ଜବତ ଡିଜେ ଗାଡ଼ି ଛାଡ଼ିବା ଦାବିରେ ଥାନା ଘେରାଉ

ଚିତ୍ରଡ଼ା: ମୋରଡ଼ା ଗ୍ରାମରେ ଉଡ଼ାପର୍ବ ଉପଲକ୍ଷେ ଡିଜେ ପ୍ରତିଯୋଗିତା ବେଳେ ୨୦ ଫୁଟ୍‌ ଉପରୁ ସାଉଣ୍ଡ ସିଷ୍ଟମ ପଡ଼ି ୪ଜଣ ଗୁରୁତର ହୋଇଥିଲେ। ଉକ୍ତ ଘଟଣାରେ ୩ଟି ଯାକ ଡିଜେ ଗାଡ଼ିକୁ ମୋରଡ଼ା ପୁଲିସ ଜବତ କରିଥିଲା। ତେବେ ଜବତ ଡିଜେଗୁଡ଼ିକ ଛାଡ଼ିବା ଦାବିରେ ଆଜି ଥାନା ଘେରାଉ କରିଥିଲେ ଗ୍ରାମବାସୀ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୁଲିସ ଦୁର୍ଘଟଣାଗ୍ରସ୍ତ ଭୁଟଭୁଟି ସହିତ ଡିଜେ ଓ ଅନ୍ୟ ଦୁଇଟି ଡିଜେକୁ ଜବତ କରି ଥାନାରେ ରଖିଛି। ଦୁର୍ଘଟଣାରେ ଆହତମାନେ ପିଆର୍‌ଏମ୍‌ରେ ଚିକିତ୍ସିତ ହେଉଥିବା ବେଳେ ସେମାନେ ଡିସ୍‌ଚାର୍ଜ ହେବାପରେ ଡିଜେ ସେଟ୍‌ଗୁଡିକୁ ଛାଡ଼ିବା ପାଇଁ ପୁଲିସ ପ୍ରତିଶ୍ରୁତି ଦେଇଥିଲା।

ଗତକାଲି ଉକ୍ତ ଯୁବକମାନେ ବାରିପଦା ମେଡିକାଲରୁ ଡିସଚାର୍ଜ ହୋଇଥିଲେ। ହେଲେ ପୁଲିସ ଗାଡି ଓ ଡିଜେ ସେଟ୍‌ଗୁଡିକୁ ନ ଛାଡିବାରୁ ଆଜି ଅପରାହ୍ନରେ ମୋରଡ଼ା ଗ୍ରାମବାସୀ ଥାନା ମୁଖ୍ୟ ଫାଟକ ସମ୍ମୁଖରେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ। ୩ଘଣ୍ଟା ଧରି ଧାରଣା ଦେବାପରେ ରାତି ୯ଟା ସମୟରେ ସମାଧାନର ବାଟ ଫିଟିଥିଲା। ପୁଲିସ ଗ୍ରାମବାସୀଙ୍କ ଦାବିକୁ ମାନି ଭୁଟଭୁଟି ସହିତ ଦୁଇଟି ଡିଜେକୁ ଛାଡିଦେଇଛି। ତେବେ ଦୁର୍ଘଟଣା ଘଟିଥିବା ଡିଜେକୁ ପୁଲିସ ନିଜ ହେପାଜତରେ ରଖିଛି।

ସମ୍ବନ୍ଧିତ ଖବର