ଖଣି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ ଆଦିବାସୀ

ଖଣି ମାଫିଆଙ୍କ ଠାରୁ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ଦାବିରେ ଆଦିବାସୀଙ୍କ ଧାରଣା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଖଣି ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଛି । ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍‌ ବାରମ୍ବାର ଛାଟ ପରେ ମଧ୍ୟ ଖଣି ମାଫିଆ କିମ୍ବା ବେଆଇନ ଖଣି ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ନିୟମିତ ଭାବେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଜନସାଧାରଣ ଖଣି ମାଫିଆଙ୍କ ବିରୋଧରେ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରୁଥିବା ବେଳେ ଆଜି ବେଗୁନିଆ ଦକ୍ଷିଣେଶ୍ୱର ମୌଜାର ଆଦିବାସୀ ନିଜ ଅଂଚଳର ଜଳ, ଜମି ଓ ଜଙ୍ଗଲକୁ ଖଣି ମାଫିଆଙ୍କ ଠାରୁ ରକ୍ଷା କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଆଜି ସକାଳ ପ୍ରାୟ ୯ଟାରେ ରାଉତପଡ଼ା ପଞ୍ଚାୟତ ଦକ୍ଷିଣେଶ୍ୱର ଗ୍ରାମର ୪୦ରୁ ଊର୍ଦ୍ଧ୍ବ ଆଦିବାସୀ ମହିଳା ଓ ପୁରଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ସ୍ୱାଭିମାନ ଦିବସର ଉତ୍ସବରେ ଯୋଗ ଦେବାକୁ ଯାଇଥିବାରୁ ସାଢ଼େ ୧୦ଟା ଯାଏଁ ପ୍ରବଳ ଖରାରେ ବାହାରେ ଅପେକ୍ଷା କରିଥିଲେ । ଏପରିକି ବାହାରେ ଥିବା ପୁଲିସ ସେମାନଙ୍କୁ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରକୁ ମଧ୍ୟ ଯିବାକୁ ଦେଇନଥିଲା । ଶେଷରେ ୧୧ଟା ବେଳେ ଜିଲ୍ଲାପାଳଙ୍କୁ ଏକ ୪ଜଣିଆ ପ୍ରତିନିଧି ସାକ୍ଷାତ କରି ଏକ ଦାବିପତ୍ର ଦେଇଛନ୍ତି ।

ଗ୍ରାମର ଜଙ୍ଗଲ, ଜମି ସୁରକ୍ଷା ମଂଚର ନେତୃତ୍ୱରେ ଆସିଥିବା ଆଦିବାସୀଙ୍କ କହିବାନୁସାରେ, ଗାଁରେ ଥିବା ଖାତା ନମ୍ବର ୫୩/୩ରେ ଥିବା ପ୍ଲଟ ନଂ ୨୪୦ର ୧୨ ଏକର ୨୭୫ ଡେସିମଲ ପତିତ ଜମିକୁ ମାଙ୍କଡ଼ା ପଥର ଖଣି ପାଇଁ ନିଲାମ ଦେଇଥିବା ସେମାନେ ଶୁଣିବାକୁ ପାଇଛନ୍ତି । ଏହି ଜମି ଶ୍ରୀଜଗନ୍ନାଥଙ୍କ ଜମି ଅଟେ । ନିୟମାନୁସାରେ, ଖଣି ନିଲାମ ପୂର୍ବରୁ ଗାଁ ସଭା କରିବା କଥା କିନ୍ତୁ ଏହାନକରି ଶ୍ରୀମନ୍ଦିର ପରିଚାଳନା କମିଟିର କେତେକ ଅସାଧୁ ଅଧିକାରୀଙ୍କୁ ହାତ କରି ଖଣିମାଫିଆ ଏହି ଜମିକୁ ହାତେଇଛନ୍ତି । କେବଳ ଏହାନୁହେଁ ନିକଟରେ ଥିବା ପ୍ଲଟ ନଂ ୨୩୮ର ୧୭.୫୨୬ ଡେସିମଲ ଜମିକୁ ନିଲାମ ଦେବା ପାଇଁ ଯୋଜନା ଚାଲୁଥିବା ସେମାନେ ଶୁଣିବାକୁ ପାଇଛନ୍ତି । ଏହି ଜମିରେ ସେମାନେ ପୁରୁଷ ପୁରୁଷ ଧରି ହରିଡ଼ା, ବାହାଡ଼ା, ଅଁଳା, ଆମ୍ବ, ପିଜୁଳି ଆଦି ଗଛ ଲଗାଇ ସେଥିରୁ ସେମାନେ ଜୀବିକା ନିର୍ବାହ କରୁଛନ୍ତି ।

ଗାଈଗୋରୁଙ୍କ ଚାରଣ ଜମି ଭାବେ ବ୍ୟବହାର କରୁଛନ୍ତି । ଏପରିସ୍ଥଳେ ସେଠାରେ ଖଣି ଖନନ ଦ୍ୱାରା ସେମାନେ ଲଗାଇଥିବା ସମସ୍ତ ଗଛ ନଷ୍ଟ ହେବାକୁ ବସିଛି । ଆଗାମୀ ଦିନରେ ନିକଟସ୍ଥ ପ୍ଲଟରେ ଖଣି ଖନନକୁ ଅନୁମତି ଦେଲେ ବଳକା ଜଙ୍ଗଲ ନଷ୍ଟ ହୋଇଯିବ । ଏଣୁ ସେହି ଅଂଚଳରେ ଖଣି ଖନନ କରିବାକୁ ଅନୁମତି ଦିଆନଯାଉ ବୋଲି ଗ୍ରାମବାସୀ ମତ ଦେଇଛନ୍ତି । ସେମାନଙ୍କ ବର୍ତମାନ ଖଣିମାଫିଆଙ୍କ ଠାରୁ ଜମି ର ସୁରକ୍ଷା ପାଇ ପାଳି କରି ଜଗି ରହୁଛନ୍ତି । ପ୍ରଶାସନ ସେମାନଙ୍କୁ ସୁରକ୍ଷା ନଦେଲେ ଓ ସେମାନଙ୍କ ଜୀବନ ଓ ଜୀବିକା ପାଲଟିଥିବା ଜଙ୍ଗଲ ଓ ଜମି ଖଣି ମାଫିଆଙ୍କ ଠାରୁ ମୁକ୍ତ ନକଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର