ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ: ୪ଦଫା ଦାବିରେ ଧାରଣା ଦେଲେ ଅଧ୍ୟକ୍ଷାଙ୍କ ସମେତ ଉପାଧ୍ୟକ୍ଷ ଓ ସରପଞ୍ଚ

ହରିଲୁଟ କରି ଖାଇବା ପାଇଁ ଡ୍ରାମା: ତାରା ବାହିନୀପତି

ଜୟପୁର: ଦୀର୍ଘ ୮ମାସ ପରେ ଆଜି ଜୟପୁର ପଂଚାୟତ ସମିତି ବୈଠକ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସରିଛି। ବୈଠକ ଆରମ୍ଭରୁ ହିଁ ସମିତିସଭ୍ୟ ବିଶ୍ବନାଥ ଗୌଡ଼ ଓ ବ୍ଲକ ଉପାଧ୍ୟକ୍ଷ ଗଣେଶ ପାଢ଼ୀ ଅଭିଯୋଗ ପରେ ଅଭିଯୋଗ ବାଢ଼ିଥିଲେ। ବ୍ଲକ ପ୍ରଶାସନ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଉପେକ୍ଷା କରୁଥିବା କୌଣସି ‌ଉନ୍ନୟନମୂଳକ ଯୋଜନା ସଂପର୍କରେ ସୂଚନା ଦେଉନଥିବା ଅଭିଯୋଗ କରିଥିଲେ। ନୂଆ ରାସନକାର୍ଡ, ଭତ୍ତା ଟଙ୍କା ବି ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ମରିବାକୁ ଅପେକ୍ଷା କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଏମାନେ ପ୍ରଶ୍ନ କରିଥିଲେ। ଏହାରି ମଧ୍ୟରେ ବିଭିନ୍ନ ପଂଚାୟତରେ ନଳକୂପ ଖନନ, ବିଦ୍ୟୁତ ଲାଇଟ ଲଗାଯିବା ଭଳି କାର୍ଯ୍ୟକ୍ରମ ସରପଞ୍ଚ ଓ ସମିତିସଭ୍ୟଙ୍କ ବିନା ସୂଚନାରେ କରାଯିବା କେତେ ଦୁର ଠିକ। ଯେ କୌଣସି ଗାଁକୁ ରାସ୍ତା , ଡ୍ରେନ ନିର୍ମାଣ ପାଇଁ କୁହାଗଲେ ଅନୁଦାନ ନ ଥିବା ଏବଂ ବିଭିନ୍ନ ଯୋଜନାର ମାର୍ଗଦର୍ଶିକାରେ ଉଲ୍ଲେଖ ନାହିଁ ବୋଲି କହିବା ଠିକ କି ବୋଲି ଅଭିଯୋଗ ଉଠିଥିଲା।

ବିଧାୟକଙ୍କ ହସ୍ତକ୍ଷେପ କରି ବିଜୁ କେବିକେ ଯୋଜନାର କାମ ବିତରଣ କରୁଛନ୍ତି, ଆସିଥିବା ୧୦ଟି କାମ କେବେ ସରିବ ତା‌ ପରେ ପୁଣି ନୂଆ କାମ କେବେ ହେବ ବୋଲି ଉପାଧ୍ୟକ୍ଷ ପ୍ରଶ୍ନ ଉଠାଇଥିଲେ। ସବୁ ଯୋଜନାରେ ଆସିଥିବା ଟଙ୍କା ୫ଟିରେ ସ୍କୁଲରେ ଖର୍ଚ୍ଚ ହେଉଛି ବୋଲି କୁହାଯାଉଛି। ଦେଶ ସ୍ବାଧୀନତାର ଏତେ ବର୍ଷ ପରେ ବି ଛଟାଗୁଡା ଗାଁକୁ ରାସ୍ତା ନାହିଁ, କେନ୍ଦଗୁଡା ଓ ବନ୍ଧଗୁଡା ଗାଁକୁ ‌ଜଳନିଷ୍କାସନ ପାଇଁ ଡ୍ରେନ ଠିକକ୍ ନାହିଁ। ଲୋକପ୍ରତିନିଧିଙ୍କୁ ବ୍ଲକ ବିଡିଓ ଓ ପ୍ରଶାସନ ଅବହେଳା କରିବା ସହ ଉପେକ୍ଷା କରୁଛନ୍ତି ବୋଲି ଅଭିଯୋଗ ଉଠାଇ ବୈଠକରୁ ଅଧାରୁ ବାହାରି ପଡିଥିଲେ। ତାଙ୍କ ପଛେ ପଛେ ବୈଠକକୁ ସଭାପତିତ୍ବ କରୁଥିବା ‌ବ୍ଲକ ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି, ୩ଜିଲ୍ଲାପରିଷଦ ସଭ୍ୟା ଆସ୍ଥା ନାୟକ, ରଶ୍ମି ରଥ, ତପତି ପଟ୍ଟନାୟକ, ସରପଞ୍ଚ ମନ୍ଦର ଗାଧବା, ସମିତିସଭ୍ୟ ଶ୍ରୀ ଗୌଡ଼ଙ୍କ ସହ ୧୧ଜଣ ସରପଂଚ ଓ ସମିତିସଭ୍ୟ ବୈଠକରୁ ବାହାରି ଯାଇଥିଲେ। ଏମାନେ ଏହି ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁକରେ ତଳେ ବସି ଧାରଣା ଦେଇଥିଲେ।

ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବିଧାୟକ, ସାଂସଦ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସରପଞ୍ଚ, ସମିତିସଭ୍ୟଙ୍କର ପଦ ଅନୁଯାୟୀ ପଦଗୌରବ ଓ ସମ୍ମାନ ଯେଭଳି ଦେବା କଥା ସେଭଳି ଦେବା, ପଞ୍ଚାୟତିରାଜ ପ୍ରତିନିଧିଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ କରାଯାଉ, ବି‌ଜୁ କେବିକେ ଯୋଜନାର କାମକୁ ପଂଚାୟତ ସମିତି ଜରିଆରେ ବିତରଣ କରାଯାଉ ବୋଲି ଦାବି କରିଥିଲେ।  ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାଂସଦ ପ୍ରତିନିଧି କୃଷ୍ଣ ନେପାକ, ୮ଜଣ ସରପଂଚ, ୮ଜଣ ସମିତିସଭ୍ୟ କିଛି ସମୟ ବସି ରହିଥିଲେ। ବିଡିଓ ରାଜୀବ ଦାସ , ଏବିଡିଓ ମନୋଜ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର ଆଦି ଧାରଣାସ୍ଥଳକୁ ଯାଇ ବହୁ ବୁଝାସୁଝା କରିଥିଲେ ହେଁ କେହି ଶୁଣି ନଥିଲେ।

ସମ୍ବନ୍ଧିତ ଖବର