ସମ୍ବଲପୁର : ପଶ୍ଚିମ ଓଡ଼ିଶା ପାଇଁ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସମ୍ବଲପୁରଠାରେ ପ୍ରତିଷ୍ଠା କରିବା ଦାବିରେ ସମ୍ବଲପୁର ଜିଲ୍ଲା ଆଇନ୍‌ଜୀବୀମାନଙ୍କ ଅସହଯୋଗ ଆନ୍ଦୋଳନ ଗୁରୁବାର ଦ୍ବିତୀୟ ଦିନରେ ବି ଜାରି ରହିଛି। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଦସ୍ୟମାନେ କାମ ବନ୍ଦ କରି କୋର୍ଟ ସମ୍ମୁଖରେ ଧାରଣାରେ ବସି ରହିଥିଲେ।

Advertisment

ଅପରପକ୍ଷରେ ଶେଷ ମାଣବସା ପୂଜା ପାଇଁ ଗୁରୁବାର ବିଚାରବିଭାଗୀୟ ଅଦାଲତ ଗୁଡ଼ିକ ଛୁଟି ରହିଥିଲା। ତେଣୁ ବିଚାରପତିମାନେ ଆସି ନଥିଲେ। ତେବେ ରାଜସ୍ବ ପାର୍ଶ୍ବର କାର୍ଯ୍ୟାଳୟ ଗୁଡ଼ିକ ଖୋଲା ଥିଲା। ଦିନ ୧୦ଟାରୁ ୫ଟା ଯାଏ ଓକିଲମାନେ ଧାରଣାରେ ବସି ରହିଥିଲେ। ସହରର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଆସି ଧାରଣାସ୍ଥଳରେ ବସିରହି ଓକିଲଙ୍କ ଆନ୍ଦୋଳନ ପ୍ରତି ନିଜର ସମର୍ଥନ ବ୍ୟକ୍ତ କରିଥିଲେ। ନାଗରିକ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ମଧ୍ୟ ଧାରଣାରେ ସାମିଲ ହୋଇଥିଲେ।

ଗୁରୁବାରର ଧାରଣା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିଲା। ଏହା ସତ୍ତ୍ବେ ବୁଧବାର ଭଳି ଗୁରୁବାର ବି ବହୁ ସଂଖ୍ୟାରେ ପୁଲିସ୍ ନେଲସନ ମଣ୍ଡେଲା ଛକ ଓ ଆଖପାଖ ଅଞ୍ଚଳରେ ‌ଜଗି ରହିଥିଲେ। ବୁଧବାର ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ କରା ଯାଇଥିବାବେଳେ ଗୁରୁବାର ସବୁ ଖୋଲା ରହିଥିଲା।