିସ କର୍ମଚାରୀମାନେ ବିଜେପି କର୍ମୀ ଓ ନେତାଙ୍କୁ ମାଡ଼ ମାରିଥିଲେ ବୋଲି ବିଜେପି ଅଭିଯୋଗ ଆଣିଛି। ପୁଲିସର ଏଭଳି ଦମନ ଲୀଳାର ତୀବ୍ର ପ୍ରତିବାଦ କରିଛି ବିଜେପି। ଗଣତାନ୍ତ୍ରିକ ପଦ୍ଧତିରେ ବିଜେପି ଆନ୍ଦୋଳନ କରିଥିବା ବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟ କଳାପକୁ ନେଇ ବିଜେପି ଏହାର ପ୍ରତିକ୍ରିୟା ରଖିଛି। ସାରା ରାଜ୍ୟରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି। ସବୁ ଥାନାରେ ଆକ୍ରମଣ କରୀଙ୍କୁ ଗିରଫ ପାଇଁ ଏତଲା ଦିଆ ଯାଇଛି।
ଆଜି ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଦ୍ରକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ ସଭା କରାଯାଇଥିଲା। ଏଇ ପ୍ରତିବାଦ ସଭାରେ ଭଦ୍ରକ ଜିଲ୍ଲା ବିଜେପି ସଭାପତି ହେମନ୍ତ ପାଢ଼ୀ, ବିଜେପି ନେତା ଅଭିମନ୍ୟୁ ସେଠୀ, ଡାକ୍ତର ପ୍ରଦୀପ ନାୟକ, ବଦ୍ରି ନାରାୟଣ ଧଳ, ସୁରେଶ ସାମଲ, ଶ୍ରୀହର୍ଷ ସ୍ୱାଇଁ, ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ କଳ୍ପନା ଜେନା, ବିଦ୍ୟାଧର ସାହୁଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ପ୍ରମୁଖ ଯୋଗ ଦେଇ ପ୍ରତିବାଦ କରିବା ସହ ଭଦ୍ରକ ଏସପିଙ୍କ ନିକଟରେ ଏତଲା ଦେଇଥିଲେ। ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ଅଛନ୍ତି। ସେମାନଙ୍କୁ ଗିରଫ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବୋଲି ବିଜେପି ଦାବି କରିଛି।